Unknown

 

 

 

 

 

 

 

 

 

 

ବାଳବୋଧ

ଭକ୍ତକବି ମଧୁସୂଦନ ରାଓ

 

ବର୍ଷା

ଓଃ, ଉତ୍ତର ଦିଗରେ କି କଳା ମେଘ ଘୋଟି ଆସୁଅଛି । ଚାରିଆଡ଼ ଅନ୍ଧାର ହୋଇ ଆସିଲାଣି । କି ବେଗରେ ଶୀତଳ ପବନ ବହୁଅଛି ! ଆକାଶରେ କି ଭୟଙ୍କର ଘଡ଼ଘଡ଼ି ଶବ୍ଦ ହେଉଅଛି ! ପୁଣି ବିଜୁଳି କିପରି ଚମକୁଛି ! ଚଞ୍ଚଳ ବର୍ଷା ହେବ । ଦେଖୁଁ ଦେଖୁଁ ଟୋପା ଟୋପା ହୋଇ ପାଣି ପଡ଼ିଲାଣି । ବହୁତ ଦିନ ହେଲା ବର୍ଷା ହୋଇ ନ ଥିଲା । ବୈଶାଖ ଓ ଜ୍ୟେଷ୍ଠ ମାସର ଖରାରେ ସବୁ ଜଳିଯାଇଅଛି, କେତେ ଗଛ ଶୁଖିଯାଇଅଛି । କୂପ, ପୁଷ୍କରିଣୀର ଜଳ ଶୁଖିଯାଇଥିବାରୁ ଅନେକ ସ୍ଥାନରେ ମନୁଷ୍ୟ ଓ ଅନ୍ୟ ପ୍ରାଣୀମାନେ ଜଳ ନ ଥିବା ଯୋଗୁଁ କେତେ କଷ୍ଟ ପାଉଅଛନ୍ତି । କେବେ ବର୍ଷା ହେବ, କେବେ ବର୍ଷା ହେବ ବୋଲି କୃଷକମାନେ ଅନାଇ ରହିଛନ୍ତି । ଆହା ! ଏତେଦିନକେ ବର୍ଷା ଆସିଲା । ପ୍ରଥମେ ଟୋପା ଟୋପା ହୋଇ ପଡୁଥିଲା । ଏବେ ଦେଖ, କେଡ଼େ ବହଳ ଧାରାରେ ପଡୁଅଛି । ଦେଖୁଁ ଦେଖୁଁ ବାଟଘାଟ ସବୁ ଜଳମୟ ହୋଇଗଲାଣି । ଦାଣ୍ଡରେ ଆଣ୍ଠୁଏ ପାଣି । ବର୍ଷାପାଣିରେ ଖାଲ, ବିଲ, କୂଅ, ପୋଖରୀ ସବୁ ପୂରିଯାଉଅଛି । ଭଲରୂପେ ବର୍ଷା ନ ହେଲେ ଧାନ ଆଦି ଶସ୍ୟ ଭଲରୂପେ ଫଳେ ନାହିଁ, ଖାଇବା ଦ୍ରବ୍ୟସବୁ ବଡ଼ ମହଙ୍ଗା ହୋଇଯାଏ । ଗରିବ ଲୋକମାନେ ଦାନା ନ ପାଇ ମରିଯାନ୍ତି । ଏପରି ସମୟକୁ ଦୁର୍ଭିକ୍ଷ-କାଳ କହନ୍ତି । ପଇଁଚାଳିଶ ବର୍ଷ ତଳେ ଆମ୍ଭର ଏହି ଓଡ଼ିଶା ଦେଶରେ ଭାରି ଦୁର୍ଭିକ୍ଷ ପଡ଼ିଥିଲା । ଲକ୍ଷ ଲକ୍ଷ ଲୋକ ସେଥିରେ ମରିଯାଇଥିଲେ ।

 

ବୃଷ୍ଟି କିପରି ହୁଏ, କହୁଅଛି ଶୁଣ । ଖରାରେ ଓଦା ଲୁଗା ମେଲାଇ ଦେଲେ ତାହାର ଜଳ ବାଷ୍ପ ହୋଇ ବାୟୁରେ ମିଶିଯାଏ । ଥାଳିରେ ଜଳ ପୂରାଇ ଖରାରେ ରଖିଦିଅ, ଜଳ ବାଷ୍ପ ହୋଇ ଉଭେଇଯିବ । ପୃଥିବୀରେ ଯେତେ ପୋଖରୀ, ନଦୀ ସମୁଦ୍ର ଅଛି, ଖରାଯୋଗୁଁ ସେଥିରୁ ଜଳ ବାଷ୍ପ ହୋଇ ଉପରକୁ ଉଠି ଆକାଶରେ ଜମାହୋଇଥାଏ । ଥଣ୍ଡା ପବନ ଲାଗିଲେ ସେହି ବାଷ୍ପ ମେଘ ହୋଇଯାଏ । ସେହି ମେଘ ପୁଣି ବରଷିଲେ ପୃଥିବୀରେ ପଡ଼େ ।

 

ବୃଷ୍ଟି

କପିଳ ଓ ଗୋପାଳ ଦୁଇ ଭାଇ । କପିଳ ବଡ଼, ଗୋପାଳ ସାନ । ସେମାନେଙ୍କ ଘର ଚାଟଶାଳୀଠାରୁ ବହୁତ ଦୂର । ଦିନେ ସେମାନେ ଚାଟଶାଳୀରୁ ଘରକୁ ଲେଉଟିଗଲାବେଳେ ବାଟରେ ବର୍ଷା ହେଲା । ସେମାନେ ତିନ୍ତି ଯାଉଥିବାର ଦେଖି ଭାଗବତ ଜେନା ନାମରେ ଜଣେ ଚାଷୀ ସେମାନଙ୍କୁ ଘରକୁ ଡାକିନେଇ କହିଲେ, ‘‘ବର୍ଷା ଛାଡ଼ିଯାଉ, ଘରକୁ ଯିବ । ବର୍ଷା ହେଲା, ଭଲ ହେଲା ।’’ ଗୋପାଳ କହିଲା, ‘‘ଭଲ କଣ ହେଲା, ଏହିକ୍ଷଣି ବାଟଯାକ କାଦୁଅ ହୋଇଯିବ, ତୁମେ ଡାକିଆଣି ନ ଥିଲେ ଆମର ଲୁଗାପଟାସବୁ ତିନ୍ତିଯାଇଥନ୍ତା ।’’ କପିଳ କହିଲା, ‘‘ମୁଁ ବର୍ଷାକୁ ଡରେନାହିଁ । ମୁଁ ଏକା ଥିଲେ ଏକ ଦୌଡ଼ରେ ଯାଇ ଘରେ ପହୁଞ୍ଚିଥାନ୍ତି ।’’ ଭାଗବତ ଜେନା କହିଲେ, ‘‘ବିନା ବରଷା ନାହିଁ ଭରସା, ବରଷା ରଖେ ପ୍ରାଣ । ଏହି କଥା ମନେ ରଖିଥାଅ । ତୁମ ବାପାଙ୍କୁ ଆଜି ପଚାରିବ ।’’

 

ବର୍ଷା ଛାଡ଼ିଗଲାରୁ ସେମାନେ ଘରକୁ ଗଲେ । ଭାଗବତ ଜେନା ଯାହା କହିଥିଲେ, ସେମାନେ ବାପାଙ୍କୁ କହିଲେ । ବାପା କହିଲେ, ‘‘ହଁ, ଜେନା ଠିକ୍‌ କଥା କହିଛି । ବର୍ଷା ନ ହେଲେ ଧାନ, ମାଣ୍ଡିଆ, ମୁଗ, ଗହମ କୌଣସି ପ୍ରକାର ଶସ୍ୟ ହେବ ନାହିଁ । ବର୍ଷାପାଣି ମାଟିରେ ଭେଦି ତାହାକୁ ଓଦା କରିଦିଏ । ଟାଣ ଶୁଖିଲା ମାଟିରେ ଶସ୍ୟ ବଢ଼ିପାରେ ନାହିଁ । ଶସ୍ୟ ନ ହେଲେ ଆମ୍ଭେମାନେ କ’ଣ ଖାଇ ବଞ୍ଚିବା । ବର୍ଷା ନ ହେଲେ ଶସ୍ୟ ମିଳେ ନାହିଁ, ଶସ୍ୟ ନ ମିଳିଲେ ମନୁଷ୍ୟ ମରିଯାନ୍ତି । ସେଥିପାଇଁ ଏ କଥା ଠିକ୍‌ ଯେ ବିନା ବରଷା, ନାହିଁ ଭରସା, ବରଷା ରଖେ ପ୍ରାଣ । ବର୍ଷାଦ୍ୱାରା ଆହୁରି ବହୁତ ଉପକାର ହୁଏ । ବର୍ଷା ଘରମାନଙ୍କର ଓ ଦାଣ୍ଡର ମଳିଧୂଳି ସବୁ ଧୋଇନେଇଯାଏ । ଆମ୍ଭମାନଙ୍କ ଚାରିଆଡ଼େ ମଇଳା ଜମିଲେ ସେଥିରୁ ଦୁର୍ଗନ୍ଧ ଉଠେ ଓ ସେଥିଯୋଗେ ମନୁଷ୍ୟର ଜ୍ୱର ପ୍ରଭୃତି ଅନେକ ରୋଗ ହୁଏ । ବର୍ଷା ନ ହେଲେ ନଦୀ, କୂପ ଓ ପୁଷ୍କରିଣୀ ଶୁଖିଯାଏ; ଗାଧୋଇବା ଓ ପିଇବାକୁ ଭଲ ଜଳ ମିଳେ ନାହିଁ ।’’

 

ଚୋରର ବୃଦ୍ଧି

ଗୋଟିଏ ବଡ଼ ସହରରେ ମସ୍ତରାମ ବୋଲି ଜଣେ ଚୋର ଥିଲା । ସେ ଭାରି ବୁଦ୍ଧିଆ । ଦିନେ ସେ ରାତିରେ ସିନ୍ଧିଗାତ ଖୋଳି ଗୋଟିଏ ମହାଜନ ଘରେ ପଶି ଚୋରିକରୁଛି, ଏହି ସମୟରେ ଧରାପଡ଼ିଗଲା; ଆଉ ଘରୁ ବାହାରି ଆସିପାରିଲା ନାହିଁ । ରାଜଦ୍ୱାରରେ ବିଚାର ହୋଇ ତାହାକୁ ଫାଶୀ ହୁକୁମ ହେଲା । ଯେତେବେଳେ ତାହାକୁ ଫାଶୀ ଦେବାକୁ ଘେନିଗଲେ, ସେତେବେଳେ ସେ କହିଲା ଯେ ମୋର ରାଜାଙ୍କ ପାଖରେ ଗୋଟିଏ ଗୁପ୍ତ କଥା କହିବାକୁ ଅଛି । ଏହା ଶୁଣି ନେଉଥିବା ଲୋକମାନେ ତାହାକୁ ରାଜାଙ୍କ ଦରବାରକୁ ଘେନିଆସିଲେ । ରାଜା ପଚାରିଲେ, ‘‘ତୁ କି ଗୁପ୍ତକଥା କହିବୁ, କହ ?’’ ସେ କହିଲା, ‘‘ମୁଁ ଗୋଟିଏ ମଞ୍ଜି ପୋତିଦେବି, ସେଥିରୁ ସୁନାଫୁଲ ଫୁଟିବ’’ ଏହା ଶୁଣି ରାଜା ନିଜେ ଆଶ୍ଚର୍ଯ୍ୟ ହୋଇଗଲେ । କୌତୁକ ଦେଖିବାପାଇଁ ଆପେ ତାହାର ଫାଶୀ ହୁକୁମ କିଛି ଦିନକୁ ବନ୍ଦ କରିଦେଲେ ।

 

ସେ ଚୋର କଣ କଲା, ଆଉ ଦ୍ରବ୍ୟ ସହିତ ସୁନାଧୂଳି ମିଶାଇ ମଞ୍ଜିପରି କେତୋଟି ଗୁଳି ତିଆରି କଲା । ତାହାପରେ ଗୋଟିଏ ଗୁପ୍ତସ୍ଥାନରେ ଅଳ୍ପ ଜମି ଚାଷ କରି ରାଜାଙ୍କୁ ଡାକି କହିଲା, ‘‘ମଣିମା, ସବୁ ଠିକ୍‌ ହୋଇଗଲାଣି । ମାତ୍ର ଜଣେ ଏ ମଞ୍ଜି ପୋତିବା ଲୋକ ଦରକାର । ଯେ କୌଣସି କାଳେ ଚୋରି କରି ନ ଥିବ, ତାହାରି ହାତରେ ଏ କାମ ହେବ । ତେବେ ଛାମୁ ଟିକିଏ କଷ୍ଟ କରି ଏ ମଞ୍ଜିଟି ପୋତିଦିଅନ୍ତୁ । ଚୋରି କରୁଥିବା ଲୋକ ଲଗାଇଲେ ଏଥିରେ ସୁନାଫୁଲ ହେବନାହିଁ ।’’ ରାଜା ଏ କଥା ଶୁଣି ଟିକିଏ ରହି ମନେ ମନେ କହିଲେ, ‘‘ପିଲାଦିନେ ତ ମୁଁ ବାପାଙ୍କୁ ନ କହି ତଙ୍କ ବାକ୍‌ସରୁ କେତେଥର ଟଙ୍କା ଆଣି ଖେଳସାଥୀମାନଙ୍କୁ ଦେଇଅଛି । ସେ ତ ଏକପ୍ରକାର ଚୋରି ଭିତରେ ଗଲା । ତାହାହେଲେ ମନ୍ତ୍ରୀଙ୍କ ଭିତରୁ ଜଣେ କିଏ ପୋତୁ ।’’ ମାତ୍ର ମନ୍ତ୍ରୀଙ୍କ ମଧ୍ୟରୁ ଜଣେ ସୁଦ୍ଧା କେହି ସାହସ କରି ବାହାରିଲେ ନାହିଁ । ତହୁଁ ମସ୍ତରାମ କହିଲା, ‘‘ଧର୍ମାବତାର ! ଯେବେ ସମସ୍ତେ ଚୋର ହେଲେ, ତେବେ ମୁଁ ଏକା କାହିଁକି ଫାଶୀ ପାଇବି ?’’ ଏହା ଶୁଣି ରାଜା ଅଳ୍ପ ହସି କହିଲେ, ‘‘ମସ୍ତରାମ, ତୁ ଖିବ୍‌ କୌତୁକ କରି ଜାଣୁ । ତୋତେ ଖଲାସ କରି ଦେଲି । ଆଜିଠାରୁ ତୁ ମୋ ପାଖରେ ରହିବୁ । ଯେତେବେଳେ ମୋ ମନ ଖରାପ ହେବ, ସେତେବେଳେ ମୋତେ ହସାଉଥିବୁ ।’’

 

ହାତୀ

ପଶୁମାନଙ୍କ ମଧ୍ୟରେ ହସ୍ତୀ ସବୁଠାରୁ ବଡ଼ । ହାତୀର ଚାରିଗୋଡ଼ ଚାରୋଟି ଖମ୍ବପରି । ତାହାର ଶୁଣ୍ଢଟା ମୁଣ୍ଡରୁ ଗୋଡ଼ ପର୍ଯ୍ୟନ୍ତ ଲମ୍ବା । ସେ ଶୁଣ୍ଢରେ ଅନେକ କାମ କରିପାରେ । ଶୁଣ୍ଢରେ ବଡ଼ ବଡ଼ ଗଛର ଡାଳ ଭାଙ୍ଗିପକାଏ ଓ ସାନ ସାନ ଗଛମାନ ଉପାଡ଼ିପକାଏ । ଛୁଞ୍ଚି କିମ୍ବା ଦୋଅଣି ପରି କ୍ଷୁଦ୍ର ଜିନିଷକୁ ସେ ଶୁଣ୍ଢରେ ଭଇଁରୁ ଉଠାଇ ନିଏ । ହାତୀକୁ ଶିଖାଇଲେ ସେ ଶୁଣ୍ଢଦ୍ୱାରା ମନୁଷ୍ୟ ପରି ବାଡ଼ି, ଚଅଁର, ତରବାରି ବୁଲାଇପାରେ । ଶୁଣ୍ଢରେ ଦୁଇଟି ଛିଦ୍ର ଅଛି । ହାତୀ ତାହାଦ୍ୱାରା ନିଶ୍ୱାସ ମାରେ । ହାତୀର କାନ ଦୁଇଟି କୁଲାପରି, ଆଖି ଦୁଇଟି ଅତି କ୍ଷୁଦ୍ର । ଅଣ୍ଡିରା ହାତୀର ଶୁଣ୍ଢର ଦୁଇପାଖରେ ଦୁଇଟା ଦାନ୍ତ ବାହାରିଥାଏ । କାହାରି କାହାରି ଦାନ୍ତ ଚାରି ପାଞ୍ଚ ହାତ ଲମ୍ବ ଥିବାର ଦେଖାଯାଏ । ହାତୀର ଗୋଟିଏ ଲମ୍ବ ଲାଙ୍ଗୁଡ଼ ମଧ୍ୟ ଅଛି । ହାତୀମାନେ ପଲ ପଲ ହୋଇ ବନରେ ପାଣି ପାଖରେ ଥା’ନ୍ତି । ମନୁଷ୍ୟମାନେ ବହୁତ ଫିକର କରି ସେମାନଙ୍କୁ ଧରିଆଣି ପୋଷା ମନାନ୍ତି ଏବଂ ସେମାନଙ୍କ ଉପରେ ଚଢ଼ି ବୁଲନ୍ତି ।

 

ହାତୀ ସୁଗନ୍ଧ ଦ୍ରବ୍ୟ, ଗୀତ ଓ ବାଦ୍ୟକୁ ଭଲପାଏ । ବାଦ୍ୟ ବାଜିଲେ ସେ ଆନନ୍ଦରେ ତାଳେ ତାଳେ ନାଚି ନାଚି ଚାଲେ । ହାତୀର ଖୁବ୍ ବୁଦ୍ଧି ଅଛି । ସେ ଖୁବ୍‌ ମନେରଖିପାରେ । କେହି ତାକୁ ଅକାରଣ କଷ୍ଟ ଦେଲେ, ସେ ତାହା ମନେରଖି ଦାଉ ସାଧେ । ସେ ମାହୁନ୍ତକୁ ଖୁବ୍‌ ମାନେ । ମାହୁନ୍ତ ଯାହା କହେ, ସେ ତାହା କରେ ।

 

ମାଙ୍କଡ଼-କୁମ୍ଭୀର କଥା

ସମୁଦ୍ରକୂଳରେ ବାଲିରେ ଗୋଟିଏ ଫଳଭରା ଜାମୁଗଛ ଥିଲା । ସେଥିରେ ମାଙ୍କଡ଼ ପ୍ରତିଦିନ ପାଚିଲା ଜାମୁକୋଳି ଖାଇ ସୁଖରେ ଥାଏ । ସମୁଦ୍ରରୁ କୁମ୍ଭୀରଟିଏ ଯାଇ ସେହି ଗଛମୂଳରେ ଶୁଏ । ଦିନେ ତାକୁ ଦେଖି ମାଙ୍କଡ଼ କହିଲା, ‘‘କୁମ୍ଭୀର ଭାଇ! ତୁ ଆଜିଠାରୁ ମୋହର ବନ୍ଧୁ ହେଲୁ । ମୁଁ ଡାଳ ହଲାଇ ଦେଉଛି । ଯେତେ ଇଚ୍ଛା ସେତେ କୋଳି ସୁଖେ ଖା ।’’ କୁମ୍ଭୀର ପେଟେ କୋଳି ଖାଇ କିଛି କିଛି ତାହାର ଭାର୍ଯ୍ୟା ପାଇଁ ଘରକୁ ନେଇଯାଏ । କୋଳିର ସ୍ୱାଦ ପାଇ ତାହାର ଭାର୍ଯ୍ୟା ଦିନେ କହିଲା ‘‘ଏ କୋଳି ତ ଏଡ଼େ ସ୍ୱାଦୁ, ତାକୁ ଯେ ସବୁଦିନେ ଖାଉଛି ତାହାର କଲିଜା କେଡ଼େ ସ୍ୱାଦୁ ହୋଇ ନ ଥିବ ।’’ ତେବେ ମୋତେ ତାକୁ ଆଣିଦେଲେ ମୁଁ ଖାଇବି ।’’ କୁମ୍ଭୀର ବନ୍ଧୁକୁ ମାରିବା ଅନ୍ୟାୟ ବୋଲି ଯେତେ ବୁଝାଇଲା, ସେ ମାନିଲା ନାହିଁ । ଶେଷରେ କହିଲା ‘‘ସେ ମାଙ୍କଡ଼କୁ ମାରି ଆଣିନଦେଲେ ମୁଁ ପ୍ରାଣ ହରାଇବି ।’’ ତହୁଁ କୁମ୍ଭୀର ଭାଳି ଭାଳି ବିରସ ମୁହଁରେ ସେ ଗଛମୂଳକୁ ଗଲା । ଦୂରରୁ ମାଙ୍କଡ଼ ଦେଖି ପଚାରିଲା, ‘‘ଭାଇ ! ଆଜି ମୁହଁଟା କାହିଁକି ଶୁଖାଇଛ ?’’ କୁମ୍ଭୀର ମୂଳ କଥା ଲୁଚାଇ ମିଛରେ କହିଲା, ‘‘ତୁମ ଭାଉଜ ଆଜି ଗାଳିଦେଇଛି । ସେ କହିଲା, ତୁମେ ପ୍ରତିଦିନ ଯାହାର ଖାଉଛ, ତାକୁ ଦିନେ ଆପଣା ଘରକୁ ଆଣି ଚର୍ଚ୍ଚା କଲ ନାହିଁ ? ଏହା କହି ତୁମ୍ଭର ଚର୍ଚ୍ଚାଲାଗି ସେ ସବୁ ଯୋଗାଡ଼ କରି ଆଜି ଚାହିଁ ବସିଛି, ଚାଲ ଯିବା ।’’ ମାଙ୍କଡ଼ କହିଲା, ‘‘ଭାଉଜ ମୋରଅନ୍ୟାୟ କ’ଣ କହିଛି; ମାତ୍ର ତୁମ୍ଭର ଘର ତ ସମୁଦ୍ର ଭିତରେ, ମୁଁ କିପରି ଯିବି ? ସେ ଆହୁରି ଏଠାକୁ ଆସିଲେ ମୁଁ ଚର୍ଚ୍ଚାକରି ସୁଖୀ ହୁଅନ୍ତି ।’’ ତହୁଁ କମ୍ଭୀର କହିଲା, ‘‘ଭାଇ ଆମ୍ଭ ଘର ସମୁଦ୍ରକୂଳରୁ ବେଶୀ ଦୂର ନୁହେଁ । ତୁମକୁ ମୁଁ ପିଠିରେ ବସାଇନେଇ ଘର ଦେଖାଇ ଆଣିବି ।’’ ମାଙ୍କଡ଼ ସେଥିରେ ରାଜିହୋଇ ସମୁଦ୍ରକୂଳରେ କୁମ୍ଭୀରପିଠିରେ ବସିଲା । କୁମ୍ଭୀର ଭାସି ଭାସି ସୁଖରେ ଚାଲିଯାଉଥାଏ; ମାତ୍ର ମାଙ୍କଡ଼ ଦେହରେ ସମୁଦ୍ରଢେଉ ବାଜିଲାକ୍ଷଣି ତାକୁ ଭାରି ଡ଼ର ମାଡ଼ୁଥାଏ । ଯେତେବେଳେ ମାଙ୍କଡ଼ ପାଣିରେ ଆକେତା ହେଲା, ସେତେବେଳେ ଯାଇ କୁମ୍ଭୀର ସତକଥାଟି କହିଦେଲା — ‘‘ଭାଇ, ତୁମ କଲିଜାଟି ଖାଇବାପାଇଁ ଭାଉଜର ଭାରି ଜିଗର । ମୁଁ ହାତରେ ନ ମାରି ମିଛ କହି ଏଠାକୁ ଘେନି ଆସିଲି । ଏବେ ତୁମ୍ଭର ମରଣ ନିକଟ ହେଲା, ଇଷ୍ଟଦେବତାଙ୍କୁ ସୁମର ।’’ ମାଙ୍କଡ଼ ତହୁଁ ଏକ ବୁଦ୍ଧି ପାଞ୍ଚି ମୁହଁ ଶୁଖାଇ କହିଲା, ‘‘ଭାଇ, ତୁମେ ମତେ ଏକଥା ଆଗରୁ କହିଲ ନାହିଁ । ମୋ କଲିଜାଟା ଗଛ କୋରଡ଼ ଭିତରେ ରହିଗଲା ।’’ କୁମ୍ଭୀର ଏହା ଶୁଣି ଖୁସିରେ କହିଲା, ‘‘ତେବେ ଚାଲ ମୋତେ କଲିଜାଟି ଦେବ, ତାହାହେଲେ ତୁମ ପ୍ରାଣ ରହିଯିବ; ବଡ଼ ଭଲ ହେଲା ।’’ ଏହା କହି ସମୁଦ୍ରକୂଳକୁ ମାଙ୍କଡ଼କୁ ଘେନି ଫେରିଲା । ମାଙ୍କଡ଼ ଖାଲି ଦିଅଁଙ୍କୁ ଜଣାଉଥାଏ, କେମିତି ସେଥିରୁ ପାର ପାଇବ । ଯେଉଁକ୍ଷଣି ସମୁଦ୍ରକୂଳ ହେଲା, ହଠାତ୍‌ କୁମ୍ଭୀରପିଠିରୁ ଡିଆଁଟାଏ ମାରିଦେଇ ଗଛରେ ଚଢିଗଲା । କୁମ୍ଭୀର ଯାଇ ଡ଼ାକେ ପକାଇଲା, ‘‘ଭାଇ, କଲିଜାଟା ଦେଉଥିଲ ପରା ?’’ ମାଙ୍କଡ଼ ରାଗିଯାଇ କହିଲା, ‘‘ଯା ଯା ଯରେ ମୂର୍ଖ ! କାହାର କ’ଣ ଦୁଇଟା କଲିଜା ଥାଏ ? ତୁ ଆଉ ଆଜିଠାରୁ ଏ ଗଛମୂଳକୁ ଆସିବୁ ନାହିଁ । ତୋ ସଙ୍ଗେ ବନ୍ଧୁଭାବ ଏତିକି ।’’ କୁମ୍ଭୀର ମନଦୁଃଖରେ ଫେରିଆସି ମନେ ମନେ କହିଲା, ‘‘ମୋହର ଯେପରି ବୁଦ୍ଧି, ତାକୁ ଚାହିଁ ଫଳ ପାଇଲି ।

 

କୁକୁର ଓ ପ୍ରତିବିମ୍ବ

ଗୋଟିଏ କୁକୁର ଖଣ୍ଡେ ମାଂସ ମୁଖରେ ଧରି ନଦୀ ପାରହେଉଥିଲା । ନଦୀର ନିର୍ମଳ ଜଳରେ ନିଜର ପ୍ରତିବିମ୍ବ ଦେଖି ସେହି ପ୍ରତିବିମ୍ବକୁ ଅନ୍ୟ କୁକୁର ବିଚାରି, ସେ ମନେ ମନେ କହିଲା, ‘‘ଏହି କୁକୁରର ମୁଖରେ ଯେଉଁ ମାଂସଖଣ୍ଡ ଅଛି, ତାହାକୁ ଛଡ଼ାଇନେବି । ହେଲେ ମୋର ଦୁଇ ଖଣ୍ଡ ମାଂସ ହେବ ।’’

 

କୁକୁର ଏହି ପ୍ରକାରେ ଲୋଭରେ ପଡ଼ି, ଯେଉଁକ୍ଷଣି ମୁହଁ ମେଲାଇ ଜଳମଧ୍ୟରେ ଦିଶୁଥିବା ମାଂସଖଣ୍ଡିକୁ ଧରିବାକୁ ଗଲା, ଆପଣାର ମୁଖରେ ଥିବା ମାଂସଖଣ୍ଡିକ ଜଳରେ ପଡ଼ି ନଦୀ-ସ୍ରୋତରେ ଭାସିଗଲା । ସେତେବେଳେ ସେ କିଛିକ୍ଷଣ କାବା ହୋଇ ରହି ପରେ ମନେ ମନେ କହିବାକୁ ଲାଗିଲା, ‘‘ଛି, ଛି, ମୁଁ ମିଛଟାରେ ଲୋଭରେ ପଡ଼ି ଯାହା ମୋହର ଥିଲା ତାହା ସୁଦ୍ଧା ହରାଇଲିଟି ।’’

 

ଦୟା

ସକଳ ଜୀବେ ଦୟା ବହି

ପବିତ୍ର କର ଏହି ମହୀ ।

 

ପ୍ରଭୁ ସବୁରି ପିତା ମାତା

ସର୍ବପ୍ରାଣୀର ପ୍ରାଣଦାତା ।

 

ତେଜିଣ ହିଂସା ଅହଂକାର

ଅହିଂସା ଧର୍ମ କର ସାର ।

 

ପରଦୁଃଖରେ ହୁଅ ଦୁଃଖୀ

ପରସୁଖରେ ହୁଅ ସୁଖୀ ।

 

ଲଗାଇ ନିଜ ଧନ ପ୍ରାଣ

ଲୋକର କର ହେ କଲ୍ୟାଣ ।

 

ଧନ୍ୟ ଧନ୍ୟ ସେ ନରନାରୀ

ଯେ ସର୍ବଜନ-ହିତକାରୀ ।

 

ମଶା ଓ ମହୁମାଛି

‘‘ନିତି ନିତି ଆରେ            ମହୁମାଛି ତୁହି

ବୁଲୁଥାଉ ଫୁଲେ ଫୁଲେ,

କୃପଣ ପରାଏ            ମଧୁ ସଞ୍ଚୁଥାଉ

ନ ଖାଉ ପେଟକୁ ଠୁଳେ ।

ଦିନାହେଲେ ସୁଖ            ନ ଜାଣିଲୁ ତୁହି

ଜୀବନଟା ଅକାରଣ,

ମୋ ସୁଖ ଦେଖ ରେ      ଘରେ ବସି କରେ

ସବୁରି ସାର ଶୋଷଣ ।’’

‘‘ଧିକ ଧିକ ଶତ            ଧିକ ମଶକ ରେ !

ତୁ ପୁଣି କରୁ ବଡ଼ାଇ,

କର୍ମ ନ କରି ତୁ            ସୁଖ ବୋଲି କହୁ

ପର ରକ୍ତ ନିତି ଖାଇ ।

ତୋହପରି ମୁହିଁ            ପର ଅହିତକୁ

କରି ତ ନାହିଁ ଜୀବିକା,

ଶ୍ରମକର୍ମ କରି            ଭୁଞ୍ଜଇଁ କୁଁ ସୁଖ

ବୋଲାଇ ପ୍ରଭୁ ସେବିକା ।

ନିଜ ବଂଶ ପାଳି            ସଞ୍ଚିଥାଇ ଯାହା

ଲାଗଇ ତା ପରହିତେ,

ଅମୃତ ସମାନେ            ନିଅନ୍ତୁ ମାନବେ

ନ ବହି ଦୟା କିଞ୍ଚିତେ ।’’

ରୋଷେ ଭାଷେ ମଶା      ‘‘କେଡ଼େ ଲୋକହସା

ନ ହେଉ ତୁହି ପାମର,

ତଡ଼ିଦେଇ ତୋତେ            ନେଇଯାନ୍ତି ଯେବେ

ସଞ୍ଚା-ଧନ ସୁଖୀ ନର ।

ଆପଣା ଆହାର            ପାଇଁ ବସୁ ଫୁଲେ

କିବା ହିତ କରୁ କା’ର

ଫୁଲର କୋମଳ            ଅଙ୍ଗେ ଲାଗି ସିନା

କରିଦେଉ ନାରଖାର ।

ରସ ଶୋଷି ତାର            କିବା ହିତ କରୁ

ଏଡ଼େ ଗର୍ବ ମୋ ଆଗରେ,

ମୁଁ ସିନା କୌଶଳେ            ମୋ ବୀଣା ଶୁଣାଇ

ଚୁମ୍ବିଦିଏଁ ଥରେ ଥରେ ।’’

‘‘ରସ ଘେନି ସିନା            ଲୋଡ଼ୁଥାନ୍ତି ଫୁଲେ

ମୋହ ସଙ୍ଗ ନିରନ୍ତର,

ମୋ ସଙ୍ଗେ ଲାଗିଲେ      ଉପୁଜଇ ଫଳ

ସର୍ବ ଜୀବ ହିତକର ।

ନିଅନ୍ତୁ ପଛକେ            ତଡ଼ି ଦେଇ ନରେ

ରହୁ ତାଙ୍କ ବଡ଼ପଣ,

ପର ଉପକାରେ            ଲାଗିଅଛି ଯେବେ

ସାର୍ଥକ ମୋହର ଧନ ।

ତୋହପରି ଖଳ            ନୁହଇ ରେ ମୁହିଁ

ପରଛିଦ୍ର ଖୋଜି ନିତି,

ଘଟାଇ ଅନିଷ୍ଟ            ବୁଣି ରୋଗବୀଜ

ଲୋକେ ଅଣାଇବି ଭୀତି ।

ଘୋର ଗରଳକୁ            ଭଲ ମଣୁ ତୁହି

ସୁଖକୁ କହୁଚୁ ଦୁଃଖ,

ମୋ କର୍ମ ଦର୍ଶନେ            ତୁଷ୍ଟ ସର୍ବଜନେ

ତୋଠାରେ ସର୍ବେ ବିମୁଖ ।

ଏ ଯୁଗର ଲୋକେ            ମୋ କର୍ମକୁ ହେଜି

କରନ୍ତି କେତେ ପ୍ରଶଂସା,

କର୍ମୀ-ସମାଜରେ            ଉଚ୍ଚସ୍ଥାନ ଦେଲେ,

କେ ଜାଣେ ତୋତେ ରେ ମଶା ?

ଶ୍ରମକର୍ମକୁ ହିଁ            ସୁଖ ମଣନ୍ତି ରେ

ସବୁକାଳେ ସର୍ବଜନେ,

ଘରେ ବସି ପର            ଅନିଷ୍ଟ ପାଞ୍ଚିବା

ଭଲ ବୋଲି କିଏ ଜାଣେ ?’’

ମଉନରେ ମଶା            ବସି ମନେ ମନେ

ତହୁଁ ପାଞ୍ଚିଲା ଏସନ,

ମାଛିପରି ହେବା            ବହୁତ କଠିନ

କାହିଁ ଶକତ ତେସନ ?

ମୋ ପରି ଅଳସ            ଅହିତକାରୀକି

କିପାଁ କେ କରିବ ସ୍ନେହ ?

ସଂସାରର ହିତ            ନ ସାଧିଲେ ସିନା

ବିଅର୍ଥ ଏ ଜନ୍ମ ଦେହ ।’’

 

ଜିଆ

ଜିଆ ଏକପ୍ରକାର କୀଟ ବା ପୋକ ଅଟେ । ସେ ଖଣ୍ଡେ ସୁତା ପରି ଦିଶେ । ତାହାର ପାଦ ନାହିଁ ; କିନ୍ତୁ ସେ ଚାଲିପାରେ । ବର୍ଷାକାଳରେ ଜିଆସବୁ ଗର୍ତ୍ତରୁ ଏଣେତେଣେ ବୁଲନ୍ତି ।

 

ସାଧୁ ନାମରେ ଗୋଟିଏ ବାଳକ ଦିନେ ସକାଳୁ ଉଠି ବାଡ଼ି ଆଡ଼କୁ ଯାଉଥିଲା । ଅନେକଗୁଡ଼ିଏ ଜିଆ ବାଟଯାକ ସଲୁସଲୁ ହୋଇ ଚାଲୁଥିବାର ଦେଖି ତାକୁ ଡର ମାଡ଼ିଲା । ସେ ଘରକୁ ଫେରିଆସି କହିଲା, ‘‘ମା, ବାଟଯାକ ଜିଆ ବୁଲୁଛନ୍ତି, ମୋତେ କାମୁଡ଼ି ଦେବେ । ସେଗୁଡ଼ାକ ମାରି ନ ପକାଇଲେ ମୁଁ ବାଡ଼ିକୁ ଯିବି ନାହିଁ ।’’

 

ମାଆ କହିଲେ, ‘‘ଜିଆ କାମୁଡ଼ନ୍ତି ନାହିଁ, ତୁ ଡରୁଚୁ କାହିଁକି ? ଆଉ ସେମାନଙ୍କୁ ମାରିପକାଇବା ବଡ଼ ଅନ୍ୟାୟ । ଜିଆମାନେ କାହାରି କିଛି ଅପକାର କରନ୍ତି ନାହିଁ; ବୁଝିବସିଲେ ସେମାନେ ଆହୁରି ଉପକାର କରନ୍ତି ।’’

 

ସାଧୁ କହିଲା, ‘‘ଜିଆଗୁଡ଼ାକ କି ଉପକାର କରନ୍ତି ?’’ ମା’ କହିଲେ, ‘‘ସେମାନେ ମାଟି ଭିତରେ ସରୁ ଗାତ କରନ୍ତି । ସେହି ଗାତ ବାଟେ ଖରା, ପବନ ଓ ପାଣି ମାଟି ଭିତରେ ପଶେ । ସେଥିରେ ମାଟିର ବଳ ବଢ଼େ ଓ ସେଥିରେ ଭଲ ଫସଲ ହୁଏ । ତୁ ଜିଆମାଟି ଦେଖିଛୁ ?’’ ସାଧୁ କହିଲା, ‘‘ନା, ମୁଁ ଦେଖିନାହିଁ ।’’ ମା’ ତାକୁ ବାଡ଼ିଆଡ଼କୁ ନେଇଯାଇ ଜିଆମାଟି ଦେଖାଇଦେଇ କହିଲେ, ‘‘ଜିଆ ମୁହଁବାଟେ ମାଟି ଗିଳେ; ସେହି ମାଟିକୁ ଜାଳେ । ଜାଳେ କଣ କି ? ମାଟିକୁ ପେଟ ଭିତରୁ ଚିକ୍‌କଣ ସୂତାପରି ବାହାର କରିଦିଏ । ଦେଖ, ସେ ମାଟି କିପରି ନରମ, କିପରି ଚିକ୍‌କଣ; ତାକୁ ଯେମନ୍ତେ କିଏ ହାତରେ ବଳିଦେଇଚି !’’ ସାଧୁ ପଚାରିଲା, ‘‘ମା’ ! ଜିଆମାଟି କି କାମରେ ଲାଗେ ?’’ ମା’ କହିଲେ, ‘‘ଜିଆମାଟିକୁ ମାଟିରେ ମିଶାଇଲେ ମାଟିର ବଳ ବଢ଼େ । ଦେହର ଯେଉଁ ସ୍ଥାନରେ ବିରୁଡ଼ି କିମ୍ବା ବିଛା କାମୁଡ଼ିଥିବ, ସେ ସ୍ଥାନରେ ଜିଆମାଟିକୁ ପାଣିରେ ଘୋରି ଲଗାଇଦେଲେ ଅତି ଶୀଘ୍ର ଭଲ ହୋଇଥାଏ ।’’ ସାଧୁ କହିଲା, ‘‘ମା’ ! ଜିଆକୁ କିଏ କରିଚି ?’’ ମା’ କହିଲେ, ‘‘ତତେ ଯେ କରିଛନ୍ତି, ଜିଆକୁ ସେଇ କରିଛନ୍ତି । ସେ ଏଇ ଆକାଶ, ସୂର୍ଯ୍ୟ, ଚନ୍ଦ୍ର, ତାରା, ନଦୀ, ପର୍ବତ, ବୃକ୍ଷ, ଲତା, ଫୁଲ, ଫଳ, ସାନ ବଡ଼ କେତେ ଜୀବଜନ୍ତୁ କରିଛନ୍ତି । ସେହି ଈଶ୍ୱରଙ୍କୁ ସବୁବେଳେ ମନେରଖିବୁ ଆଉ ମାନିଥିବୁ ।’’

 

ବେଙ୍ଗର ଅହଙ୍କାର

କୌଣସି ଗାଡ଼ିଆରେ ଗୋଟିଏ ବେଙ୍ଗ ଥିଲା । ତାର କେତେଗୁଡ଼ିଏ ଛୁଆ ଥିଲା । ଦିନେ ବେଙ୍ଗ କେଉଁଆଡ଼କୁ ଯାଇଥିଲା । ଏହି ସମୟରେ ଗୋଟାଏ ହାତୀ ସେହି ଗାଡ଼ିଆ ପାଖରେ ଚାଲିଗଲା । ଛୁଆଗୁଡ଼ିକ ଏତେ ବଡ଼ ଜନ୍ତୁ କେବେ ଦେଖି ନ ଥିଲେ; ସେଥିପାଇଁ ସେମାନେ ଡରି ପାଣିରେ ଲୁଚିଗଲେ । ବେଙ୍ଗ ଲେଉଟି ଆସିବାରୁ ସେମାନେ କହିଲେ, ‘‘ମା ! ଆଜି ଏଇବାଟେ କେଡ଼େ ବଡ଼ ଜନ୍ତୁଟାଏ ଚାଲିଗଲା ।’’ ବେଙ୍ଗ କହିଲା, ‘‘କେଡ଼େ ବଡ଼, ମୋ’ଠୁ କଣ ବଡ଼ ?’’ ଛୁଆମାନେ କହିଲେ, ‘‘ଓଃ, ତୋ‘ଠୁ ବହୁତ ବଡ଼ ।’’ ତହୁଁ ବେଙ୍ଗ ଦେହଟାକୁ ଫୁଲାଇ ଦେଇ କହିଲା ‘‘ୟା ଠୁଁ କଣ ବଡ଼ ?’’ ଛୁଆମାନେ କହିଲେ, ‘‘ଓଃ, ୟାଠୁ କେଡ଼େ କେଡ଼େ କେଡ଼େ ବଡ଼ ।’’ ବେଙ୍ଗଟା ତହୁଁ ଦେହଟାକୁ ଆହୁରି ଫୁଲାଇବାରୁ ତାହାର ପେଟ ଫାଟିଗଲା ଓ ସେ ମରିଗଲା । ଅହଂକାର ସର୍ବନାଶର ମୂଳ ।

 

ସିଂହ ଓ ବ୍ୟାଘ୍ର କଥା

ଦିନେ ଗୋଟିଏ ସିଂହ ଓ ଗୋଟାଏ ବ୍ୟାଘ୍ର ବନରେ ବୁଲୁ ବୁଲୁ ଗୋଟାଏ ମଲା ହରିଣର ଶବ ଦେଖିଲେ । ସିଂହ କହିଲା, ‘‘ଏ ମଲା ହରିଣଟା ମୋର ।’’ ବ୍ୟାଘ୍ର କହିଲା ଯେ, ସେଇଟା ମୋର । ଏହିପରି କହୁଁ କହୁଁ ସେମାନଙ୍କର ମଧ୍ୟରେ ଭୟଙ୍କର ଯୁଦ୍ଧ ହେଲା । ଯୁଦ୍ଧରେ ବହୁତ ରକ୍ତପାତ ହେଲା ଏବଂ ଶେଷରେ ଦୁହେଁଯାକ କ୍ଷତବିକ୍ଷତ ହୋଇଯିବାରୁ ଦରମରା ହୋଇ ଭୂମି ଉପରେ ପଡ଼ିରହିଲେ । ଏହି ସମୟରେ ଗୋଟିଏ ଶୃଗାଳ ସେମାନଙ୍କର ଦୁର୍ଦ୍ଦଶା ଦେଖି ମଲା ହରିଣଟାକୁ ଘୋଷାରି ନେଇ ଚାଲିଗଲା ସିଂହ ଓ ବ୍ୟାଘ୍ର ଏହା ଦେଖି ସୁଦ୍ଧା ଅସମର୍ଥ ଥିବାରୁ ଶୃଗାଳକୁ ନିବାରଣ କରି ନ ପାରି କହିଲେ, ‘‘ହାୟ, ହାୟ ! ଆମ୍ଭେମାନେ କି ନିର୍ବୋଧ ! ଆମ୍ଭେମାନେ କଳହ କରି ମଲୁ; ଆଉ ଖଳ ଶୃଗାଳଟା ଆମ୍ଭରି ଆଗରେ ଆମ୍ଭର ଆହାର ନେଇ ଚାଲିଗଲା !’’

 

ବିବାଦ ହେଲେ, ପରସ୍ପର ମଧ୍ୟରେ ମରାମତି ହେବା କିମ୍ବା ଶତ୍ରୁର ସର୍ବନାଶ ପାଞ୍ଚି ମକଦ୍ଦମା କରିବା ଅନୁଚିତ ଅଟେ । ତଦ୍ଦ୍ୱାରା ଦୁଇ ପକ୍ଷର ଅତ୍ୟନ୍ତ କ୍ଷତି ହୁଏ ଓ ସେମାନଙ୍କର ଧନକୁ ପର ଖାଇଯାନ୍ତି । ବିବାଦ ଉପସ୍ଥିତ ହେଲେ ଦୁଇତିନି ଜଣ ଭଲଲୋକଙ୍କୁ ମାନି ତାଙ୍କଦ୍ୱାରା ବିବାଦ ନିଷ୍ପତ୍ତି କରାଇଦେବା ଭଲ ।

 

ସୂର୍ଯ୍ୟ ଓ ପବନ

କାହାର ବଳ ବେଶି, ଏ ବିଷୟରେ ଦିନେ ପବନ ଓ ସୂର୍ଯ୍ୟ ଦୁହିଁଙ୍କ ମଧ୍ୟରେ କଳହ ହେଲା-। ପବନ କହିଲା, ‘‘ମୋର ବଳ ବେଶୀ ।’’ ସୂର୍ଯ୍ୟ କହିଲା, ‘‘ମୋର ବଳ ବେଶି ।’’ ଏହି ସମୟରେ ଗୋଟିଏ ଲୋକ ବାଟରେ ଲୁଗାପଟା ପିନ୍ଧି ଯାଉଥିଲା । ତାହକୁ ଦେଖି ସୂର୍ଯ୍ୟ ଓ ପବନ ଦୁହେଁଯାକ କହିଲେ, ‘‘ଆସ, ଏହି ଲୋକ ଉପରେ କିଏ କେତେ ବଳ ଦେଖାଇ ତାହା ଦେହରୁ ଲୁଗା ଛଡ଼ାଇପାରିବ, ଦେଖାଯାଉ ।’’

 

ଆଗେ ପବନ ଆପଣା ବଳ ଦେଖାଇ ଖୁବ୍‌ ବେଗରେ ବହିଲା; ମାତ୍ର ବେଶୀ ପବନ ହେବାରୁ ପଥିକକୁ ଶୀତ ହେଲା ଓ ସେ ଆହୁରି ଭଲକରି ଦେହକୁ ଲୁଗା ଦେଇ ଘୋଡ଼ାଇଲା । ତହିଁଉତ୍ତାରେ ସୂର୍ଯ୍ୟ ମହାତେଜରେ କିରଣ ବର୍ଷଣ କରନ୍ତେ, ପଥିକ ଝାଳରେ ତିନ୍ତିଯାଇ ସେହିକ୍ଷଣି ଦେହରୁ ଲୁଗାଯାକ କାଢ଼ିପକାଇଲା ।

 

ଭକ୍ତ ଜଗନ୍ନାଥ ଦାସ

ତୁମ୍ଭେମାନେ ଭାଗବତ ଶୁଣିଥିବ । ଆମ୍ଭ ଦେଶରେ ପ୍ରତି ଘରେ ଯେଉଁ ଭାଗବତ ବୋଲାଯାଏ, ତାହା ଜଗନ୍ନାଥ ଦାସଙ୍କ ଭାଗବତ । ବହୁକାଳ ପୂର୍ବରେ ମହର୍ଷି ବ୍ୟାସଦେବ ସଂସ୍କୃତରେ ଭାଗବତ ଗ୍ରନ୍ଥ ରଚନା କରିଥିଲେ । ଜଗନ୍ନାଥ ଦାସ ତାକୁ ଓଡ଼ିଆ କରିବାର ଚାରିଶ’ ବର୍ଷ ହେଲା । ସେ ସଂସ୍କୃତରେ ଜଣେ ବଡ଼ ପଣ୍ଡିତ ଥିଲେ । ସେ ବାଲ୍ୟକାଳରୁ ବଡ଼ ଧାର୍ମିକ ଏବଂ ଦେବତାଭକ୍ତ ଥିଲେ-। ପ୍ରତିଦିନ ହରିନାମ ନ ଜପିଲେ ତାଙ୍କୁ ଅନ୍ନଜଳ ରୁଚୁ ନ ଥିଲା । ସଂସାର-ଭୋଗସୁଖରେ ଦିନ ନ ନେଇ ଭଗବାନ୍‌ଙ୍କ ମହିମା ଆପେ ଭଲକରି ବୁଝି ଦେଶଲୋକଙ୍କୁ ବୁଝାଇବାପାଇଁ ସହଜ ଭାଷାରେ ଭାଗବତ ଲେଖିଲେ ।

 

ଭକ୍ତ ଜଗନ୍ନାଥ ପୁରୀ ଜିଲ୍ଲା ମଧ୍ୟରେ ବ୍ରାହ୍ମଣକୁଳରେ ଜନ୍ମ ପାଇଥିଲେ । ସେତେବେଳେ ମହାରାଜା ପ୍ରତାପରୁଦ୍ର ଦେବ ଓଡ଼ିଶା ରାଜାଙ୍କ ମଉଡ଼ମଣି ଥିଲେ । ସେ ରାଜା ବଡ଼ ଧାର୍ମିକ ଓ ଗୁଣବନ୍ତ ଥିବାରୁ ଦାସଙ୍କ ଭାଗବତ ଶୁଣି ଖୁବ୍‌ ଆଦର ଗୌରବ କରୁଥିଲେ । ସେତେବେଳେ ମଧ୍ୟ ବଙ୍ଗ ଦେଶରୁ ମହାଭକ୍ତ ଶ୍ରୀଚୈତନ୍ୟଦେବ ପୁରୀକୁ ଆସି ହରିନାମ ସଂକୀର୍ତ୍ତନ କରୁଥିଲେ । ସେ ମଧ୍ୟ ଜଗନ୍ନାଥ ଦାସଙ୍କୁ ବଡ଼ ଆଦର କରୁଥିଲେ ।

ଧନ୍ୟ ହେ ବିପ୍ର ଜଗନ୍ନାଥ !

ସକ୍ଷଣେ ହୋଇଥିଲ ଜାତ ।

ଶ୍ରୀଭାଗବତ ରସ-ସାର

ପ୍ରଚାରି ହୋଇଲ ମମର ।

 

ମୟୂର

ମୟୂର ଦେଖିବାକୁ ବଡ଼ ସୁନ୍ଦର । ମୟୂରର ମୁଣ୍ଡ ଉପରେ ଗୋଟିଏ ଶ୍ୟାମଳବର୍ଣ୍ଣ ଚୂଡ଼ା ବା ଚୂଳ ଥାଏ । ତାର ଦୀର୍ଘ ପୁଚ୍ଛ ବା ଲାଞ୍ଜରେ ନୀଳ ଓ ସୁନେଲି ରଙ୍ଗର ଅନେକ ଗୁଡ଼ିଏ ଚନ୍ଦ୍ରିକା ବା ଗୋଲ ଗୋଲ ଉଜ୍ଜ୍ୱଳ ଚିହ୍ନ ଥାଏ । ଯେତେବେଳେ ଆନନ୍ଦରେ ପୁଚ୍ଛ ଟେକି ନାଚେ, ସେତେବେଳେ ତାହାର ଶୋଭା ଦେଖିଲେ ମନ ମୋହିତ ହୋଇଯାଏ । ମୟୂରୀର ସେପରି ସୁନ୍ଦର ପୁଚ୍ଛ ନ ଥିବାରୁ ତାହାଠାରୁ ମୟୂର ଅଧିକ ଦୁନ୍ଦର ଦିଶେ ।

 

ଆକାଶ ମେଘାଚ୍ଛନ୍ନ ହେଲେ ମୟୂରର ବଡ଼ ଆନନ୍ଦ ହୁଏ ଓ ଏକପ୍ରକାର ଶବ୍ଦ କରି ତାଳେ ତାଳେ ନାଚେ । ତାହାର ସେହି ଶବ୍ଦକୁ କେକା କହନ୍ତି । ମୟୂର ସର୍ପର ମହା ବୈରୀ । ମୟୂର ସାପକୁ ମାରିପକାଇ ଗିଳି ଖାଏ । ସେଥିପାଇଁ ସର୍ପମାନେ ମୟୂରର ଶବ୍ଦ ଶୁଣିଲେ ଗର୍ତ୍ତ ମଧ୍ୟରେ ଲୁଚନ୍ତି । ଲୋକେ ମୟୂରକୁ ପୋଷି ଘରେ ରଖନ୍ତି କିନ୍ତୁ ସେ ବନରେ, ପର୍ବତରେ ଓ ତୋଟାମାନଙ୍କରେ ରହିବାକୁ ଭଲପାଏ । ଲୋକେ ମୟୂରର ପକ୍ଷୀରେ ପଙ୍ଖା ପ୍ରଭୃତି କେତେକ ସୁନ୍ଦର ଦ୍ରବ୍ୟ ତିଆରି କରନ୍ତି ।

 

ପୁନର୍ମୂଷିକ

ଗୋଟିଏ ଆଶ୍ରମରେ ଜଣେ ଋଷି ତପସ୍ୟା କରୁଥିଲେ । ଦିନେ ତାଙ୍କ ପାଖରେ ଗୋଟିଏ କୁଆ ମୂଷାଟିକୁ ଘେନି ଉଡ଼ି ଯାଉ ଯାଉ ତାହା ମୁହଁରୁ ମୂଷାଟି ଖସିପଡ଼ିଲା । ଦୟା ହେବାରୁ ମୁନି ସେ ମୂଷାଟିକୁ ପାଖରେ ରଖି ପୋଷିଲେ । ସେ ମୂଷା ବିରାଡ଼ିକି ଦେଖିଲେ ଭାରି ଡରେ । ଏହା ଜାଣି ମୁନି ତାହାକୁ ମନ୍ତ୍ରବଳରେ ଗୋଟିଏ ବଡ଼ ବିରାଡ଼ି କରିଦେଲେ । ବିରାଡ଼ି ହେଲେ କଣ ହେବ, କୁକୁରକୁ ପୁଣି ଡର । ଏହିରୂପେ ବାଘ ହୋଇ ସେ ନିଶ୍ଚିନ୍ତ ରହିଲା । ଲୋକେ ସେ ଆଶ୍ରମବାଟେ ଗଲାବେଳେ ତାକୁ ଦେଖାଇ କହନ୍ତି, ଏ ବାଘଟା କେଉଁଠୁ ଆସିଲା ଜାଣ; ସେହି ମୂଷାଟାକୁ ଏ ମୁନି ମନ୍ତ୍ରବଳରେ ବାଘ କରିପକାଇଲେ । ସେ ବାଘ ଏହା ତହୁଁ ସେ ମୁନି ତାହାକୁ ଗୋଟିଏ କୁକୁର କରିଦେଲେ । କୁକୁର ବାଘକୁ ଦେଖିଲାକ୍ଷଣି ଡରିମରେ । ମୁନି ଏହା ଜାଣିପାରି ତାହାର ପ୍ରାଣରକ୍ଷାଲାଗି ଶେଷରେ ଗୋଟିଏ ବାଘ କରିଦେଲେ ସେ ବାଘ ଏହା ଶୁଣି ମନେ ମନେ ବିଚାରିଲା, ଏ ମୁନି ଯେତେ ଦିନଯାଏ ବଞ୍ଚିଥିବେ, ସେତେଦିନ ମୋତେ ଆଉ କେହି ଡରିବେ ନାହିଁ; ଏହିପରି ମୋହର ଛିଦ୍ରକଥା କହୁଥିବେ । ଏହା ଭାବି ସେ ମୁନିଙ୍କୁ ହତ୍ୟା କରିବାକୁ ବସିଲା । ମୁନି ତାହାର ମନର ଭାବ ବୁଝିପାରି କହିଲେ, ତୁ ପୁନର୍ମୂଷିକ ହୋ । ଏହା କହିବାମାତ୍ରକେ ସେ ବାଘଟି ମୂଷା ପାଲଟିଗଲା ।

 

ନୀଚ ଲୋକକୁ ଯେତେ ଉଚ୍ଚକୁ ଆଣିଲେ ସେ କେଭେଁ ଉପକାର ମାନେ ନାହିଁ; ଓଲଟ ଉପକାରୀ ଲୋକର ଅପକାର କରିବାକୁ ବସେ ।

 

ବାଉଁଶ

ଧାନଗଛ ଏକପ୍ରକାର ଘାସଗଛ ଅଟେ । ନାନାପ୍ରକାର ଘାସ ଦେଖାଯାଏ; ସେଥିମଧ୍ୟରୁ ବାଉଁଶଗଛ ସବୁଠାରୁ ବଡ଼ । ଏକପ୍ରକାର ବାଉଁଶଗଛର ବାଉଁଶ ପ୍ରାୟ ୬୦ ହାତ ପର୍ଯ୍ୟନ୍ତ ଲମ୍ବା ହୁଏ ।

 

ବାଉଁଶ ମୂଳରୁ ଅନେକ କାଣ୍ଡ ବାହାରେ । କାଣ୍ଡଗୁଡ଼ିକ ଗୋଲ ଓ ସେମାନଙ୍କର ଭିତରଟା ଫମ୍ପା; କିନ୍ତୁ କାଣ୍ଡ ଦେହରେ ଦେହରେ ଛଡ଼ା ଛଡ଼ା ହୋଇ ଗଣ୍ଠି ଥିବାରୁ ବାଉଁଶ ଖୁବ୍‌ ଶକ୍ତ ଓ ଟାଣ ହୁଏ ।

 

ବାଉଁଶ ବହୁତ କାମରେ ଲାଗେ । ଖାଲି ବାଉଁଶରେ ଘର ତିଆରି କରାଯାଇପାରେ । ବାଉଁଶର ଖମ୍ବ, ବାଉଁଶର ତାଟି, ବାଉଁଶର ରୁଅ, ବାଉଁଶର ଶେଣି, ବାଉଁଶର ବତା ହେଲେ ଘର ହେଲା । ବାଉଁଶର ତାଟିକୁ ଭଲକରି ବୁଣିଲେ ତାହା ଚାଳ ମଧ୍ୟ ହୋଇପାରେ । ବାଉଁଶରୁ ଟୋକେଇ, ପାଚିଆ, ପେଡ଼ି, ନିଶୁଣି, ବାଡ଼ି, ଚୌକି, ମେଜ ପ୍ରଭୃତି ନାନାପ୍ରକାର ଦ୍ରବ୍ୟ ତିଆରି କରାଯାଏ ।

 

ବଡ଼ ବାଉଁଶର ଗୋଟାଏ ପବ ନେଇ, ତଳ ଗଣ୍ଠିକୁ ବନ୍ଦ ରଖି, ଉପର ଗଣ୍ଠିକୁ କାଟି ମେଲା କରିଦେଲେ ବାଉଁଶର ବୋତଲ ହେଲା । ସେହିପରି ବାଉଁଶର ବଡ଼ ବଡ଼ ନଳ କରାଯାଏ । ଚୀନ ଦେଶରେ ବାଉଁଶରୁ କାଗଜ ତିଆରି କରାଯାଏ ।

 

ବାଉଁଶର କଅଁଳ ଗଜାକୁ ଲୋକେ ଖାଆନ୍ତି । ଦୁର୍ଭିକ୍ଷ ସମୟରେ ଗରିବ ଲୋକେ ବାଉଁଶର ଧାନରୁ ଚାଉଳ କରି ଭାତ ରାନ୍ଧି ଖାଆନ୍ତି ।

 

ବକ ଓ କର୍କଟ

କଳିଙ୍ଗ ଦେଶରେ ଗୋଟିଏ ବଡ଼ ପୋଖରୀ ଥିଲା । ଦିନେ ବଗ ବିରସ ମୁହଁରେ ତାହା କୂଳରେ ବସିଥିବାର ଦେଖି ଗୋଟିଏ କଙ୍କଡ଼ା ଆସି ତାକୁ ପଚାରିଲା, ‘‘ମାମୁଁ, ଆଜି କାହିଁକି ମୁଖ ଏପରି ବିରସ ଦିଶୁଅଛି ?’’ ବଗ କହିଲା, ‘‘ମୁଁ କେଉଟମାନଙ୍କଠାରୁ ଶୁଣିଲି ଯେ ସେମାନେ କିଛିଦିନ ପରେ ଏଠାକୁ ଆସି ଏହି ସରୋବରରେ ଯେତେ ମାଛ କଙ୍କଡ଼ା ଅଛନ୍ତି, ସମସ୍ତଙ୍କୁ ଜାଲ ପକାଇ ଧରିନେବ-। ମୋତେ ଆଉ କାହୁଁ ଆହାର ମିଳିବ ଯେ ମୁଁ ବଞ୍ଚିବି । ମୁଁ ଏବେ ମହା ଭାବନାରେ ପଡ଼ିଛି ।’’ କର୍କଟ କହିଲା, ‘‘ଆମ୍ଭମାନଙ୍କ ରକ୍ଷାର କୌଣସି ଉପାୟ ନାହିଁ ନା କଣ ?’’ ବକ କହିଲା, ‘‘ଏଠାରୁ କୋଶେ ଦୁରରେ ଗୋଟିଏ ଗଭୀର ସରୋବର ଅଛି । ସେଠାକୁ ଯାଇପରିଲେ ରକ୍ଷା ପାଇବ ।’’ କର୍କଟ ବ୍ୟାକୁଳ ହୋଇ କହିଲା, ‘‘ମାମୁଁ, ଆମ୍ଭେମାନେ ଜଳଚର ପ୍ରାଣୀ; କିପରି ଯିବୁଁ, ତୁମ୍ଭେ ଆମ୍ଭମାନଙ୍କୁ ଧରି ସେଠାରେ ଛାଡ଼ିଦେଇ ଆସ ।’’ ବକ ମନେ ମନେ ଖୁସି ହୋଇ କପଟ କରି କହିଲା, ‘‘ଏ ତ ବଡ଼ କଷ୍ଟ କାମ । ହଉ, ତୁମ୍ଭମାନଙ୍କ ଲାଗି ପାରୁପର୍ଯ୍ୟନ୍ତ ଚେଷ୍ଟା କରିବି । ତୁମ୍ଭେମାନେ ଜଣ ଜଣ ହୋଇ ଆସ ।’’ ମୁର୍ଖ କର୍କଟ ବକ କଥାରେ ବିଶ୍ୱାସ କରି ଜଳଚର ଜୀବମାନଙ୍କୁ ସବୁ କଥା ଜଣାଇଲା ଏବଂ ସେମାନେ ବିଶ୍ୱାସ କରି ଅନ୍ୟ ପୁଷ୍କରିଣୀକୁ ଯିବାପାଇଁ ବାହାରିଲେ । ତହିଁ ଉତ୍ତାରେ ବକ ଗୋଟିଏ ଗୋଟିଏ ଧରି କିଛି ଦୂର ଯାଇ ଏକ ପ୍ରସ୍ତର ଉପରେ ତାହାକୁ ଛେଚି ଆହାର କରିବାକୁ ଲାଗିଲା । ତହିଁ ଆରଦିନ ବକ କର୍କଟକୁ ଧରି ସେହି ପ୍ରସ୍ତର ନିକଟରେ ପହୁଞ୍ଚିଲା । କର୍କଟ ସେଠାରେ ଅନେକ ମାଛକଣ୍ଟ ପଡ଼ିଥିବା ଦେଖି ବକର ମନ୍ଦ ଅଭିପ୍ରାୟ ବୁଝିପାରି ତାହାର ସଣ୍ଡୁଆଶି ଭଳିଆ ଗୋଡ଼ରେ ବକର ଗଳାକୁ ଚିପିଧରି ଦୁଇଖଣ୍ଡ କରି କାଟିପକାଇଲା ।

 

ମଧୁମକ୍ଷିକା

ବାସୁଦେବ – ବାପା, ଆଜି କେତେଗୁଡ଼ାଏ ମାଛି ଆମର ବାଡ଼ି ଆମ୍ଭଗଛର ଡାଳରେ ଜମା ହୋଇ ଭଣଭଣ ଶବ୍ଦ କରିଅଛନ୍ତି । ମା’କହିଲେ, ମହିମାଛି ଗଛରେ ମହୁଫେଣା କରୁଛନ୍ତ । ତୁ ସେଠାକୁ ଯା’ନା, ମହୁମାଛି କାମୁଡ଼ି ଦେବେ । ବାପା, ମତେ ମହୁମାଛିକଥା କହ ।

 

ବାପା –ହଉ, ବସ୍‌, ମୁଁ ମହୁଫେଣାଟା ଦେଖି ଆସେ ।

ବାସୁ – (ବାପା ଫେରିଆସିଲାରୁ) ବାପା, ହାତରେ କ’ଣ ଧରିଚ ?

 

ବାପା –ମହୁଫେଣାରୁ ତିନୋଟି ମାଛି ଆଣିଚି । ମାଛ ତିନୋଟି ତିନି ରକମର । ପୁରୁଷ ବା ଅଣ୍ଡିରା ମାଛି, ସ୍ତ୍ରୀ ବା ମାଈ ମାଛି ଓ ନପୁଂସକ ମାଛି । ଏଇଟା ପୁରୁଷ ମାଛି । ଏହାର ଦେହଟା ମୋଟା । ପଛଆଡ଼ୁ ଚେପ୍‌ଟା । ଆଉ ଏଇଟା ମାଈ ମାଛି । ଏହାକୁ ରାଣୀମାଛି ବି କହନ୍ତି--ଏଇଟା ସବୁ ପୁରୁଷ ମାଛିଠାରୁ ବଡ଼ ଓ ଏହାର ବଛଆଡ଼ଟା ଲମ୍ବା ଓ ମୁନିଆ । ରାଣୀମାଛି ଡିମ୍ବ ପ୍ରସବ କରେ । ପୁଣି ଏ ମାଛିଟା ସବୁଠାରୁ ସାନ । ଆଉ ଏଇଟା ପୁରୁଷ ବି ନୁହେଁ, ସ୍ତ୍ରୀ ବି ନୁହେଁ; ସେଥିପାଇଁ ନପୁଂସକ କହନ୍ତି । ଏଇ ମାଛତିମାନେ ବଡ଼ ପରିଶ୍ରମୀ । ଏମାନେ ମହୁଫେଣା କରନ୍ତି । ଫୁଲରୁ ମଧୁ ଆଣି ଫେଣାରେ ରଖନ୍ତି ଓ ରାଣୀମାଛିର ସେବା କରନ୍ତି । ପୁରୁଷ ମାଛିମାନେ ବଡ଼ ଅଳସୁଆ, କିଛି କାମ କରନ୍ତି ନାହିଁ; ମହୁ ବି ଆଣନ୍ତି ନାହିଁ । କେବଳ ଫେଣାରେ ଥିବା ମହୁକୁ ଖାଇପିଇ ବସିଥାନ୍ତି । ଗୋଟିଏ ମହୁଫେଣାରେ ଗୋଟିଏ ରାଣୀମାଛି ଥାଏ । ରାଣୀମାଛିକୁ ଅନ୍ୟ ମହୁମାଛିମାନେ ଖୁବ୍‌ ମାନନ୍ତି ।

 

ବାସୁ –ମହୁଫେଣାରେ ପୁରୁଷ ମାଛି କେତେ ଓ ପରିଶ୍ରମୀ ମାଛି କେତେ ଥା’ନ୍ତି ?

ବାପା –ମୁଁ ତ ଗଣିନାହିଁ; ଠିକ୍‌ କରି କହିପାରିବି ନାହିଁ । ପୁରୁଷମାଛିର ସଂଖ୍ୟା ବହୁତ ବେଶି ।

ବାସୁ –ମହୁମାଛିମାନେ କିପରି କେଉଁଠାରେ ମହୁ ଆଣନ୍ତି ?

 

ବାପା –ମହୁମାଛି ମୁହଁରେ ଗୋଟାଏ ଶୁଣ୍ଢ ଅଛି ଓ ତାହାର ପେଟରେ ଥଳି ଅଛି । ସେମାନେ ଶୁଣ୍ଢରେ ଫୁଲ ଭିତରେୁ ମହୁ ଆଣି ଜିଭରେ ଚାଟିନେଇ ପେଟରେ ଥଳିରେ ସଞ୍ଚୟ କରି ରଖନ୍ତି; ପରେ ତାହାକୁ ଉଗାରିପକାଇ କିଛି ଖାଇଦିଅନ୍ତି ଓ କିଛି ମଧୁଚକ୍ର ବ ମହୁଫେଣାରେ ସଞ୍ଚୟ କରି ରଖନ୍ତି । ମହୁମାଛିମାନେ ମହୁ ଖାଇଲେ ତାଙ୍କ ଦେହରୁ ଗରମ ବାହାରେ ।

ବାସୁ –ବାପା, ମହୁମାଛିମାନେ କିପରି ମହୁଫେଣା କରନ୍ତି ?

 

ବାପା –ମହୁମାଛି ଦେହରୁ ଯେଉଁ ଗରମ ବାହାରେ, ସେଇଥିରେ ସେମାନେ ମଧୁଚକ୍ର ବା ମହୁଫେଣା ନିର୍ମାଣ କରନ୍ତି । ମଧୁଚକ୍ର ଦେଖିଲେ ତୁ ଆଶ୍ଚର୍ଯ୍ୟ ହୋଥଯିବୁ । ମୁଁ ଗୋଟାଏ ଘରେ ରଖିଚି । (ମଧୁଚକ୍ର ଆଣି) ଦେଖି, ଏଥିରେ କେତେ ଖୋପ ଅଛି । ପ୍ରତି ଖୋପରେ ମୁଖ ଛଅକୋଣିଆ । ଖୋପଗୁଡ଼ିକ ସତେ ଯେପରି ମାପ କରି ଅଛନ୍ତି । ଧନ୍ୟ ମହୁମାଛିଙ୍କର ବୁଦ୍ଧି । ମହୁମାଛିମାନେ ଖୋପ ଭିତରେ ଡିମ୍ବ ଓ ମହୁ ରଖନ୍ତି ।

 

ଓଡ଼ିଶା

ଏହି ପୃଥିବୀରେ ଅନେକ ଦେଶ ଅଛି । ଆମ୍ଭେମାନେ ଯେଉଁ ଦେଶରେ ବାସକରୁ, ତାହାର ନାମ ଭାରତବର୍ଷ । ତାହାକୁ ହିନ୍ଦୁସ୍ଥାନ ମଧ୍ୟ ବୋଲାଯାଏ । ଭାରତବର୍ଷର ଉତ୍ତରରେ ହିମାଳୟ ପର୍ବତ, ଦକ୍ଷିଣରେ ସମୁଦ୍ର, ପୂର୍ବରେ ଓ ପଶ୍ଚିମରେ ପର୍ବତ ଓ ସମୁଦ୍ର । ଭାରତବର୍ଷ ମଧ୍ୟରେ ଅନେକ ପ୍ରଦେଶ ବା ସାନ ସାନ ଦେଶ ଅଛି । ଆମ୍ଭମାନଙ୍କର ଜନ୍ମଭୂମି ଓଡ଼ିଶା ଭାରତବର୍ଷର ଗୋଟିଏ ପ୍ରଦେଶ ଅଟେ । ଓଡ଼ିଶାର ପୂର୍ବ ଦିଗରେ ସମୁଦ୍ର, ଦକ୍ଷିଣ ଦିଗରେ ତୈଲଙ୍ଗପ୍ରଦେଶ, ଉତ୍ତରରେ ବଙ୍ଗଳାପ୍ରଦେଶ ଓ ପଶ୍ଚିମରେ ମଧ୍ୟପ୍ରଦେଶ । ଓଡ଼ିଶାରେ ଆମ୍ଭେମାନେ ଓଡ଼ିଆ କଥା କହୁଁ । ତୈଲଙ୍ଗ ପ୍ରଦେଶରେ ତୈଲଙ୍ଗା ଲୋକେ ତେଲଙ୍ଗା କଥା କହନ୍ତି-। ବଙ୍ଗଳା ପ୍ରଦେଶରେ ବଙ୍ଗାଳୀମାନେ ବଙ୍ଗଳା କଥା କହନ୍ତି । ମଧ୍ୟପ୍ରଦେଶର ଲୋକେ ହିନ୍ଦୀ ଓ ମରାଠୀ କଥା କହନ୍ତି ।

 

ଓଡ଼ିଶାରେ ଅନେକ ନଦୀ, ହ୍ରଦ, ପର୍ବତ, ସହସ୍ର ସହସ୍ର ଗ୍ରାମ ଓ କେତେଗୁଡ଼ିଏ ନଗର ବା ସହର ଅଛି । ଓଡ଼ିଶାର ନଦୀ ମଧ୍ୟରେ ମହାନଦୀ, ବ୍ରାହ୍ମଣୀ, ବୈତରଣୀ ଓ ସୁବର୍ଣ୍ଣରେଖା ପ୍ରଧାନ । ହ୍ରଦ ମଧ୍ୟରେ ଚିଲିକା ସବୁଠାରୁ ବଡ଼; ପର୍ବତ ମଧ୍ୟରେ ମାଲ୍ୟଗିରି ସବୁଠାରୁ ବଡ଼ । ନଗର ମଧ୍ୟରେ କଟକ, ପୁରୀ, ବାଲେଶ୍ୱର ଓ ସମ୍ବଲପୁର ପ୍ରଧାନ । ପୁରୀରେ ବଡ଼ଦେଉଳ ବା ଜଗନ୍ନାଥ ମନ୍ଦିର, ଭୁବନେଶ୍ୱରରେ ଭୁବନେଶ୍ୱର ଦେଉଳ । ଖଣ୍ଡଗିରି ପାହାଡ଼ରେ ଗୁମ୍ପା, କୋଣାର୍କରେ ସୂର୍ଯ୍ୟ ମନ୍ଦିର, ଯାଜପୁରରେ ଶୁଭସ୍ତମ୍ଭ ଓ ଆହୁରି ଅନେକ ସ୍ଥାନରେ ଅନେକ କୀର୍ତ୍ତି ଅଛି । ଭାରତବର୍ଷର ଚାରିଆଡୁ ଯାତ୍ରୀମାନେ ପୁରୀକୁ ତୀର୍ଥ ବା ପୁଣ୍ୟସ୍ଥାନ ମଣି ଠାକୁରଦର୍ଶନ କରିବାପାଇଁ ଆସନ୍ତି । ପୁରୀ ନଗର ସମୁଦ୍ରକୂଳରେ ଅଛି । ପୁରୀଠାରେ ଉତ୍ତରକୁ ୧୫ କ୍ରୋଶ ଦୂରରେ ଭୁବନେଶ୍ୱର ତୀର୍ଥ । ଭୁବନେଶ୍ୱର ନିକଟରେ ଖଣ୍ଡଗିରି । ପୁରୀଠାରୁ ଉତ୍ତରକୁ ୧୦ କ୍ରୋଶ ଦୂରରେ ସମୁଦ୍ରକୂଳରେ କୋର୍ଣାକର ଭଗ୍ନଦେଉଳ । ବର୍ତ୍ତମାନ କାଳରେ କଟକ ଓଡ଼ିଶାର ରାଜଧାନୀ ଓ ପ୍ରଧାନ ନଗର । ପୁରୀଠାରୁ ୧୫ କ୍ରୋଶ ଦୂରରେ କଟକ ନଗର ମହାନଦୀକୂଳରେ ସ୍ଥିତ । କଟକଠାରୁ ଉତ୍ତରକୁ ୨୨କ୍ରୋଶ ବୈତରଣୀ ନଦୀକୂଳରେ ଯାଜପୁର ତୀର୍ଥ । ଯାଜପୁରଠାରୁ ଉତ୍ତରକୁ ୧୦ କ୍ରୋଶ ଦୂରରେ ବାଲେଶ୍ୱର ନଗର । କଟକଠାରୁ ପଶ୍ଚିମକୁ ପ୍ରାୟ ୧୦୦ କ୍ରୋଶ ଦୂରରେ ମହାନଦୀକୂଳରେ ସମ୍ବଲପୁର ନଗର ।

 

ଓଡ଼ିଶା ଇଂରେଜ ସର୍କାରଙ୍କ ଅଧୀନ ଅଟେ । ଓଡ଼ିଶାରେ କେତେଗୁଡ଼ିଏ ଗଡ଼ଜାତ ରାଜ୍ୟ ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ବଉଦ, ସୋନପୁର, ପାଟଣା, କଳାହାଣ୍ଡି, ବାମଣ୍ଡା ପ୍ରଧାନ । ଗଡ଼ଜାତ ରାଜ୍ୟମାନଙ୍କରେ ଶାଳ ପ୍ରଭୃତି ଅନେକ ପ୍ରକାର କାଠ ଓ ଲୌହ ପ୍ରଭୃତି ଅନେକ ପ୍ରକାର ଧାତୁ ମିଳେ ।

 

ଉଦ୍ଧବଚରଣ ଦାସ

ଆମ୍ଭମାନଙ୍କର ଏହି ଓଡ଼ିଶାରେ ବାଲେଶ୍ୱର ବୋଲି ଗୋଟିଏ ସହର ଅଛି । ସେଠାରେ ଉଦ୍ଧବ ନାମରେ ଜଣେ ଲୋକ ଥିଲେ । ସେ ପ୍ରଥମେ ବଡ଼ ଗରିବ ଥିଲେ; କିନ୍ତୁ ପରେ ନିଜ ପରିଶ୍ରମଦ୍ୱାରା ମହାଧନୀ ହୋଇଥିଲେ । ସେ ଯୌବନ ସମୟରେ କଲିକତାକୁ ଯାଇ ବୋଝ ବୋହିବା କାମରେ ଆପଣାକୁ ଲଗାଇଲେ । ଅନ୍ୟ ଲୋକ ବୋଝ ବୋହି ପ୍ରତିଦିନ ଯେତେ ପାଉଥିଲେ, ଉଦ୍ଧବ ଅଧିକ ପରିଶ୍ରମ କରି ସେମାନଙ୍କ ଅପେକ୍ଷା ଦୁଇଗୁଣ ତିନିଗୁଣ ଅର୍ଜନ କରିବାକୁ ଲାଗିଲେ ଏବଂ ଯାହା ଅର୍ଜୁଥିଲେ ସେଥିରୁ ତିନି ଚଉଠ ବଞ୍ଚାଇ ରଖୁଥିଲେ । ଏହି ପ୍ରକାରେ ତାଙ୍କ ହସ୍ତରେ କେତେଗୁଡ଼ିଏ ଟଙ୍କା ଜମିବାରୁ ସେ ବେପାର ଆରମ୍ଭ କଲେ । କଲିକତାକୁ ଜିନିଷ କିଣି ସେସବୁକୁ ବାଲେଶ୍ୱରରେ ବିକିବା ଏବଂ ବାଲେଶ୍ୱରରୁ ଜିନିଷ ନେଇ କଲିକତାରେ ବିକିବା, ଏହି ବେପାରରେ ପ୍ରାଣପଣେ ପରିଶ୍ରମ କରିବାକୁ ଲାଗିଲେ । ସେ ବଡ଼ ଖାରା ଲୋକ ଥିଲେ । ବେପାରରେ ଲୋକଙ୍କୁ ଠକିବା ମହାପାପ ବୋଲି ବିଚାରି, ସେ ସର୍ବଦା ଧର୍ମକୁ ଆଉ ସତ୍ୟକୁ ଜଗି କାରବାର କରୁଥିବାରୁ ସମସ୍ତେ ତାହାଙ୍କୁ ବିଶ୍ୱାସ କରୁଥିଲେ । ଦିନକୁଦିନ ତାହାଙ୍କର ଧନ ଓ ମାନ ବଢ଼ିବାକୁ ଲାଗିଲା; କିନ୍ତୁ ସେଥିଲାଗି ତାଙ୍କ ମନରେ କିଛି ଗର୍ବ ନ ଥିଲା । ସେ ବଡ଼ ଶାନ୍ତ, ଧାର୍ମିକ ଓ ଦୟାଳୁ ଥିଲେ । ସେ ଦୁଃଖୀମାନଙ୍କୁ ଦାନ କରୁଥିଲେ ଓ ଲୋକମାନଙ୍କର ଉପକାର ଲାଗି ଅନେକ ବଡ଼ ବଡ଼ ପୁଷ୍କରିଣୀ ଓ ଧର୍ମଶାଳା ନିର୍ମାଣ କରାଇଥିଲେ । ତାଙ୍କପରି ଉଧ୍‌ଯୋଗୀ ଓ ଧାର୍ମିକ ଲୋକର ଜୀବନ ଧନ୍ୟ ଅଟେ ।

 

ମୋର ଘର

ମୁଁ ଯେଉଁ ଘରେ ବାସକରେ ସେ ଅତି ଆଶ୍ଚର୍ଯ୍ୟ ଘର । ସେ ଘରେ ମୁହିଁ ଏକା ବାସକରେଁ; ମୋ ଛଡ଼ା ଅନ୍ୟ କେହି ସେଥିରେ ରହେନାହିଁ । ଘରଟି ଦୋମହଲାଟି; କିନ୍ତୁ ତାହା ସାଢେତିନି ହାତରୁ ବେଶି ଉଚ୍ଚ ନୁହେଁ । ମୁଁ ଯେଉଁ ଆଡ଼େ ଯାଏଁ, ମୋ ସଙ୍ଗେ ସଙ୍ଗେ ସେ ଘରଟି ନେଇଯାଏ । ମୁଁ ତାହାକୁ ଛାଡ଼ିଗଲେ, ତାହା ନଷ୍ଟ ହୋଇଯାଏ ।

 

ସେ ଘରର ଯୋଡ଼ିଏ ଚଳନ୍ତି ଖମ୍ବ ଅଛି । ସେହି ହେତୁରୁ ମୋର ଇଚ୍ଛାନୁସାରେ ମୁଁ ସେ ଘରକୁ ନାନାସ୍ଥାନାକୁ ନେଇଯାଏ ପାରେ । ଉପର ମହଲାରେ ଯୋଡ଼ିଏ ଝରକା ଅଛି । ମୋ ଘରର ତଳ ମହଲାରେ କବାଟ ବା ଝରକା ନାହିଁ । ମୁଁ ଶୋଇ ପଡ଼ିଲାକ୍ଷଣି ସେ ଝରକା ବୁଜି ହୋଇଯାଏ; ମୁଁ ଜାଗିଲେ ସେ ଝରକା ଦୁଇଟା ଆପେ ଫିଟିଯାଏ । ଉପର ମହଲାରେ ସମ୍ମୁଖ ଭାଗରେ ଦୁଇଟି ଦ୍ୱାର ଅଛି । ସମ୍ମୁଖର ଦ୍ୱାରବାଟେ ମୁଁ ବାହାରକୁ ସମ୍ବାଦ ପଠାଏ । କେହି ଯଦି ମୋ ଘର ଭିତରକୁ କୌଣସି ସମ୍ବାଦ ପଠାଇବାକୁ ଇଚ୍ଛା କରେ ତା’ ହେଲେ ସେ ସମ୍ବାଦକୁ ପାଖର ଦ୍ୱାରବାଟେ ପଠାଇବାକୁ ହୁଏ । ଉପର ମହଲାର ତଳ ଭାଗରେ ହଳେ ଚକି ଅଛି, ସେଥିରେ ଖାଦ୍ୟଦ୍ରବ୍ୟ ପେଷାହୁଏ । ସେହି ମହଲାର ସମ୍ମୁଖ ଭାଗର ଦ୍ୱାରର ଉପରକୁ ଦୁଇଟା ଫୁକାର ଅଛି । ସେହି ବାଟେ ପବନ ଯାତୟାତ କରେ । ଉପର ମହାଲାର ଉପରିଭାଗରେ ତାରଅଫିସ ଅଛି । ସେହିଠାରୁ ତାରଦ୍ୱାରା ଘର ସବୁଆଡ଼କୁ ସମ୍ବାଦ ପଠାଯାଏ ।

 

ତଳ ମହଲାରେ ଗୋଟିଏ ରକ୍ତଜଳାଶ୍ରୟ ଅଛି । ସେଠାରୁ ଜଳ ଉପର ଓ ତଳ ଉଭୟ ମହଲାର ସବୁ ଆଡ଼କୁ ଯାଏ । ସେହି ଜଳାଶୟ ତଳକୁ ପାକଶାଳା ଅଛି । ପାକଶାଳାରେ ଖାଦ୍ୟଦ୍ରବ୍ୟ ସବୁ ପାକ କରାଯାଇ ସେଥିମଧ୍ୟରୁ ଯାହା ଅସାର ତାହା ଆପେ ବାହାରକୁ ନିର୍ଗତ ହୋଇଯାଏ ।

 

ଏ ଘରକୁ ସର୍ବଦା ନିର୍ମଳ ରଖି ତାହା ପାଇଁ ନିର୍ମଳ ବାୟୁ, ନିର୍ମଳ ଜଳ ଏବଂ ଭଲ ନିର୍ମଳ ଖାଦ୍ୟପଦାର୍ଥ ଯୋଗାଇବା ଆବଶ୍ୟକ । ଏପରି ବସାଇ ରଖିଲେ, ତାହା ଅଳ୍ପକାଳ ମଧ୍ୟରେ ନଷ୍ଟ ହୋଇଯାଏ ।

 

କୃଷକ

ଧନ୍ୟ ଧନ୍ୟ ଧନ୍ୟ            ଚଷାର ଜୀବନ

ଧନ୍ୟ ଧନ୍ୟ ଚଷା ନାମ,

ଖରା-ବରଷାରେ            କେତେ କଷ୍ଟ ସହି

କରଇ ସେ କ୍ଷେତକାମ ।

ଅକର୍ମା ଯେ ଜନ            ଭୂମିକି ସେ ସିନା

ନିନ୍ଦଇ ଆଳସ୍ୟଭରେ,

ସେ ଭୂମିରୁ ଚାଷୀ            ଘର ଓ ପୁରକୁ

ଅନ୍ନ ବସ୍ତ୍ର ଦାନ କରେ ।

ପରିଶ୍ରମ କରି            ଚାଷୀ କରେ କେତେ

ଜଗତର ଉପକାର,

ତଥାପି ତାହାର            ମନରେ ନ ଥାଏ

ବୃଥା ଗର୍ବ ଅହଙ୍କାର ।

ନାହିଁ ତାର କୋଠା            ନାହିଁ ଦାସଦାସୀ

ଘୋଡ଼ା ଗାଡ଼ି ନାହିଁ ତାର,

ତଥାପି ତା ଘର            ସୁଖର ଆଳୟ

ସୁଖୀ ତାର ପରିବାର ।

କ୍ଷେତରୁ ଲେଉଟି            ଚାଷୀ ଯେତେବେଳେ

ଶ୍ରାନ୍ତ ହୋଇ ଆସେ ଘରେ,

ପାଶେ ବସି ପତ୍ନୀ            କେତେ ଯତ୍ନ କରେ

ତୋଷେ ମିଷ୍ଟ ବଚନରେ ।

ପିତା ମାତା ପୁତ୍ର             କନ୍ୟା ଭାଇ ଭଗ୍ନୀ

ପତି ପତ୍ନୀ ସେ ଗୃହରେ,

ଆହା କି ମଧୁର            ସ୍ନେହରେ ସର୍ବଦା

ସେବନ୍ତି ସେ ପରସ୍ପରେ ।

ଧର୍ମେ-ପଥେ ରହି            ଆନନ୍ଦରେ ନିତି

ପରିଶ୍ରମ କରେ ଚାଷୀ,

ତେଣୁ ସୁଖୀ ସେହି            ନ ଥିଲେହେଁ ତାର

କୋଠାଗର ଦାସ-ଦାସୀ ।

 

ଆକବର

ଭାରତବର୍ଷରେ ପୂର୍ବେ ଯେତେ ମୁସଲମାନ ରାଜା ରାଜପଣ କରୁଥିଲେ, ସେଥିମଧ୍ୟରେ ଆକବର ସର୍ବଶ୍ରେଷ୍ଠ । ହିନ୍ଦୁ ମୁସଲମାନ ସାମନ୍ତ ପ୍ରଜାଙ୍କୁ ସେ ସମାନଭାବରେ ଦେକୁଥିଲେ । ସେ ଯୁଦ୍ଧ କରିବାରେ ମହାବୀର ଥିଲେ ଓ ପ୍ରଜାମାନଙ୍କୁ ପାଳିବା ବିଷୟରେ ବଡ଼ ଦୟାଳୁ ଥିଲେ । ସେ ପଣ୍ଡିତ, କବି, ଗାୟକ, ଚିତ୍ରକର ପ୍ରଭୃତି ଗୁଣବନ୍ତ ଲୋକଙ୍କୁ ଆଦର କରୁଥିଲେ । ପରମେଶ୍ୱରଙ୍କର ପୂଜା ଓ ସତ୍ୟନିଷ୍ଠା ତାଙ୍କ ଜୀବନର ନିତ୍ୟ ବ୍ରତ ଥିଲା । ଗରିବ ଲୋକମାନେ ତାଙ୍କ ନିକଟକୁ ଆସି ଆପଣା ଦୁଃଖ ଜଣାଇପାରୁଥିଲେ ।

 

ଆକବରଙ୍କ ବିଷୟରେ ଅନେକ ଗଳ୍ପ ଅଛି । ଗୋଟିଏ ଗଳ୍ପ ଏଠାରେ ଲେଖାଗଲା ।

ଆକବର ୧୫ ବର୍ଷ ବୟସରେ ସିଂହାସନ ଆରୋହଣ କରିଥିଲେ । ତାହାଙ୍କର ଅଳ୍ପ ବୟସ ଦେଖି ଶତ୍ରୁମାନେ ତାଙ୍କ ବିପକ୍ଷରେ ଯୁଦ୍ଧ କଲେ; କିନ୍ତୁ ସେମାନେ ହାରିଗଲେ । ବିପକ୍ଷ ଦଳର ସେନାପତି ହିମୁ ଧରାପଡ଼ି ଆକବରଙ୍କ ନିକଟକୁ ଅଣାଗଲେ ଏବଂ ବାଳକ ଆକବରଙ୍କର ରକ୍ଷକ ବୈରାମ ଖାଁ କହିଲେ, ‘‘ତରବାରି ନେଇ ଏହି ଶତ୍ରୁର ମୁଣ୍ଡ ଛେଦନ କର ।’’ ଆକବର ଉତ୍ତର କଲେ, ‘‘ଏ ବ୍ୟକ୍ତି ବର୍ତ୍ତମାନ ବନ୍ଦୀ । ଏହାର ହସ୍ତପଦ ବନ୍ଧା ଅଛି । ଯୁଦ୍ଧବେଳେ ଆଘାତ କରିବା ଅଧର୍ମ ନୁହେଁ; କିନ୍ତୁ ଏପରି ବନ୍ଦୀ ବ୍ୟକ୍ତିକୁ ଆଘାତ କରିବା ଅଧର୍ମ ।’’ ଆକବର ବାଲ୍ୟକାଳରେ ସୁଦ୍ଧା କିପରି ଭଲ ବିଚାରକ ଥିଲେ, ଏଥିରୁ ଜଣାପଡୁଅଛି ।

 

ମହାରାଣୀ ଭିକ୍‌ଟୋରିଆ

ଆମ୍ଭମାନଙ୍କ ଦେଶରୁ ବହୁ ଦୂରରେ ଇଂଲଣ୍ଡ ନାମରେ ଗୋଟିଏ ଦେଶ ଅଛି । ସେ ଦେଶର ଲୋକମାନଙ୍କୁ ଇଂଲିଶ୍‌ ବା ଇଂରେଜ କହନ୍ତି । ଇଂରେଜମାନେ ଆମ୍ଭମାନଙ୍କ ଦେଶରେ ଶାସନ କରୁଅଛନ୍ତି । ଭିକ୍‌ଟୋରିଆ ଇଂଲଣ୍ଡ ଦେଶର, ଆମ୍ଭମାନଙ୍କ ଦେଶର ଓ ଆହୁରି ଅନେକ ଦେଶର ମହରାଣୀ ଥିଲେ । ତାଙ୍କ ପରି ଭଲ ରାଣୀ ପୃଥିବୀରେ ଅତି ଅଳ୍ପ ଜନ୍ମିଅଛନ୍ତି । ୧୯୦୧ ସାଲରେ ତାଙ୍କର ମୃତ୍ୟୁ ହେବାରୁ ତାଙ୍କର ଜ୍ୟେଷ୍ଠ ପୁତ୍ର ଏଡ୍‌ଉଆର୍ଡ଼ଙ୍କ ଇଂଲଣ୍ଡ ଓ ଭାରତବର୍ଷର ରାଜା ହୋଇଥିଲେ । ୧୯୧୦ ସାଲରେ ରାଜା ଏଡ୍‌ଉଆର୍ଡ଼ଙ୍କ ମୃତ୍ୟୁ ହେବାରୁ ତାଙ୍କର ପୁତ୍ର ଜର୍ଜ ହୋଇଅଛନ୍ତି ।

 

ମହାରାଣୀ ଭିକ୍‌ଟୋରିଆ ବଡ଼ ଗୁଣବତୀ ଓ ଦୟାବତୀ ଥିଲେ । ଗରିବ ଲୋକମାନଙ୍କ ଘରକୁ ଯାଇ ସେମାନଙ୍କର ସୁଖ-ଦୁଃଖ କଥା ଶୁଣୁଥିଲେ ଏବଂ କାହାରି ଦୁଃଖର ବା ରୋଗର କଥା ଶୁଣିଲେ ତାହାକୁ ଟଙ୍କା-କଉଡ଼ି କିମ୍ବା ଔଷଧ ଓ ପଥ୍ୟ ଦେଉଥିଲେ । ଗରିବ ପିଲାମାନଙ୍କୁ ସୁନ୍ଦର ଖେଳନା ଆଣିଦେଉଥିଲେ ।

 

ମହାରାଣୀ ଭିକ୍‌ଟୋରିଆଙ୍କ ଦୟା ବିଷୟରେ ଯୋଡ଼ିଏ କଥା କହିବା । ଦିନେ ଜଣେ ଇଂରେଜ ସିପାହି ତାଙ୍କର କର୍ମ ଛାଡ଼ି ପଳାଇଯାଇଥିଲା । ପୂର୍ବେ ମଧ୍ୟ ସେ ଦୁଇଥର ପଳାଇଯାଇଥିଲା । ସିପାହି କାର୍ଯ୍ୟରୁ ବାରମ୍ବାର ପଳାଇଯିବା ଅପରାଧ ଲାଗି ଆଇନ ଅନୁସାରେ ପ୍ରାଣଦଣ୍ଡ ହେବାର ବିଧି ଥିବାରୁ ସେହି ବିଧି ଅନୁସାରେ ସେନାପତି ତାହାର ପ୍ରାଣଦଣ୍ଡ ହେବ, ଏହି ଆଜ୍ଞା ଲେଖି, ସେହି ଆଜ୍ଞାପତ୍ରରେ ମହାରାଣୀଙ୍କର ଦସ୍ତଖତ କରିବାପାଇଁ ତାଙ୍କ ନିକଟକୁ ଗଲେ । ଆଜ୍ଞା ପଢ଼ିଲାକ୍ଷଣି ମହାରାଣୀ ଅଶ୍ରୁପୂର୍ଣ୍ଣ ନୟନରେ ସେନାପଯତିଙ୍କୁ କହିଲେ, ‘‘ମୁଁ କେବଳ ପଳାଇବା ଅପରାଧ ଲାଗି ପ୍ରାଣଦଣ୍ଡ ଆଜ୍ଞା ଦେଇ ପାରିବି ନାହିଁ ।’’ ଏହି କଥା କହି ମହାରାଣୀ ‘‘ଅପରାଧ କ୍ଷମା କରାଗଲା’’ ବୋଲି ଆଜ୍ଞାପତ୍ରରେ ଲେଖିଦେଲେ ।

 

ଆଉ ଦିନେ ମହାରାଣୀ ଗାଡ଼ରେ ଭ୍ରମଣ କରୁଥିଲେ । ହଠାତ୍‌ ଗୋଟିଏ ଦୁରାତ୍ମା ମହାରାଣୀଙ୍କୁ ଲକ୍ଷ୍ୟ କରି ବନ୍ଧୁକରେ ଗୁଳି ମାଇଲା । ଗୁଳି ମହାରାଣୀଙ୍କ ଦେହରେ ନ ବାଜିବାରୁ ସେ ରକ୍ଷା ପାଇଲେ । ପ୍ରହରୀମାନେ ସେହିକ୍ଷଣି ସେ ଦୁରାତ୍ମାକୁ ଧରିପକାଇଲେ । ତାହାର ଅପରାଧର ବିଚାର ହେଲା ଓ ବିଚାରକ ତାହା ପ୍ରତି ପ୍ରାଣଦଣ୍ଡର ଆଦେଶ ଦେଲେ । କିନ୍ତୁ ମହାରାଣୀ ପ୍ରାଣଦଣ୍ଡର ଆଜ୍ଞା ରହିତ କରିଦେବାରୁ ବିଚାରକ ତାହାକୁ କଏଦରେ ରଖିବାର ଆଜ୍ଞା ଦେଲେ ।

 

ମୂଷା ଓ ବିଲେଇ

ଅଇଲାଣି ବିଲେଇ, ମୂଷା ଯିବ ପଳେଇ । ଜଣକ ଘରେ କୋଠିତଳେ ବହୁତ ମୂଷା ଥିଲେ-। ମୂଷାଗୁଡ଼ାକ ସବୁବେଳେ କଟାକଟି କରିବାରୁ ସେ ଲୋକ ଗୋଟିଏ ବିଲେଇ ପୋଷିଲା । ବିଲେଇଟି ଖାଇପିଇ ଖୁବ୍‌ ବଳୁଆ ହୋଇଗଲା ଆଉ ସବୁବେଳେ ମୂଷାଙ୍କ ଗାତ ଜଗିଲା । ତାହାର ବୋବାଳି ଶୁଣିଲେ ମୂଷାଯାକ ତରସ୍ତ ହୋଇଯାନ୍ତି । କେବେ ତାହା ରୂପ ଦେଖିଲେ ଭୟରେ ଥରହର ହୋଇ ଗାତରେ ପଶନ୍ତି । ଶେଷକୁ ତାହା ଡରରେ ମୂଷାମାନେ ଚଳିପାରିଲେ ନାହିଁ । କିପରି ସେ ବିଲେଇ ଯିବ; ସେଥିକି ଉପାୟ କରିବାପାଇଁ ଦିନେ ସବୁ ମୂଷାମାନେ ମିଶି ଗୋଟିଏ ସଭା କଲେ । ସଭାରେ କିଏ କେତେ ପ୍ରକାର କହିଲେ । ଗୋଟିଏ ଏକପ୍ରକାରେ କହିଲାବେଳକୁ ଆଉ ଏକ ତାହା କଥା କଟାଇଦେଇ ଆଉ ପ୍ରକାରେ କହେ । ଏପରିକି ତର୍କ ହେଉ ହେଉ ଶେଷରେ ଗୋଟାଏ ବଡ଼ ମୂଷା କହିଲା, ‘‘ଦେଖ, ଆମ୍ଭେମାନେ ଏ ବିରାଡ଼ିକୁ ମାରିପାରିବା ନାହିଁ । ତେବେ ଗୋଟାଏ ଉପାୟ କଲେ ଏହା ଆସିବାଟା ଜଣାପଡ଼ିଯିବ । ଏହା ବେକରେ ଗୋଟିଏ ଘଣ୍ଟି ବାନ୍ଧିଦେଲେ ଯେତେବେଳେ ଛପି ଛପି ଆସିବ, ଘଣ୍ଟି ଟିଣିଟିଣି ଶୁଣାଯିବ । ସେତେବେଳେ ଆମ୍ଭେମାନେ ଯେଝା ଗାତରେ ପଶି ସାବଧାନ ରହିବା ।’’ ଏ କଥା ଶୁଣି ଗୋଟିଏ ବୁଢ଼ା ମୂଷା କହିଲା, ‘‘କହିବା ବଡ଼ ସହଜ, କରିବା ସେହିପରି ସହଜ ନୁହେଁ । ସମସ୍ତେ କହିଦଉଛ; ବିରାଡ଼ି ବେକରେ ଘଣ୍ଟି ବାନ୍ଧିବାକୁ କିଏ ବାହାରିବ କହିଲ ?’’ ଏ କଥା ଶୁଣି ସମସ୍ତେ ସମସ୍ତଙ୍କ ମୁଖକୁ ଚାହିଁଲେ । ତାହା କରିବାକୁ କାହାରି ଦମ୍ଭ ପାଇଲା ନାହିଁ । ଏହିପରି ବିଚାର କରୁଥିବାବେଳେ ବିଲେଇଟି ଆସି ସେଠାରେ ପହଞ୍ଚିଗଲା । ତାକୁ ଦେଖିଲାକ୍ଷଣି ମୂଷାମାନେ ପ୍ରାଣଭୟରେ ଯେଝା ଗାତକୁ ପଳାଇଲେ । କହିଲାବେଳକୁ ସମସ୍ତେ ବୀର; କଲାବେଳକୁ କେହି ନୁହନ୍ତି ।

 

କୁନି

ବିଶି ପୋଷିଥିଲା            ଭଲ ପୁଷିଟିଏ

ତୁଳାପରି ତାର ଦେହ,

ଖୁଆଇ ପିଆଇ            ନିତି ତାକୁ ସେହି

କରୁଥାଏ କେତେ ସ୍ନେହ ।

ଆଉଁସି ଦିଅଇ            ତା କୋମଳ ଅଙ୍ଗ

କୋଳରେ ବସାଇ ସୁଖେ,

ମ୍ୟାଉଁ ମ୍ୟାଉଁ କରି            ଛୁଇଁ ସେ ପକାଏ

ନ ଡରି ତାହାର ମୁଖେ ।

ଘାଗୁଡ଼ିର ମାଳେ            ତା ଗଳାରେ ଥାଏ

ଡାକିଦେଲେ, ‘କୁନି’ ବୋଲି,

ଝୁମୁରୁ ଝୁମୁରୁ            ହୋଇ ମିଳେ ପାଶେ

କି ରଙ୍ଗେ ଲାଞ୍ଜକୁ ତୋଳି ?

ଖାଇବାବେଳରେ            ଦୁଧଭାତ ଗୋଳି

ଆଗେ ତାକୁ ଦିଏ ବିଶି,

କେଡ଼େ ଆହ୍ଲାଦରେ            ଖାଇଦେଇ ସେହି

ସଙ୍ଗେ ଯାଉଥାଏ ମିଶି ।

ଶୋଇବା ଆଗରୁ            ଧାଇଁଯାଇ କୁନି

ତୁନି ହୋଇ ଶୋଇପଡ଼େ,

ମୁଚୁଳା ଉପରୁ            ତଡ଼ିଦେଲେ ତାକୁ

ବସେ ଆସି ଛାତିପରେ ।

ଗାଧୋଇବାବେଳେ            ଧୋଇ ମାଜି ବିଶି

ଛାଡ଼ିଦିଏ ତାକୁ କୂଳେ,

ଝାଡ଼ି ଦେଇ ଦେହ            ଚାଟି ସୁଖେ ପୁଷି

ପିଠିକି ଫୁଲାଇ ଫୁଲେ ।

ଛାଇପରି ନିତି            ଚାଲିଥାଏ ପଛେ

ଯେଣେ ବିଶି ଯାଉଥାଏ,

ଅଳପେ ତା ପଦ            ଚାଟୁଥାଏ ସ୍ନେହେ

ନିଶପଟ ଖାଡ଼ା ଥାଏ ।

ଖାଇବା ଦରବ            ଦେଖାଇଲା ହାତୁ

ଆଗ ଗୋଡ଼େ ନିଏ ମାରି,

ଦଣ୍ଡେ ନ ଦେଖିଲେ            ବିଶିକି ସେ ପୁଷି

ହୁଏ ଆହା କେତେ ଘାରି ।

ମ୍ୟାଉଁ ମ୍ୟାଉଁ ବୋଲି      ଏଣେତେଣେ ବୁଲି

ଖୋଜୁଥାଏ ତା ପ୍ରିୟାକୁ,

ପଶୁ ହୋଇ ସୁଦ୍ଧା            ସଙ୍ଗ-ସ୍ନେହଗୁଣେ

ବଳିଯାଏ ମନୁଷ୍ୟକୁ ।

 

ପିମ୍ପୁଡ଼ି

ଶ୍ୟାମ – ରାମ, ତୁ ପିମ୍ପୁଡ଼ି ଦେଖିଛୁ ପରା ? କହିଲୁ ଭଲା, ତାହାର କେତେଟା ଗୋଡ଼ ? ଆଉ ସେଥିରେ କଣ କରନ୍ତି ?

 

ରାମ – ପିମ୍ପୁଡ଼ିର ଛଅଟା ଗୋଡ, ମୁଁ ଜାଣେନାହିଁ କଣ କରନ୍ତି ? ସେଥିରେ ସେ ଗାତ ଖୋଳି ଟିକି ଟିକି ମାଟି ବା ଧୂଳି ଆଣି ଦୂରକୁ ଫିଙ୍ଗିଦିଏ ।

 

ଶ୍ୟାମ – କେତେ ପ୍ରକାର ପିମ୍ପୁଡ଼ି ଭଲା ତୁ ଦେଖୁଛି ?

ରମ – ମୁଁ ତ ଖାଲି ଏହି ନାଲି ପିମ୍ପୁଡ଼ିଗୁଡ଼ାକ ସବୁଠାଇଁ ଦେଖୁଛି-। ଆଉ କି ଜାତି ପିମ୍ପୁଡ଼ି ଅଛନ୍ତି କି-?

 

ଶ୍ୟାମ – ଆରେ କଳା ପିମ୍ପୁଡ଼ି ଦେଖିନାହୁଁ ?-ଏଗୁଡ଼ାକୁ ତ କାମୁଡ଼ନ୍ତି । କଳା ପିମ୍ପୁଡ଼ି କାମୁଡ଼ିବେ କି ?-ଦେହରେ ଚାଲିଗଲେ ଖାଲି ସଲସଲ ଲାଗେ । ତୁ ପିମ୍ପୁଡ଼ିଙ୍କ ଘର ଦେଖିଛୁ ?

 

ରାମ – କଣ, ପିମ୍ପୁଡ଼ି ବସା ମୁଁ ଦେଖିନାହିଁ ? କାନ୍ଥରେ, କାନ୍ଥମୂଳରେ ବା ପିଣ୍ଡାରେ, ତଳେ ଗାତ କରି ମନ୍ଦା ମନ୍ଦା ହୋଇ ରହିଥାନ୍ତି । ଚରିଆଡ଼ୁ ଖୁଦ କୁଣ୍ଡା ଆଦି ଆହାର ଘେନି ସେହି ଆଡ଼କୁ ଧାଡ଼ିବାନ୍ଧି ଚାଲିଥାନ୍ତି ।

ଶ୍ୟାମ – ସେ ବାଟରେ ନ ଖାଇ କାହିଁକି ଘରକୁ ନିଅନ୍ତି, କହିଲୁ ?

 

ରାମ –ଯେୁଉଁଠି ସେ ଆହାର ପାଆନ୍ତି, ଯାହା ଖାଇବାର ଖାଇ ବାକି ଘରେ ସାଇତି ରଖିବା ପାଇଁ ନେଉଥାନ୍ତି, କେତେବେଳେ ଭଲମନ୍ଦରେ ସେ କାମକୁ ଆସିବ । ପିମ୍ପୁଡ଼ିଙ୍କର ଘରକରଣା ବୁଦ୍ଧି କମ୍ କି ? ଲୋକେ ତାଙ୍କପରି କରୁଥିଲେ କେଡ଼େ ସୁଖରେ ରହୁଥାନ୍ତେ ।

ଶ୍ୟାମ – ପିମ୍ପୁଡ଼ିଗୁଡ଼ାକ ତ ଅତି ଛୋଟ ଜୀବ; ତାଙ୍କ ପ୍ରାଣ ମୁହୂର୍ତ୍ତକୁ ନାହିଁ । ତାଙ୍କୁ ଯେ ପୋକ ଆସି ମାରିଦେବ ।

 

ରାମ – ଆରେ, ଖୁବ୍‌ ତୁ ଜାଣିଛୁ ? ତାଙ୍କ ମେଳିକୁ କିଏ ପାରିବ ? ବଡ଼ ପୋକଟାଏ ଆସୁ, ବିଛାଟାଏ ଆସୁ ବା ସାନ ସାପଟାଏ ଆସୁ । ତାଙ୍କ ମନ୍ଦା ପାଖରେ ପଡ଼ିଲେ ସମସ୍ତେ ବେଢ଼ି ତାକୁ ଏପରି କାମୁଡ଼ିଧରନ୍ତି, ସେ ଆଉ ଚଳିପାରେ ନାହଁ । ପଛକୁ ଛଟପଟ ହୋଇ ତାଙ୍କରି ହାତରେ ମରେ । ଆପଣା ଭିତରେ ମେଳ ଥିଲେ ଯ଼େତେ ବଡ ଆସିଲେ କଣ କରିବ ?

ଶ୍ୟାମ – ରାମ, ପିମ୍ପୁଡ଼ି କେଉଁ ସମୟରେ ବେଶି ଦେଖୁ, କହିଲୁ ଭଲା ?

 

ରାମ – ଖରାଦିନରେ ପିମ୍ପୁଡ଼ି ଗାତରୁ ବେଶି ବାହାରନ୍ତି । ସେତିକିବେଳେ ବହୁତ ଶ୍ରମ କରି ଆହାର ପା’ନ୍ତି । ଯାହା ସାଇତି ରଖିଥାନ୍ତି, ତାକୁ ଶୀତଦିନରେ ଗାତ ଭିତରେ ଖାଉଥାନ୍ତି । ଶୀତଦିନରେ ସେମାନେ ଆଉ ପଦାକୁ ବାହାରିପାରନ୍ତି ନାହିଁ । ପିମ୍ପୁଡ଼ି ପରି କାମ କରି ଶିଖିଥିଲେ ସବୁଥିରେ ଯଶ ମିଳନ୍ତା ।

 

ବାଟରେ ବାଘର ଭେଟ

ଜଣେ ବାଟୋଇ କୌଣସି ଅଞ୍ଚଳରେ ଯାଉ ଯାଉ ବାଟରେ ସନ୍ଧ୍ୟା ହୋଇଗଲା । ସେ ଯେତେବେଳେ ଜଙ୍ଗଳ ପାଖରେ ହେଲେ, ଦୂରରୁ ଗୋଟିଏ ବାଘ ଛକି ଛକି ଯାଉଥିବାର ଦେଖିଲେ-। ବାଘ ଖଣ୍ଡେ ଦୂରରେ ଆଗରେ ଠିଆହୋଇ ବାଟ ଓଗାଳିଲା । ବାଟୋଇ ଆଉ କିଛି ଉପାୟ ନ ଦେଖି ଆପଣା ଛତାଟା ତାହା ଆଡ଼କୁ ଧରି ତାହା ପାଖକୁ ଖୁବ୍‌ ଦମ୍ଭରେ ମାଡ଼ିଗଲେ ଏବଂ ବାଘମୁହଁକୁ ଦେଖାଇ ଛତାଟି ଫଡ଼କରି ଟାଣିଦେଲେ । ସେ ଛତାଟଣା ଶବ୍ଦ ଶୁଣି ଆଉ ହଠାତ୍‌ କଅଣ ଗୋଟାଏ ଫର୍ଚ୍ଚା ହୋଇଯିବାର ଦେଖି ବାଘ ଭୟରେ ସେଠାରୁ ପଳାଇଗଲା । ବାଟୋଇ ବୁଦ୍ଧିବଳରେ ପ୍ରାଣ ପାଇ ଗ୍ରାମକୁ ଚାଲିଗଲେ ।

 

ଗଡ଼ଜାତରେ ଦିନେ ଜଣେ ଲୋକ ରାତିଅଧରେ ଘରୁ ବାହାରକୁ ଆସିଥିଲା । ଏହି ସମୟରେ ସେ ଗୋଟାଏ ମହାବଳ ବାଘ ହାବୁଡ଼ରେ ପଡ଼ିଲା । ବାଘ ତାକୁ ଏକା ଦେଖି ଧକ୍‌କାଏ ମାରନ୍ତେ ସେ ତଳେ ପଡ଼ି ମୂର୍ଚ୍ଛାଗଲା । ତହୁଁ ବାଘ ତାକୁ ଗୋଟାଏ ଆଗ ଗୋଡ଼ରେ ଜାକି ତିନିଟା ଗୋଡ଼ରେ ଠୁକେଇ ଠୁକେଇ ଧାଇଁଲା । କିଛି ବାଟ ଗଲାପରେ ଲୋକର ଚେତା ହେଲା । ବାଘ ତାକୁ ଘୋଷାରି ନେଇଯାଉଛି ଜାଣି ସେ କିଛି ହଲଚଲ ନ ହୋଇ ଧୀରେ ଆଖି ଫିଟାଇ ଆଗେ ସ୍ଥାନଟା ବାରିନେଲା । ଯେତେବେଳେ ସେ ଆଗରେ ଗୋଟାଏ ଅଳ୍ପ ଓସାରିଆ ଖମା ଅଛି ବୋଲି ଜାଣିପାରିଲା ସେତେବେଳେ ଏକ ବୁଦ୍ଧି ପାଞ୍ଚିଲା । ବାଘ ଯେପରି ସେ ଖମା ପାଖରେ ହେଲା, ସେ ଲୋକଟି ସେହିକ୍ଷଣି ଡାହାଣ ହାତ ମୁଠାକଲା ଏବଂ ସେ ଖମା ଡେଇଁଲାବେଳେ ତାହା ନାହିମୁଣ୍ଡାକୁ ଦେଖାଇ ଏପରି ଏକ ମୁଥ ଟାଣରେ ମାରିଲା ଯେ ବାଘ ହଠାତ୍‌ ତାକୁ ଛାଡ଼ିଦେଇ ଖଣ୍ଡେଦୂର ହଟିଗଲା । ଏହି ସମୟରେ ସେ ଳୋକଟି ଖମା ଭିତରେ ଲମ୍ବହେଇ ଶୋଇପଡ଼ିଲା । ବାଘ ଫେରିଆସି ଯେତେ ଚେଷ୍ଟାକଲା, ସେଠାରୁ ଆଉ ମନୁଷ୍ୟକୁ କାଢ଼ିନେଇ ପାରିଲାନାହିଁ । ତହୁଁ ସେ ତାହାକୁ ଛାଡ଼ି ସେଠାରୁ ଆଉ ଅନ୍ୟ ଆଡ଼କୁ ପଳାଇଲା । କିଛି ସମୟ ପରେ ଲୋକଟି ସେଠାରୁ ଉଠି ଚାରିଆଡ଼କୁ ଚାହିଁ ଧୀରେ ଧୀରେ ଘରକୁ ପଳାଇଆସିଲା ।

 

ଆଉ ଦିନେ ଜଣେ ବାଟୋଇ ଖଣ୍ଡିଏ ବାଡ଼ି ଧରି ନଈବନ୍ଧରେ ଯାଉଥିଲେ । କିଛିଦୂର ଯାଇ ଦେଖିଲେ ଯେ ଗୋଟାଏ ବାଘ ତାଙ୍କୁ ଛକି ଛକି ତଳେ ଯାଉଅଛି । ବାଟୋଇ ବଡ଼ ନିର୍ଭୟ ଲୋକ । ସେ ଯେତେ ବାଡ଼ି ଠକ୍‌ ଠକ୍‌ କଲେ ବା ତାଳି ମାରିଲେ, ସେଥିକି ବାଘ କାନ ନଦେଇ ସେହିପରି ଚାଲୁଥାଏ । ତହୁଁ ବାଘମୁହଁରୁ ବଞ୍ଚିବାର ଆଉ କୌଣସି ବାଟ ନ ଦେଖି ସେ ଏକ ବୁଦ୍ଧି ପାଞ୍ଚିଲେ । ତାଙ୍କ ମୁଣ୍ଡରେ ଗୋଟିଏ ଲୁଗାରେ ଠେକା ବାନ୍ଧିଥିଲେ । ତାକୁ ଫିଟାଇ ଆପଣା ବାନି ମୁଣ୍ଡରେ ସେହିପରି ଗୁଡ଼ାଇ ମନୁଷ୍ୟମୁଣ୍ଡ କରି ଖଣ୍ଡଦୂର ଚାଲିଲେ । ବାଘ ମନୁଷ୍ୟମୁଣ୍ଡ ଭାବିବ ବୋଲି ବାଡ଼ି ଟେକି ଟେକି ଯାଉଥାନ୍ତି । ବାଘ ଯାଉ ଯାଉ ମଝିରେ ଟିକିଏ ବୁଲିପଡ଼ୁଥାଏ । ଏହିପରି ବେଳ ଦେଖି ସେ ଠାଏ ଗୋଟିଏ ଫାଟରେ ବାଡ଼ିଖଣ୍ଡି ଝଟ୍‌ ପୋତିଦେଇ ବନ୍ଧ ଆରପାଖରେ ତଳକୁ ଖସିପଡ଼ିଲେ ଏବଂ ପଦଶବ୍ଦ ହେବା ଭୟରେ ଅଗଟିପରେ ଚାଲି ବଗରେ ଦୂରକୁ ପଳାଇ ଆସିଲେ । ଗ୍ରାମ ପାଖ ହେବା ଦେଖି ଡାକ ପକାଇବାରୁ ଗ୍ରାମଲୋକେ ହୋ-ହୋ କରି ସେଠାରେ ଚାହୁଁ ଚାହୁଁ ରୁଣ୍ଡ ହୋଇଗଲେ । ବାଘ ସେ ପାଟି ଶୁଣି କୁଆଡ଼େ ପଳାଇଗଲା । ପରେ ସେଠାକୁ ଯାଇ ଦେଖିଲେ ବାଘ ସେ ବାଡ଼ି ଉପରେ ଗୁଡ଼ା ହୋଇଥିବା ଲୁଗା ଖଣ୍ଡିକ ଟିକିଟିକି କରି ଚିରପକାଉଛି ।

ବୁଦ୍ଧି ଆଉ ସାହସ ଥିଲେ ବିପଦରୁ ଏହିପରି ରକ୍ଷା ମିଳେ ।

 

ଦୁଇ ବନ୍ଧୁ ଓ ଭାଲୁ

ଗୋଟିଏ ଗ୍ରାମରୁ ଦୁଇଜଣ ବାହାରି ଏକସଙ୍ଗରେ କେଉଁଠାକୁ ଯାଉଥିଲେ । କିଛିଦୂର ଗଲାପରେ ଜଙ୍ଗଲ ବାଟ ପଡ଼ିଲା । ସେ ଜଙ୍ଗଲରେ ଭାଲୁ ଥିବାରୁ ସେ ବାଟରେ ଏକା କେହି ଯିବାକୁ ସାହସ କରନ୍ତି ନାହିଁ । କେତେବେଳେ ଭାଲୁ ଆସି ବାଟୋଇ ଉପରେ ବଡ଼ ଦାଉ କରେ । ଏ ଦୁଇ ବନ୍ଧୁ ଯାଉ ଯାଉ ଦେଖିଲେ ଦୂରରୁ ଗୋଟିଏ ଭାଲୁ ତାଙ୍କ ଆଡ଼କୁ ଆସୁଛି । ତାକୁ ଦେଖିଲାକ୍ଷଣି ଭୟରେ ଦୁହିଁଙ୍କର ଛାତି ଦପ୍‌ଦପ୍‌ ପଡ଼ିଲା, ଆଉ କିଛି ବୁଦ୍ଧି ଦିଶିଲା ନାହିଁ । ଜଣେ ସାହସ କରି ହଠାତ୍‌ ଗୋଟାଏ ଗଛରେ ଚଢ଼ିଗଲା । ଆରଜଣକ ଆଉ କିଛି କରିବାକୁ ବାଟ ନ ପାଇ ସେହିଠାରେ ଚିତ୍‌ହୋଇ ଶୋଇପଡ଼ିଲା । ଭାଲୁ ପାଖକୁ ଆସିବାରୁ ଏକାବଳକେ ନିଶ୍ୱାସ ବନ୍ଦ କରି ଆଖିବୁଝା ମଲାପରି ରହିଲା । ଭାଲୁ ଆସି ଆଗେ ତାହା ଚାରିପାଖରେ ଥରେ ଥରେ ବୁଲି ଦେଖିଲା; ତହିଁ ଉତ୍ତାରେ ତାହାର ନାକ, ମୁହଁ, ଆଖି ଓ ଛାତି ସବୁ ଥରେ ଥରେ ଶୁଙ୍ଘିଗଲା । ସେତେବେଳକୁ ଗଛରେ ଥିବା ଲୋକଟି ଭୟରେ ଥରହର ହୋଇ ତାହାକୁ ଏକଆଖିରେ ଚାହିଁରହିଥାଏ । ତାହା କାନ ପାକରେ ବହୁତ ବେଳଯାଏ ମୁହଁ ରଖି ଭାଲୁର ଯେତେବେଳେ ହୃଦ୍‌ବୋଧ ହେଲା ଯେ ଏ ମନୁଷ୍ୟଟା ମରିଯାଇଛି, ସେତେବେଳେ ତାକୁ ଛାଡ଼ି ସେଠାରୁ ଆଉ ଆଡ଼କୁ ଚାଲିଗଲେ ।

 

ଭାଲୁ ଦୂରକୁ ଚାଲିଯିବା ପରେ ବନ୍ଧୁ ଗଛରୁ ଓହ୍ଲାଇ ଆସି ପଚାରିଲା, ‘‘ଭାଇ ! ଭାଲୁ ତୁମ୍ଭ କାନ ପାଖରେ ବହୁତ ବେଳଯାଏ ମୁହଁ ରଖିଥିଲା; କ’ଣ କହୁଥିଲା କି ?’’ ବନ୍ଧୁ ଦମ୍ଭରେ ଠିଆହୋଇ ଉତ୍ତର ଦେଲା, ‘‘ଭାଲୁ ଏହା କହୁଥିଲା, ଆପଦ ପଡ଼ିଲେ ଯେ ପାଖରୁ ଛାଡ଼ି ପଳାଏ, ତାକୁ ବନ୍ଧୁ କହନ୍ତି ନାହିଁ ।’’

 

ଠକକୁ ଠକ ଜିତେ

ଗୋଟିଏ ଦେଶରେ ଜଣେ ବଡ଼ ସୌଦାଗର ଥିଲା । ସେ ମଲାପରେ ପୁଅଟି ଅଯୋଗ୍ୟ ଥିବାରୁ ଆଉ ଧନ ବଢ଼ାଇବ କଣ, ସବୁତକ ସାରିବସିଲା । ଶେଷକୁ ତାର ପୌତୃକ ସମ୍ପତ୍ତି ମଧ୍ୟରୁ ଖାଲି ବଡ଼ ଲୁହାଦଣ୍ଡଟିଏ ଘରେ ପୋତିଥିଲା । ସେ ଧନ ଅର୍ଜିବା ପାଇଁ ବିଦେଶକୁ ଯିବା ସ୍ଥିରକରି ସେହି ଦଣ୍ଡିଟାକୁ ଗୋଟିଏ ଚିହ୍ନା ମହାଜନ ଘରେ ଜମା ରଖିଦେଇ ଗଲା । ବହୁତ ଦିନ ପ୍ରବାସରେ ରହି ଯେତେବେଳେ ସେ ଦେଶକୁ ଫେରିଆସି ମହାଜନକୁ ସେ ଲୁହାଦଣ୍ଡିଟା ମାଗିଲା, ସେ କହିଲା –‘‘ଭାଇ, କଣ କହିବି! କୋଠିତଳେ ତାକୁ ରଖିଦେଇଥିଲି, ମୂଷା ଖାଇଗଲେ ।’’ ସେ ସୌଦାଗରପୁଅ ଏ କଥା ଶୁଣି ମନକଥା ମନରେ ରଖି କହିଲା, ‘‘ମହାଜନ, ଯେବେ ମୂଷା ଖାଇଗଲେ ତୁମ୍ଭର ଦୋଷ କ’ଣ ? ହଉ, ଯାହା ହେବାର ହେଲାଣି । ଏ ସଂସାରରେ କିଛି ଚିର ନୁହେଁ । ଏବେ ମୁଁ ନଦୀକୁ ସ୍ନାନ କରିବାକୁ ଯିବି. ତୁମ୍ଭ ପୁଅଙ୍କୁ ଟିକିଏ ମୋହ ସଙ୍ଗରେ ପଠାଅ; ଲୁଗା, ଗାମୁଛା ଆଉ ତେଲ ଧରି ଆସିବ ।’’ ଚୋର ମନ ତ ଗଣ୍ଠିରେ । ମହାଜନ ଏହା ଶୁଣି ଚୋରିଯିବା ଭୟରେ ପୁଅକୁ ଡାକି କହିଲା –‘‘ବାବୁ, ତୋହର ଏ ଖୁଡ଼ୁତା ହେବେ ! ଏହାଙ୍କ ସଙ୍ଗରେ ନଦୀକୁ ଯାଅ ।’’ ତହୁଁ ସୌଦାଗର ସେ ପିଲା ସାଙ୍ଗରେ ଯାଇ ନଦୀରେ ଆପଣାର ସ୍ନାନ ବଢ଼ାଇଲା । ମହାଜନ ତାକୁ ମିଛ କହି ଠକିଥିଲା ବୋଲି ଆପେ ସେହିପରି ଠକିବାକୁ ଏକ ଫିକର ବାହାର କଲା । ସ୍ନାନସାରି ନଦୀକୂଳରେ ଥିବା ଗୋଟିଏ ଖୋଲରେ ସେ ଶିଶୁଟିକୁ ଶୁଆଇ ଦେଇ ତାହା ମୁହଁରେ ଗୋଟାଏ ପଥର ଘୋଡ଼ାଇଦେଇ ଆସିଲା । ମହାଜନ ତାକୁ ଏକା ଆସିବାର ଦେଖି ହଠାତ୍‌ ଶଙ୍କାରେ ପଚାରିଲା –‘‘ମୋ ପୁଅ ତୁମ୍ଭ ସଙ୍ଗରେ ଯାଇଥିଲା, କାହିଁ ଗଲା ?’’ ସୌଦାଗର କହିଲା –‘‘ହେ ମହାଜନ, କ’ଣ କହିବି, ବଡ଼ ଆଚମ୍ବିତ କଥା, ମୁଁ ନଦୀରେ ସ୍ନାନ କରୁଥିଲି, ଚାହୁଁ ଚାହୁଁ କାହୁଁ ଗୋଟାଏ ଛଞ୍ଚାଣ ଆସି ଚିଲାମାରି ତାହାକୁ ଘେନି ଚାଲିଗଲା ।’’ ମହାଜନ ଏ କଥା ଅସମ୍ଭବ ବିଚାରି କହିଲା, ‘‘ତୁମେ ବଡ଼ ମିଛୁଆ, ଛଞ୍ଚାଣଟାଏ କାହୁଁ ପିଲାଟିଏ ନେଇପାରିବ ! ଏବେ ସେ ମିଛ ଛାଡ଼ିଦିଅ, ମୋ ପୁଅଟି ଚଞ୍ଚଳ ଦିଅ; ନୋହିଲେ ମୁଁ ରାଜଦ୍ୱାରରେ ଏହା ଜଣାଇବି ।’’ ସୌଦାଗର କହିଲା, ‘‘ଯେବେ ପୁଅକୁ ପାଇବ, ତେବେ ମୋର ସେହି ଲୁହାଦଣ୍ଡିଟା ଚଞ୍ଚଳ ଦିଅ ।’’ ଏହିପରି ଦୁହେଁ କଳହ କରି ବିଚାରାଳୟକୁ ଗଲେ । ସେଠାରେ ମହାଜନ ବଡ଼ ପାଟିକରି କହିଲା‘‘ହେ ଧର୍ମାବତାର ! ଏ ଚୋର ମୋହର ପୁଅକୁ ନେଇଯାଇ ଦେଉନାହିଁ ।’’ ତାହା ଶୁଣ ବିଚାରପତିମାନେ ସୌଦାଗରକୁ କହିଲେ, ‘‘ଏହାର ପୁଅକୁ କାହିଁକି ଦେଉନାହିଁ ? ଚଞ୍ଚଳ ଆଣିଦିଅ, ନୋହିଲେ ଉଚିତ ଦଣ୍ଡଭୋଗ କରିବ ।’’ ସୌଦାଗର ବିନୟରେ କହିଲା –‘‘ହେ ଧର୍ମାବତାର ! ମୋହର କିଛି ଦୋଷ ନାହିଁ । ମୁଁ ଗାଧୋଉଥିଲି, କାହୁଁ ଛଞ୍ଚାଣଟାଏ ଆସି ପିଲାଟିକୁ ଝାମ୍ପିନେଇ ଚାଲିଗଲା ।’’ ବିଚାରପତିମାନେ ଏ କଥା ଅସମ୍ଭବ ଜାଣି ପୁଣି କହିଲେ –‘‘ଶ୍ୟେନପକ୍ଷୀଟାଏ କେଉଁଠି ମନୁଷ୍ୟ ଶିଶୁଟାକୁ ନେଇ ପାରିବ ? ତୁମେ ସତ୍ୟ କହୁନାହଁ ।’’ ସୌଦାଗର ହାତଯୋଡ଼ି କହିଲା – ମୂଷାମାନେ ଗୋଟାଏ ବଡ଼ ଲୁହାଦଣ୍ଡିକି ଖାଇପାରନ୍ତି, ସେ ରାଜ୍ୟର ଶ୍ୟେନପକ୍ଷୀ ଶିଶୁକୁ ହରିନେବା କିଛି ଆଶ୍ଚର୍ଯ୍ୟ ନୁହେଁ ।’’ ସେମାନେ ଏପରି କଥା ଶୁଣିବାରୁ କିଛି ବୁଝି ନ ପାରି ସମସ୍ତ କଥା ମୂଳରୁ କହିଯିବାପାଇଁ ସୌଦାଗରକୁ ଆଜ୍ଞାଦେଲେ । ସେ ଆପଣାର ଦଣ୍ଡିକୁ ମହାଜନ ଜିମା ଦେବା ଦିନଠାରୁ ସମସ୍ତ କଥାଯାକ କହିଗଲା । ବିଚାରପତିମାନେ ଏହା ଶୁଣି ଦୁହିଁଙ୍କୁ ବୁଝାଇଦେଇ ଦଣ୍ଡିକୁ ଆଣିବାକୁ ଆଦେଶ ଦେଲେ । ତହୁଁ ସୌଦାଗରକୁ ଦଣ୍ଡି ଏବଂ ମହାଜନକୁ ତାହାର ପୁଅକୁ ଦିଆଇ ବିବାଦ ମୀମାଂସା କରିଦେଲେ । ଶଠ ମହାଜନକୁ ଶାଠରେ ସୌଦାଗର ଜିତିଗଲା ।

 

ବାଳକର ସାହସ

କୌଣସି ଦେଶର ରାଜାଙ୍କର ଗୋଟିଏ ପୁଅ ହୋଇଥିଲା । ପିଲାଦିନରୁ ତାର ସାହସ ଦେଖି ଲୋକେ ଭୟ କରୁଥିଲେ । ତାକୁ ଯେବେ କେହି କହିଦିଏ, ‘‘ତୁ କ’ଣ ଯୁଦ୍ଧ କରିପାରିବୁ କି ?’’ ସେ ସେହିକ୍ଷଣି ଟାଣରେ କହେ, ‘‘ମୁଁ ନିଶ୍ଚୟ ବଡ଼ ବଡ଼ ରାଜାଙ୍କ ସଙ୍ଗେ ଯୁଦ୍ଧ କରିବି ଆଉ ତାଙ୍କୁ ହଟାଇ ଦେବି ।’’ ତାକୁ ଯେତେବେଳେ ଚୌଦ ବର୍ଷ ବୟସ, ସେତେବେଳେ ଗୋଟାଏ ବଡ଼ କଳା ଘୋଡ଼ା ବିକ୍ରି ହେବାକୁ ଆସିଥିଲା । ରାଜା ତାହାର ବହୁତ ଦାମ୍‌ ଶୁଣି, ଆଗେ କିପରି ସେ ଦୌଡ଼ୁଛି ଦେଖିବା ପାଇଁ ଆପଣାର ସର୍ଦ୍ଦାରମାନଙ୍କୁ ଆଜ୍ଞାଦେଲେ । ମାତ୍ର ସେ ଘୋଡ଼ାଟା ଏଡ଼େ ଅସାଧ୍ୟ ଯେ ତାକୁ ମଣ କରିବା ତେଣିକି ଥାଉ, ତାହା ଉପରେ କେହି ବସି ପାରିଲେ ନାହିଁ । ତହୁଁ ରାଜା ସେ ଘୋଡ଼ାଟିକୁ ଫେରାଇ ଦେବାକୁ ଆସିଲେ ଏହା ଦେଖି ସେ ବାଳକ ରାଜପୁତ୍ର ପିତାଙ୍କୁ କହିଲେ, ‘‘ଏଡ଼େବଡ଼ ସୁନ୍ଧର ଘୋଡ଼ାଟାକୁ ଛାଡ଼ିଦେବେ ? କେହି ଯେବେ ମଣ କରି ନ ପାରିଲେ ତାହାହେଲେ ମୁଁ ଏହା ଉପରେ ଚଢ଼ିବି ।’’

 

ରାଜା ପୁତ୍ରର ଏପରି ସାହସ ଦେଖି ମନେ ମନେ ବିରକ୍ତି ହୋଇ କହିଲେ, ‘‘ତୋହଠାରୁ ବଳିଆର ଲୋକ ପାରିଲେ ନାହିଁ, ତୁ ଏହାକୁ ମଣ କରିଦବୁ ?’’ ବାଳକ ଟିକିଏ ଗମ୍ଭୀର ହୋଇ କହିଳେ, ମୁଁ ନିଶ୍ଚେ ଏହାକୁ ମଣ କରିଦେବି । ନ ପାରିଲେ ଏ ଘୋଡ଼ା ଦାମ୍‌ ଛାଡ଼ିଯିବି ।’’ ସମସ୍ତେ ଏ କଥା ଶୁଣି ଅବାକ୍‌ ହୋଇଗଲେ ଏବଂ କଣ ହେବ ଦେଖିବାକୁ ତକାଇ ରହିଲେ । ଉପରଓଳି ରାଜପୁତ୍ର ସେ ଘୋଡ଼ାକୁ ସୂର୍ଯ୍ୟ ଆଡ଼କୁ ମୁହଁ କରାଇ ଠିଆକଲେ । ପିଲାଦିନୁ ସେ ଏକଥା ଜାଣିଥିଲେ ଯେ ବଡ଼ ବଡ଼ ଜନ୍ତୁ ଆପଣା ଛାଇ ଦେଖିଲେ ଡରନ୍ତି । ତହିଁଉତ୍ତାରେ ଧୀରେ ଧୀରେ ତାହା ମାରୁ ମାରୁ ହଠାତ୍‌ ଉହୁଙ୍କି ତାହା ପିଠିରେ ବସିଗଲେ । ଏକ ଛାଟ ମାରନ୍ତେ ଘୋଡ଼ା ତୀରପରି କୁଆଡ଼େ ଉଡିଗଲା । ସେ ବାଟରେ ତାଙ୍କୁ ଯେତେ ପିଠିରୁ ପକାଇଦେବାକୁ ବସିଲା, କୌଣସି ପ୍ରକାରେ ପାରିଲା ନାହିଁ । ମୁହୂର୍ତ୍ତକ ଭିତରେ ବାଳକ ସହର ଚାରିପାଖ ବୁଲିଆସି ପିତାଙ୍କ ନିକଟରେ ଆସି ପହଞ୍ଚିଲେ ଏବଂ ଏକାଡ଼ିଆଁକେ ଯାଇ ତଳେ ଠିଆ ହେଲେ । ସମସ୍ତେ ବାଳକାର ଏପରି ଅଭୁତ ସାହସ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ରାଜା ବଡ଼ ଖୁସି ହୋଇ ସେହି ଘୋଡ଼ାଟିକୁ ପୁତ୍ରକୁ ପୁରସ୍କାର ଦେଲେ; ଆଉ ପୁଅର ମୁଣ୍ଡ ଆଉଁସି ଆଉଁସି କହିଲେ, ‘‘ବାବୁ ! ତୁ ମୋହଠାରୁ ବହୁତ ବଡ଼ ହେବୁ । ତୋତେ ଏ ରାଜ୍ୟ ବଡ଼ ସାନ ଦିଶିବ ।’’ ପ୍ରକୃତରେ ସେହି ବାଳକ ପଛେ ମହାବୀର ହୋଇଥିଲେ ଏବଂ ବହୁତ ରାଜ୍ୟ ଜୟ କରିଥିଲେ ।

 

ସତ୍ୟବ୍ରତ

ବାଳକେ ମୋର ବୋଲ କର,

ସତ୍ୟ ପାଳିବ ନିରନ୍ତର ।

 

ସତ୍ୟ ଅଟଇ ଶ୍ରେଷ୍ଠ ଧର୍ମ

ସତ୍ୟ-ପାଳନ ଶ୍ରେଷ୍ଠ କର୍ମ ।

 

ବ୍ରହ୍ମାଣ୍ଡ ମଧ୍ୟେ ସତ୍ୟ ସାର,

ସତ୍ୟ ହିଁ ଏକା ବଳିଆର ।

 

ପିତା-ମାତାଦି ବନ୍ଧୁଜନ,

ଐଶ୍ୱର୍ଯ୍ୟପୂର୍ଣ୍ଣ ଏ ଭୁବନ ।

 

ଆବର ଗୁରୁ ଶାସ୍ତ୍ରବାଣୀ,

ସକଳ ଠୁଳ କର ଆଣି ।

 

ତଥାପି ସତ୍ୟଠାରୁ ସର୍ବେ,

ନିଊନ ହେବେଟି ଗୌରବେ ।

 

ନିଶ୍ଚେ ସତ୍ୟର ହେବ ଜୟ,

ଏଥିରେ ନ କର ସଂଶୟ ।

 

ମିଥ୍ୟା ତେଜିବ ସର୍ବକ୍ଷଣେ,

ସତ୍ୟ ସେବିବ ସଯତନେ ।

 

ସତ୍ୟ-ଚିନ୍ତନ ସତ୍ୟ ବାଣୀ,

ସତ୍ୟ-ସାଧନ ସାର ଜାଣି ।

 

ଧନ୍ୟ କର ହେ ଏ ଜୀବନ,

ବୋଲନ୍ତି ସର୍ବ ସାଧୁଜନ ।

 

ଭାରତବର୍ଷ

ପୃଥିବୀ ମଧ୍ୟରେ ଆମ୍ଭମାନଙ୍କର ଜନ୍ମଭୂମି ଭାରତବର୍ଷ ଗୋଟିଏ ବଡ଼ ଦେଶ । ପୃଥିବୀ ମଧ୍ୟରେ ସବୁଠାରୁ ବଡ଼ ପର୍ବତ ଯେ ହିମାଳୟ, ସେ ଭାରତବର୍ଷର ପର୍ବତ । ହିମାଳୟ ଛଡ଼ା ଭାରତର ମଧ୍ୟ-ଭାଗରେ ବିନ୍ଧ୍ୟ ପର୍ବତ, ପଶ୍ଚିମରେ ପଶ୍ଚିମଘାଟ ପର୍ବତ, ପୂର୍ବରେ ପୂର୍ବଘାଟ ଓ ଦକ୍ଷିଣରେ ନୀଳଗିରି ପର୍ବତ । ଏ ପର୍ବତମାନଙ୍କ ଛଡ଼ା କେତେ କେତେ ସାନ ପର୍ବତମାନ ଅଛି । ଭାରତବର୍ଷର ନଦୀ ମଧ୍ୟରେ ପଶ୍ଚିମରେ ସିନ୍ଧୁ, ପୂର୍ବରେ ବ୍ରହ୍ମପୁତ୍ର । ହିମାଳୟ ଓ ବିନ୍ଧ୍ୟ ପର୍ବତ ମଧ୍ୟରେ ଗଙ୍ଗା । ଗଙ୍ଗାର ଉପନଦୀ ଯମୁନା । ପୁଣି ମହାନଦୀ ପ୍ରଭୃତି ଅନେକ ନଦୀ ଅଛି । ବିନ୍ଧ୍ୟ ପର୍ବତର ଦକ୍ଷିଣରେ ନର୍ମଦା, ତାପ୍ତୀ ଗୋଦାବରୀ, କୃଷ୍ଣା, କାବେରୀ ନଦୀମାନେ ପ୍ରସିଦ୍ଧ ।

 

ଇଂରେଜ ସରକାରଙ୍କ ଅମଳରେ ବହୁଦିନଯାଏ କଲିକତା ସମୁଦାୟ ଭାରତବର୍ଷର ରାଜଧାନୀ ଥିଲା । ଉତ୍ତର-ପଞ୍ଚିମାଞ୍ଚଳରେ ଦିଲ୍ଲୀ ନାମକ ଯେଉଁ ନଗର ଅଛି, ତାହା ପୂର୍ବକାଳରେ ହିନ୍ଦୁରାଜା ଓ ମୁସଲମାନ ବାଦଶାହମାନଙ୍କର ରାଜଧାନୀ ଥିଲା । କିଛି ଦିନ ହେଲା ଏହା ଶୁଣି ସମଗ୍ର ଭାରତ ରାଜଧାନୀ ହେଲାଣି । ବର୍ତ୍ତମାନ ଯୁଗରେ ବମ୍ବେଇ ଓ ମାନ୍ଦ୍ରାଜ ନାମକ ଦୁଇଟି ବୃହତ୍‌ ନଗର ମଧ୍ୟ ପ୍ରସିଦ୍ଧ ହୋଇଅଛି । ସେମାନଙ୍କ ଛଡ଼ା ସିନ୍ଧୁ ନଦୀର ଶାଖାନଦୀ ଶତଦ୍ରୁ କୂଳରେ ଲାହୋର ନଗର, ଯମୁନାକୂଳରେ ଆଗ୍ରା ନଗର, ସରଯୂକୂଳରେ ଲକ୍ଷ୍ନୌ ନଗର, ଗଙ୍ଗାକୂଳରେ କାଶୀ ବା ବନାରସ ନଗର, ଗଙ୍ଗା ଓ ଯମୁନାର ମିଳନ ସ୍ଥାନରେ ପ୍ରୟୋଗ ବା ଏଲାହାବାଦ ନଗର, ମହାନଦୀକୂଳରେ କଟକ ନଗର, ଦକ୍ଷିଣରେ ପୁନା, ହୈଦରାବାଦ, ଶ୍ରୀରଙ୍ଗପତ୍ତନ, ରାଜମହେନ୍ଦ୍ରୀ ପ୍ରଭୃତି ପ୍ରସିଦ୍ଧ ନଗରମାନ ଅଛି । ଭାରତବର୍ଷରେ ଇଂରାଜ ସର୍କାରଙ୍କ ରାଜ୍ୟ ଛଡ଼ା କେତେକ ଦେଶୀୟ ରାଜ୍ୟ ଅଛି । ସେଥିମଧ୍ୟରେ କାଶ୍ମୀର, ନେପାଳ, ହୈଦରାବାଦ, ଗ୍ୱାଲିଅର, ବଦୋଡ଼ା, ମେବାର, ଜୟପୁର, ମୈଶୂର ପ୍ରଧାନ ରାଜ୍ୟ ଅଟେ ।

 

ବର୍ତ୍ତମାନ ଚାରିଆଡ଼େ ରେଲ୍‌ବାଟ ହୋଇଥିବାରୁ ଲୋକେ ଅଳ୍ପ ସମୟରେ ଓ ଅଳ୍ପ ବ୍ୟୟରେ ଭାରତବର୍ଷର ନାନା ସ୍ଥାନକୁ ଯାତୟାତ କରି- ପାରୁଅଛନ୍ତି ।

 

ଶ୍ରୀ ଗଜପତି ଅନଙ୍ଗଭୀମଦେବ

ପ୍ରାୟ ୭୦୦ ବର୍ଷ ପୂର୍ବେ ଅନଙ୍ଗଭୀମଦେବ ଏହି ଓଡ଼ିଶା ରାଜ୍ୟର ରାଜା ଥିଲେ । ସେ ବୁଦ୍ଧିମାନ୍‌, ଧାର୍ମିକ ଓ ଦାନଶୀଳ ରାଜା ଥିଲେ ଏବଂ ସେ ଦେଶର ହିତଲାଗି ଅନେକ କୀର୍ତ୍ତି କରିଯାଇଅଛନ୍ତି । ତାଙ୍କ ରାଜପଣ ସମୟରେ ପୁରୁଷୋତ୍ତମ କ୍ଷେତ୍ରର ବଡ଼ଦେଉଳ ନିର୍ମିତ ହୋଇଥିଲା ଏବଂ ସେ ଆହୁରି ଅନେକ ଦେଉଳ ନିର୍ମାଣ କରାଇଥିଲେ । ସେ ଶତ ଶତ ପୁଷ୍କରିଣୀ ଓ କୂପ ଖୋଳାଇଥିଲେ; ଅନେକ ଘାଟ ଓ ପୋଲ ନର୍ମାଣ କରାଇଥିଲେ ।

 

ତାଙ୍କ ରାଜପଣ ସମୟରେ ଓଡ଼ିଶା ଉତ୍ତରରେ ଗଙ୍ଗା ନଦୀଠାରୁ ଦକ୍ଷିଣରେ ଗୋଦାବୀରୀ ନଦୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା । ସେ ସମସ୍ତ ରାଜ୍ୟର ଜରିବ ମାପ କରାଇ ଚାଷ ଓ ବାସ-ଭୂମିର ପରିମାଣ ୧୨ ଦସ୍ତି ପଦିକାରେ ପ୍ରାୟ ୪୭ ଲକ୍ଷ ବାଟୀ ଥିବାର ନିର୍ଣ୍ଣୟ କରିଥିଲେ ।

 

ତାହାଙ୍କର ସୈନ୍ୟ ମଧ୍ୟରେ ପାଞ୍ଚ ଅୟୁତ ପଦାତିକ (ପାଇକ), ଦଶ ସହସ୍ର ଅଶ୍ୱାରୋହୀ (ଘୋଡ଼ାସବାର ) ଓ ସହସ୍ରାଧିକ ହସ୍ତୀ ଥିଲେ । ଏହାଛଡ଼ା ସାମନ୍ତ ରାଜାମାନେ ଅର୍ଥାତ ଅଧୀନରେ ଥିବା ଗଡ଼ଜାତ ରାଜାମାନେ ତାଙ୍କ ଆଜ୍ଞାନୁସାରେ ସୈନ୍ୟ ଯୋଗାଉଥିଲେ ।

 

ଅନଙ୍ଗଭୀମଦେବ ଗୋଟିଏ ନୂତନ ସୁବର୍ଣ୍ଣ ମୋହର ଚଳାଇଥିଲେ । ସେଥିରେ ‘‘ବୀର ଶ୍ରୀ ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟୋତ୍କଳ-ବର୍ଗେଶ୍ୱର’’ ନିଜର ଉତ୍ପାଧି ଖୋଦିତ କରାଇଥିଲେ । ଓଡ଼ିଶାର ପରବର୍ତ୍ତୀ ରାଜାମାନେ ସେହି ଉତ୍ପାଧି ବ୍ୟବହାର କରୁଥିଲେ ।

 

ପୁରୀର ବଡ଼ଦେଉଳ ତାଙ୍କର ପ୍ରଧାନ କୀର୍ତ୍ତି । ସେ ମନ୍ଦିରର ଠାକୁରପୂଜା ନିମିତ୍ତ ଯେଉଁ ଭୂମି ଖଞ୍ଜି ଦେଇଥିଲେ, ତାକୁ ‘ଅମୃତ ମଣୋହୀ’ କହନ୍ତି ।

 

ରାଜା ଅନଙ୍ଗଭୀମଦେବଙ୍କ ରାଜତ୍ୱକାଳରେ ପ୍ରଜାମାନେ ସୁଖରେ ଥିଲେ ଓ ସେ କାଳରେ ଓଡ଼ିଆମନଙ୍କର ଯେପରି ବୁଦ୍ଧି, ପରାକ୍ରମ ଓ ସାହସ ଥିଲା, ତାହା ଅତୀବ ପ୍ରଶଂସନୀୟ ।

 

ଓଟ

ପୃଥିବୀର କେତେକ ଅଞ୍ଚଳରେ ଏପରି ବଡ଼ ବଡ଼ ଭୂଖଣ୍ଡମାନ ଅଛି ଯହିଁରେ ବୃକ୍ଷ ନାହିଁ, ନଦୀ ନାହିଁ ଓ ମନୁଷ୍ୟର ବାସ ମଧ୍ୟ ନାହିଁ । ସେ ସ୍ଥଳମାନ କେବଳ ବାଲୁକାରେ ପରିପୂର୍ଣ୍ଣ । ଯେଉଁଆଡ଼କୁ ଅନାଅ, ବାଲି ଛଡ଼ା ଆଉ କିଛି ଦୃଷ୍ଟିଗୋଚର ହୁଏ ନାହିଁ । ଏପରି ଭୂଖଣ୍ଡକୁ ମରୁଭୂମି ବୋଲାଯାଏ । ଯ଼େଉଁ ପଥିକମାନେ ମରୁଭୂମି ପାରହୋଇ ଅନ୍ୟ ଦେଶକୁ ଯିବାକୁ ବସନ୍ତି, ସେମାନେ ସଙ୍ଗରେ ଖାଦ୍ୟଦ୍ରବ୍ୟ ଓ ଜଳ ଘେନିଯାନ୍ତି; କାରଣ ତାହା ଘେନି ନ ଗଲେ ବାଟରେ କ୍ଷୁଧା ଓ ପିପାସରେ ସେମାନେ ନିଶ୍ଚୟ ମରିଯିବେ । ଅନେକ ଦିନକୁ ଖାଦ୍ୟ ଓ ଜଳ ନେଇ ଯିବାକୁ ହେଲେ, ସେମାନେ ଏତେ ସାମଗ୍ରୀ କିପରି ବୋହି ନେଇ ଯିବେ ? ମରୁଭୂମି ମଧ୍ୟରେ ହାତୀ ଓ ଘୋଡା ବଡ଼ ବଡ଼ ବୋଝ ନେଇଯାଇ ପାରନ୍ତି ନାହିଁ । କେବଳ ଓଟ ବଡ଼ ବଡ଼ ବୋଝ ସୁଦୀର୍ଘ ମରୁଭୂମିମାନ ପାରହୋଇଯାଏ । ଯେଉଁମାନେ ସମୁଦ୍ରପଥରେ ଯାତୟାତ କରନ୍ତି, ଜାହାଜ ଯେପରି ସେମାନଙ୍କ ସମସ୍ତ ପ୍ରୟୋଜନୀୟ ଦ୍ରବ୍ୟ ବୋହି ନେଇଯାଏ, ଏହିପରି ଯେଉଁମାନେ ମରୁମଧ୍ୟରେ ଭ୍ରମଣ କରନ୍ତି ଓଟ ସେମାନଙ୍କ ପାଇଁ ସବୁ ଦରକାରୀ ସାମଗ୍ରୀ ନେଇଯାଏ । ସେଥିପାଇଁ ଅନେକ ଓଟକୁ ମରୁଭୂମିର ଜାହାଜ ବୋଲନ୍ତି ।

 

ଦୁଇ ପ୍ରକାର ଓଟ ଅଛନ୍ତି । ଏକପ୍ରକାର ଓଟର ପିଠିରେ ଗୋଟିଏ ମାତ୍ର କୁଜ ଥାଏ । ଆଉ ଏକପ୍ରକାର ଓଟର ପିଠିରେ ଦୁଇଟା କୁଜ ଥାଏ । ଆମ୍ଭମାନଙ୍କ ଦେଶରେ ଯେଉଁ ଓଟସବୁ ଦେଖାଯାନ୍ତି, ସେମାନଙ୍କ ପିଠିରେ ଗୋଟିଏ ମାତ୍ର କୁଜ ଥାଏ । ମରୁଭୂମିରେ ବହୁଦିନ ପର୍ଯ୍ୟନ୍ତ ଭ୍ରମଣ କଲାବେଳେ ସେହି କୁଜ ମଧ୍ୟରେ ଥିବା ଚର୍ବିଦ୍ୱାରା ଓଟ ଜୀବନ ଧାରଣ କରେ । ଓଟ ଉଦର ମଧ୍ୟରେ ଛଅ ସାତ ଦିନପାଇଁ ଜଳ ସଞ୍ଚୟ କରି ରଖିଥାଏ । ଏକ ସପ୍ତାହ ପର୍ଯ୍ୟନ୍ତ ଜଳ ନ ପାଇଲେ ସୁଦ୍ଧା ଓଟର କଷ୍ଟ ହୁଏ ନାହିଁ ।

 

ଓଟ ପ୍ରାୟ ପାଞ୍ଚହାତ ଉଚ୍ଚ । ତାହାର ଦେହର ରଙ୍ଗ ମାଟିଆ । ଓଟର ପାଦର ଅଙ୍ଗୁଳିଗୁଡ଼ିକ ଓସାରିଆ ଥିବାରୁ ତାହାର ପାଦ ବାଲିମଧ୍ୟରେ ଗଳିପଡ଼େ ନାହିଁ । ପିଠିରେ ବୋଝ ଲଦା ହେଲାବେଳେ ଓଟ ଭୂମିରେ ଆଣ୍ଠୁମାଡ଼ି ବସିଯାଏ; ବୋଝ ଲଦା ସରିଲାରୁ ଉଠି ଛିଡ଼ାହୁଏ । ବୋଝ ଉତ୍ତାରି ନେଲାବେଳେ ମଧ୍ୟ ଓଟ ସେହିପରି ଆଣ୍ଠୁମାଡ଼ି ବସେ ।

 

ଓଟ ବଡ଼ ଉପକାରୀ ଜନ୍ତୁ । ସେ ଦୁର୍ଗମ ମରୂମଧ୍ୟରେ ମନୁଷ୍ୟ ଓ ତାର ସାମଗ୍ରୀ ବୋହି ନେଇଥାଏ । ମନୁଷ୍ୟମାନେ ଓଟର ଦୁଧ ପିଅନ୍ତି ଓ ଓଟଲୋମରେ ବସ୍ତ୍ର ପ୍ରସ୍ତୁତ କରନ୍ତି ।

 

ବାର ମାସ ଓ ଛଅ ୠତୁ

ବର୍ଷକ ବାର ମାସ ଓ ଛଅ ୠତୁ । ଦୁଇ ଦୁଇ ମାସରେ ଗୋଟିଏ ଗୋଟିଏ ୠତୁ ହୁଏ । ବୈଶାଖ ଓ ଜ୍ୟେଷ୍ଠ ଏହି ଦୁଇ ମାସକୁ ଗ୍ରୀଷ୍ମ ୠତୁ କହନ୍ତି । ଆଷାଢ଼ ଓ ଶ୍ରାବଣ ଏହି ଦୁଇ ମାସକୁ ବର୍ଷା ୠତୁ କହନ୍ତି । ଭାଦ୍ର ଓ ଆଶ୍ୱିନ ଏହି ଦୁଇ ମାସକୁ ଶରତ୍‌ ୠତୁ କହନ୍ତି । କାର୍ତ୍ତିକ ଓ ମାର୍ଗଶିର ଏହି ଦୁଇ ମାସକୁ ହେମନ୍ତ ୠତୁ କହନ୍ତି । ପୌଷ ଓ ମାଘ ଏହି ଦୁଇ ମାସକୁ ଶୀତ ୠତୁ କହନ୍ତି । ଫାଲ୍‌ଗୁନ ଓ ଚୈତ୍ର ଏହି ଦୁଇ ମାସକୁ ବସନ୍ତ ୠତୁ କହନ୍ତି ।

 

ଗ୍ରୀଷ୍ମ ୠତୁରେ ପ୍ରଖର ରୌଦ୍ର ହୁଏ । ଖରାବେଳେ ମାଟି ଏପରି ତାତିଯାଏ ଯେ ସେଥିରେ ଚାଲିଲେ ପାଦ ସିଝିଯାଏ । ଦିନ ଛଅ ଘଡ଼ିଠାରୁ ପ୍ରାୟ ସନ୍ଧ୍ୟା ପର୍ଯ୍ୟନ୍ତ ବାୟୁ ତାତି ରହିଥାଏ ଓ ସେ ବାୟୁ ଦେହରେ ଲାଗିଲେ ଦାହ ବୋଧ ହୁଏ । ଗ୍ରୀଷ୍ମ ସବୁ ପ୍ରାଣୀମାନଙ୍କୁ ବାଧେ । ମନୁଷ୍ୟମାନେ ତୃଷାରେ ଆକୁଳ ହୋଇ ବାରମ୍ବାର ଜଳ ପାନ କରନ୍ତି । ଖରାବେଳେ କେତେକ ପଶୁ ବୃକ୍ଷର ଛାୟାରେ ପଡ଼ିରହନ୍ତି ଏବଂ କେତେକ ପଶୁ ବୁଡ଼ିରହନ୍ତି । ପକ୍ଷୀମାନେ ନୀରବ ହୋଇ ପତ୍ରପୂର୍ଣ୍ଣ ବୃକ୍ଷରେ ଲୁଚିରହନ୍ତି । ମାଛମାନେ ଗଭୀର ଜଳମଧ୍ୟରେ ରହନ୍ତି । ଗ୍ରୀଷ୍ମକାଳରେ ଅନେକ ନଦୀ, ପୁଷ୍କରିଣୀ ଓ କୂପ ଜଳ ଏକାବେଳକେ ଶୁଖିଯାଏ ଓ ଗଭୀର ନଦୀ, ସରୋବର, କୂପମାନଙ୍କରୁ ବହୁତ ଜଳ ଶୁଖିଯାଏ । ସେଥିଲାଗି ସେମାନଙ୍କର ବଡ଼ କଷ୍ଟ ହୁଏ । ଗ୍ରୀଷ୍ମକାଳରେ ଆମ୍ବ, ପଣସ ପାଚେ ଓ ଚମ୍ପା, ମଲ୍ଲୀ, ନିଆଳି, ଗନ୍ଧରାଜ ପ୍ରଭୃତି ଫୁଲ ଫୁଟେ ।

 

ବର୍ଷା ୠତୁରେ ବେଶି ବର୍ଷା ହୁଏ । ଅନେକ ସମୟରେ ଆକାଶ ମେଘାଚ୍ଛନ୍ନ ରହିଥାଏ । ବିଜୁଳି ଚମକେ ଓ ଘନଘଡ଼ି ଶବ୍ଦ ହୁଏ । କେବେ କେବେ ଆକାଶରେ ଇନ୍ଦ୍ରଧନୁ ଦେଖାଯାଏ । ଖାଲ, ବିଲ, ପୁଷ୍କରିଣୀ ଓ ନଦୀ ଜଳପୁର୍ଣ୍ଣ ହୋଇଯାଏ । ନଦୀ ବଢ଼ି ପ୍ରବଳ ହେଲେ ଗ୍ରାମମାନଙ୍କ ମଧ୍ୟରେ ଜଳ ପଶି ଘର ଭାଙ୍ଗିପକାଏ, କେତେବେଳେ ଗୋରୁ ଓ ମନୁଷ୍ୟକୁ ଭସାଇ ନେଇଯାଏ । ବର୍ଷାକାଳରେ ଚଷାମାନେ ରୋଇବା, ବହୁଡ଼ିବା ପ୍ରଭୃତି କୃଷିକାର୍ଯ୍ୟ କରନ୍ତି ଓ ଲୋକେ ନାନାପ୍ରକାର ପରିବା ଗଛ ଲଗାନ୍ତି । ଘାସ ଓ ବଡ଼ ବଡ଼ ଗଛ ସବୁ ଜୀବ ବହୁତ ଘାସପତ୍ର ପାଇ ହୁଷ୍ଟପୁଷ୍ଟ ହୁଅନ୍ତି-। ବର୍ଷାକାଳରେ ମାଛମାନେ ଅଧିକ ଜଳ ପାଇ ଆନନ୍ଦରେ ସନ୍ତରଣ କରନ୍ତି ଓ ବେଙ୍ଗମାନେ ଆନନ୍ଦରେ ରାବନ୍ତି । ରାତ୍ରିକାଳରେ ବେଙ୍ଗମାନଙ୍କର ଧ୍ୱନି ବଡ଼ ଗମ୍ଭୀର ଓ ମଧୁର ଶୁଭେ । ସମୟେ ସମୟେ ଝଡ଼ତୋଫାନ ହୋଇ ଘରଦ୍ୱାର ଓ ବୃକ୍ଷମାନଙ୍କୁ ଭାଙ୍ଗିପକାଏ । ବର୍ଷାକାଳରେ କିଆ, କେତକୀ, କଦମ୍ବ ପ୍ରଭୃତି ଫୁଲ ଫୁଟେ ।

 

ଶରତ୍‌ ୠତୁରେ ବର୍ଷା କମିଯାଏ । ଆକାଶ ନିର୍ମଳ ହୁଏ । ନଦୀମାନଙ୍କର ଗୋଳିଆ ପାଣି ସଫା ହୋଇଯାଏ । ବାଟର କାଦୁଅ ଶୁଖିଆସେ ଓ ଧାନ ପାଚିଆସେ । ରାତ୍ରିକାଳରେ ନିର୍ମଳ ଆକାଶରେ ଚନ୍ଦ୍ର ଓ ତାରା ଅତି ଉଜ୍ଜ୍ୱଳ ଓ ସୁନ୍ଦର ଦିଶନ୍ତି । ଖାଲ, ବିଲ ଓ ପୁଷ୍କରିଣୀମାନଙ୍କରେ ନୀଳକଇଁ ଓ ରଙ୍ଗକଇଁ, ଧଳାପଦ୍ମ ଓ ରଙ୍ଗପଦ୍ମ ଏବଂ ଉଦ୍ୟାନମାନଙ୍କରେ ମାଳତୀ ଓ ଗଙ୍ଗଶିଉଳି ପ୍ରଭୃତି ନାନା ସୁନ୍ଦର ଫୁଲ ଅଟେ । ଏହି କାଳରେ ସୂର୍ଯ୍ୟାସ୍ତ ସମୟରେ ପଶ୍ଚିମ ଦିଗର ଆକାଶରେ ନାଲିଆ ମେଘର ବଡ଼ ଶୋଭା ହୁଏ ।

 

ହେମନ୍ତ ୠତୁରେ ଦିନ କମିଯାଏ ଓ ରାତ୍ରିକାଳେ ବଢ଼ିଯାଏ । ସୂର୍ଯ୍ୟର ତେଜ କମିଆସେ, ଉତ୍ତର ଦିଗରୁ ଶୀତ ପବନ ବହେ ଏବଂ ସକାଳେ, ସନ୍ଧ୍ୟାରେ ଓ ରାତ୍ରିକାଳରେ ବହୁତ କାକର ପଡ଼େ । ଚନ୍ଦ୍ର ଓ ତାରା ମଳିନ ଦିଶନ୍ତି । ଏହି ସମୟରେ ଚାଷୀମାନେ ଦୋରୁଅ ବା ଆଖୁରସକୁ ରାନ୍ଧି ସେଥିରୁ ଗୁଡ଼ କରନ୍ତି ।

 

ଶିଶିର ବା ଶୀତ ୠତୁରେ ବେଶି ଶିଶିର ପଡ଼େ ଓ ଶୀତ ହୁଏ । ଲୋକେ ଶୀତବସ୍ତ୍ରଦ୍ୱାରା ଦେହକୁ ଘୋଡ଼ାଇ ରଖନ୍ତି । ଏହି ସମୟରେ ବଡ଼ଧାନ ପାଚେ ଏବଂ କୋଳଥ, ରାଶି, ସୋରିଷ ପ୍ରଭୃତି ନାନାପ୍ରକାରେ ଶସ୍ୟ ଅମଳ କରାଯାଏ । ଲୋକେ କୋବି, ମଟର, ବିଲାତିଆଳୁ ପ୍ରଭୃତିର ମଧ୍ୟ ଚାଷ କରନ୍ତି । କମଳାଲେମ୍ବୁ, ଅଙ୍ଗୁର, ବେଦନା ପ୍ରଭୃତି ନାନାପ୍ରକାର ଫଳ ଏହି ସମୟରେ ମିଳେ । ଏହି ସମୟରେ ଗେଣ୍ଡୁ ଫୁଲ ଓ ସେବତୀ ଫୁଲ ଫୁଟେ ।

 

ବସନ୍ତ ୠତୁରେ ଶୀତ କ୍ରମେ କ୍ରମେ କମିଆସେ ଓ ସୂର୍ଯ୍ୟର ତେଜ କ୍ରମେ କ୍ରମେ ବଢ଼ିଯାଏ-। ଦିନ କ୍ରମେ ବଢ଼ି ଓ ରାତ୍ରି କ୍ରମେ କମିଆସେ । ଦକ୍ଷିଣରୁ ମୃଦୁ ମଳୟ ପବନ ବହେ । ଗଛମାନଙ୍କର ନୂଆ ପତ୍ର କଅଁଳେ ଏବଂ ଆମ୍ବଗଛ ବଉଲେ । ପଦ୍ମ, ଗୋଲାପ ପ୍ରଭୃତି ଅନେକ ସୁଗନ୍ଧ ଫୁଲ ଫୁଟେ ଏବଂ ମହୁମାଛି ଓ ଭ୍ରମରମାନେ ଗୁଣ୍‌ ଗୁଣ୍‌ ଶବ୍ଦ କରି ଫୁଲରୁ ମଧୁ ପାନ କରନ୍ତି । କୋକିଳମାନେ କେଉଁଆଡୁ ଆସି କୁହୁକୁହୁ ରବ କରି ଜନମନ ହରଣ କରନ୍ତି ।

 

ପୃଥିବୀ

ଆମ୍ଭେମାନେ ପୃଥିବୀରେ ବାସ କରୁ । ପୃଥିବୀ କମଳାଲେମ୍ବୁପରି ଗୋଲ; ଅଗଣାପରି ସମଭୂମି ନୁହେଁ । କେହି ପୃଥିବୀକୁ ମୁଣ୍ଡେଇନାହିଁ । ସୂର୍ଯ୍ୟ ଓ ଚନ୍ଦ୍ର ଯେପରି ଆକାଶ ମଧ୍ରରେ ଭାସୁଅଛନ୍ତି, ପୃଥିବୀ ମଧ୍ୟ ସେହିପରି ଆକାଶରେ ଭାସୁଅଛି ।

 

ପୃଥିବୀ ସ୍ଥିର ନୁହେଁ, ସବୁବେଳେ ନଟୁପରିବୁଲୁଅଛି । ଏପରି ବୁଲୁ ବୁଲୁ ପୃଥିବୀର ଯେଉଁ ଭାଗରେ ସୂର୍ଯ୍ୟର ଆଲୁଅ ପଡ଼େ, ସେହି ଭାଗରେ ଦିନ ହୁଏ । ବୁଲିବାବେଳେ ପୃଥିବୀର ଯେଉଁ ଭାଗ ସୂର୍ଯ୍ୟଆଡ଼କୁ ନ ଥାଏ, ସେହି ଭାଗରେ ରାତ୍ରି ହୁଏ । ପୃଥିବୀ ପୁଣି ଶଗଡ଼ର ଚକପରି ବୁଲି ଏକ ବର୍ଷରେ ସୂର୍ଯ୍ୟକୁ ଥରେ ପ୍ରଦକ୍ଷିଣ କରେ ।

 

ପୃଥିବୀର ପ୍ରାୟ ତିନିଚଉଠ ଜଳ ଓ ପ୍ରାୟ ଚଉଠେ ସ୍ଥଳ । ସମୁଦ୍ରର ଜଳ ଚରିଆଡ଼େ ସ୍ଥଳକୁ ବେଢ଼ି ରହିଅଛି । ସମୁଦ୍ରର ଲହରୀ କୂଳପର୍ଯ୍ୟନ୍ତ ଆସି କୂଳକୁ ସବୁବେଳେ ଆଘାତ କରୁଅଛି । ସମୁଦ୍ର ଆକାଶପରି ନୀଳବର୍ଣ୍ଣ ଦିଶେ । ଲୋକେ ଜାହାଜଦ୍ୱାରା ସମୁଦ୍ରରେ ଏକ ଦେଶରୁ ଅନ୍ୟ ଦେଶକୁ ଯା’ନ୍ତି ।

 

ସୂର୍ଯ୍ୟ

ଦେଖ, ସୂର୍ଯ୍ୟ କି ତେଜ ! ତାହାଆଡ଼କୁ ଅନାଇ ହେଉନାହିଁ । ତାହାରି ତେଜକୁ ଖରା କହନ୍ତି । ସେହି ତେଜରେ ଜଳ ଓ ସ୍ଥଳ ସବୁ ତାତିଯାଏ ।

 

ସୂର୍ଯ୍ୟ ବହୁଦୂରରେ ଅଛି ବୋଲି ଖଣ୍ଡେ ଥାଳିପରି ସାନ ଦିଶୁଅଛି; କିନ୍ତୁ ବାସ୍ତବରେ ତାହା ପୃଥିବୀ ଅପେକ୍ଷା ବହୁତ ବଡ଼ ।

 

ତୁମ୍ଭେମାନେ ସକାଳେ ସୂର୍ଯ୍ୟକୁ ପୂର୍ବଦିଗରେ ଉଇଁବାର ଦେଖିଅଛ; ପୁଣି ସନ୍ଧ୍ୟାବେଳେ ସୂର୍ଯ୍ୟକୁ ପଶ୍ଚିମ ଦିଗରେ ଅସ୍ତ ଯିବାର ଦେଖିଅଛ । ସେଥିପାଇଁ ତୁମ୍ଭେମାନେ ମନେ କର ଯେ ସୂର୍ଯ୍ୟ ଆକାଶରେ ପୂର୍ବରୁ ପଶ୍ଚିମକୁ ଚାଲିଯାଏ; କିନ୍ତୁ ସୂର୍ଯ୍ୟ ବାସ୍ତବରେ ପୂର୍ବରୁ ପଶ୍ଚିମକୁ ଚାଲିଯାଏ ନାହିଁ । ପୃଥିବୀ ନଟୁପରି ପ୍ରତିଦିନ ଥରେ ଘୂରିଯାଏ । ସେଥିପାଇଁ ସୂର୍ଯ୍ୟ ପୂର୍ବରୁ ପଶ୍ଚିମକୁ ଯିବାପରି ବୋଧହୁଏ । ନୌକା କିମ୍ବା ରେଲ୍‌ଗାଡ଼ି ଅତି ବେଗରେ ଚାଲିଗଲାବେଳେ ଯେପରି ଦୁଇପାଖରେ ଭୂମି ଓ ବୃକ୍ଷ ପ୍ରଭୃତି ପଛଆଡ଼ୁ ଚାଲିଯାଉଥିବା ପରି ବୋଧହୁଏ, ସେହିପରି ପୃଥିବୀ ଅତିବେଗରେ ବୁଲୁଅଛି ବୋଲି ସୂର୍ଯ୍ୟ ଆଲୁଅ ଦେଉଅଛି ବୋଲି ଜୀବଜନ୍ତୁ ଓ ବୃକ୍ଷଲତା ସମସ୍ତେ ବଞ୍ଚିଅଛନ୍ତି । ସୂର୍ଯ୍ୟ ନ ଥିଲେ ପୃଥିବୀ ଜୀବଶୂନ୍ୟ ହୁଅନ୍ତା ।

 

କବି ଶ୍ରୀ ଶାରଳା ଦାସ

ଆଜିକୁ ପ୍ରାୟ ପାଞ୍ଚଶ’ ବର୍ଷ ପୂର୍ବେ ଆମ୍ଭ ଦେଶରେ ଶାରଳା ଦାସ ନାମରେ ଜଣେ ପ୍ରଧାନ କବି ଥିଲେ । ତାହାଙ୍କ କୃତ ମହାଭାରତ ଏବେ ଓଡ଼ିଶାର ଗ୍ରାମେ ଗ୍ରାମେ ପଢ଼ାଯାଉଅଛି । କଟକ ଜିଲ୍ଲା ଅନ୍ତର୍ଗତ ଝଙ୍କଡ଼ ତାହାଙ୍କର ଜନ୍ମଭୂମି ଥିଲା । ବାଲ୍ୟକାଳରେ ସେ ଚାଟଶାଳୀରେ ଅଳ୍ପ ପଢ଼ାଶୁଣା କରିଥିଲେ । ପିତାଙ୍କ ନିକଟରୁ ସର୍ବଦା ରାମାୟଣ ଓ ମହାଭାରତ କଥା ଶୁଣୁଥିଲେ । ସେତେବେଳେ ବିଖ୍ୟାତ ଶାରଳା ଚଣ୍ଡୀଙ୍କ ମନ୍ଦିରରେ ସର୍ବଦା ପୁରାଣପାଠ ହେଉଥିଲା । ଶାରଳା ଦାସ ବଡ଼ ଚଣ୍ଡୀଭକ୍ତ ଥିଲେ । ସେ ପ୍ରତିଦିନ ମନ୍ଦିରକୁ ଯାଇ ବ୍ରହ୍ମଣମାନଙ୍କ ମୁଖରୁ ସଂସ୍କୃତ ପୁରାଣ ଓ ମହାଭାରତ ଶୁଣୁଥିଲେ । ବ୍ରାହ୍ମଣ ପଣ୍ଡିତମାନେ ସଂସ୍କୃତରେ ମହାଭାରତ, ରାମାୟଣ ଆଦି ପଢ଼ି ଓଡ଼ିଆ ଭାଷାରେ ଯାହା ବୁଝାଇଦେଉଥିଲେ ସେ ତାହା ମନେରଖୁଥିଲେ ଏବଂ ନିରୋଳାରେ ବସି ଯାହା ମନକୁ ଆସୁଥିଲା ପଦ୍ୟରେ ଲେଖିଯାଉଥିଲେ । ଶୁଣକଥା ଛଡ଼ା କେତେ କଥା ମଧ୍ୟ ତାଙ୍କର ମନରୁ କଳ୍ପନା କରି ଲେଖି ଚାଲିଯାଉଥିଲେ । ଖଣ୍ଡିଏ ତାଳପତ୍ର ଖେଦା ଓ ଗୋଟିଏ ଲେଖନ ତାଙ୍କ ସଙ୍ଗରେ ସବୁବେଳେ ଥାଏ । ଏହିପରି ଲେଖୁ ଲେଖୁ ସେ ପ୍ରକାଣ୍ଡ ମହାଭାରତ ଗ୍ରନ୍ଥ ଲେଖିଗଲେ । ଏହାଛଡ଼ା ଚଣ୍ଡୀପୁରାଣ, ବିଲଙ୍କା ରାମାୟଣ ଆଦି କେତେଖଣ୍ଡ ଗ୍ରନ୍ଥ ମଧ୍ୟ ସେ ରଚନା କରିଅଛନ୍ତି । ପୁରୀ ବଡ଼ଦେଉଳର କଳ୍ପବଟମୂଳରେ ସେ ବହୁକାଳ ବସି ପ୍ରଭୁଙ୍କ ଗୁଣକୀର୍ତ୍ତନ କରିଥିଲେ । ସେ ସମୟରେ ମହାରାଜା କପିଳେନ୍ଦ୍ରଦେବ ଏବଂ ମୁକ୍ତିମଣ୍ଡପର ପଣ୍ଡିତମାନେ ତାହାଙ୍କ ଗୁଣର ଆଦର କରିଥିଲେ । ତାହାଙ୍କର ଶୁଦ୍ଧ ଆଚାର, ଭକ୍ତି ଓ ସାଧୁଭାବ ଦେଖି ଲୋକେ ତାହାଙ୍କୁ ଶୂଦ୍ରମୁନି ବୋଲି କହୁଥିଲେ । ଏହି ଶୂଦ୍ରମୁନି କୋର୍ଣାକର ଚନ୍ଦ୍ରଭାଗାତଟରେ ମଧ୍ୟ କିଛିକାଳ ରହି ତପସ୍ୟା କରିଥିଲେ-। ସେ ଯେପରି କବି, ସେହିପରି ମଧ୍ୟ ଜଣେ ଧାର୍ମିକ ପୁରୁଷ ଥିଲେ । ଆଜି ଆମ୍ଭେମାନେ ତାହାଙ୍କୁ କେବଳ ଏହି ସବୁ ଗୁଣଲାଗି ସ୍ମରଣ କରୁଅଛୁଁ ।

 

ବୁଢ଼ା ଠକ

ଗୋଟିଏ ଘରେ ବୁଢ଼ା ବୁଢ଼ୀ ଦୁଇ ଜଣ ଥିଲେ । ତାଙ୍କର ଆଉ ପୁଅଝିଅ କିଛି ନ ଥିଲେ । ଦୁଇପ୍ରାଣୀ ଦୁଃଖ-ସୁଖରେ ଚଳୁଥାନ୍ତି । କିଛି କାଳପରେ ବୁଢ଼ା ଗୋଟିଏ କୁକୁଡ଼ା ଆଣି ପୋଷିଲା । ଅଳ୍ପ କାଳରେ ସେ କୁକୁଡ଼ାଟିର ବହୁତ ଛୁଆ ହୋଇଗଲେ । ବୁଢ଼ା ସେ ଛୁଆରୁ ଗୋଟିଏ ଗୋଟିଏ ଖାଇବାକୁ ମନକାଲା । ମାତ୍ର ବୁଢ଼ୀ ତାହା କରାଇ ନ ଦେବାରୁ ବୁଢ଼ା ଏକ ଫିକର ପାଞ୍ଚି ବୁଢ଼ୀକି କହିଲା, ‘‘ଆଚ୍ଛା, ଆମ୍ଭର ଠାକୁରଙ୍କୁ ପ୍ରତିଦିନ ଏଥିରୁ ଗୋଟିଏ ଲେଖାଏଁ ଲାଗିକରିବା । ତାହାହେଲେ ଆମକୁ ବହୁତ ଫସଲ ମିଳିବ ।’’ ବୁଢ଼ୀ ପଚାରିଲା, ‘‘ସେ ଠାକୁର କେଉଁଠି ଅଛନ୍ତି ?’’ ବୁଢ଼ା କହିଲା, ‘‘ଆମ୍ଭ କିଆରି ପାଖରେ ମହୁଲଗଛ କୋରଡ଼ରେ ଅଛନ୍ତି । ତୁମ୍ଭେ ପ୍ରତିଦିନ ଏଥିରୁ ଗୋଟିଏ ଭଲକରି ରାନ୍ଧି ସେ କୋରଡ଼ରେ ନୈବଦ୍ୟ ଦେଇ ଆସିବ । ମୁଁ ତାହାପରେ ଯାଇ ହଲ କରିବି । ଆଉ ସାବଧନ, ସେ କୋରଡ଼କୁ କେବେ ଚାହିଁବି ନାହିଁଟି ।’’ ବୁଢ଼ୀ ଏ କଥାରେ ରାଜି ହେବାରୁ ବୁଢ଼ା ଆଗରେ ଯାଇ ସେ କୋରଡ଼ ଭିତରେ ଅତି କଷ୍ଟରେ ପଶିଲା । ବୁଢ଼ୀ ଯାଇ ଠାକୁରଙ୍କୁ ଡାକି କୋରଡ଼ମୁହଁରେ ତାହା ପକାଇ ଦିଅନ୍ତେ, ବୁଢ଼ା ହାତ ବଢାଇ ସେହିଠାରେ ଖାଇଦିଏ; ପଛେ କୋରଡ଼ରୁ ବାହାରି ଆସି ହଳ କରେ । ଏହିପରି ପ୍ରତିଦିନ ବୁଢୀ ଦିଏ; ଆଉ ବୁଢ଼ା ଖାଏ । ଶେଷ କୁକୁଡ଼ାଟି ଯେଉଁ ଦିନ ଦେଲା, ସେ ଦିନ ବୁଢ଼ୀ କଣ ବିଚାରି କୋରଡ଼ ଭିତରକୁ ଚାହିଁ ଦିଅନ୍ତେ, ଦେଖିଲା ବୁଢ଼ା ବସି ଖାଉଁଛି । ତହୁଁ ଭାରି ରାଗରେ ଘରକୁ ଆସି ବୁଢ଼ୀ ଆପଣାର ଲୁଗାପଟା ବାସପକୁସନ ଆଦି ସବୁ ଗୋଟିଏ ସିନ୍ଦୁକରେ ପୂରାଇ ବାପଘରକୁ ଯିବାକୁ ମନକଲା । ମାତ୍ର ବୋଝଟି ଅତି ଭାରୀ ହୋଇଥିବାରୁ ଏକା ମୁଣ୍ଡକୁ ଉଠାଇ ନ ପାରି ପଡ଼ିଶାଘରୁ ଜଣକୁ ଡାକିବାକୁ ଗଲା । ଏହି ସମୟରେ ବୁଢ଼ା ଆସି ଦେଖିଲା ଯେ ସିନ୍ଦୁକରେ ବୁଢ଼ୀର ସବୁ ଜିନିଷ ଭର୍ତ୍ତି ହୋଇଅଛି । ବୋଧହୁଏ, ମୋତେ ଛାଡ଼ି କୁଆଡ଼େ ଚାଲିଯିବାକୁ ବସିଛି; ଏହା ମ ନେ ମନେ ଜାଣିପାରି ସେସବୁ ଜିନିଷତକ ସିନ୍ଦୁକରୁ ନେଇ ଚଞ୍ଚଳ ଘରେ ରଖିଆସି ଆପେ ସେ ସିନ୍ଦୁକ ଭିତରେ ପଶି ଉପର ପଟା ବନ୍ଦ କରିଦେଲା । ଜଣେ ଲୋକ ଆସି ଅତି କଷ୍ଟରେ ସେ ବୋଝ ବୋହି ବୋହି ବାପଘରଠାରେ ପହଞ୍ଚିଲା । ସିନ୍ଦୁକ ଫିଟାଇ ଦେଖିଲାବେଳକୁ ଆପଣାର ସ୍ୱାମୀ ତା ଭିତରେ ବସିଛି । ତହୁଁ ବୁଢ଼ୀ ରାଗିଯାଇ କହିଲା –‘‘ତୁମ୍ଭେ ତ ଗୋଟିଏ ମହା ଠକ ଦେଖିଲି । ତୁମ୍ଭକୁ ଆଉ ଛାଡ଼ିହେବ ନାହିଁ । ହଉ, ଯାହା ତ ହେବାର ହେଲାଣି; ଚାଲ, ଏବେ ଘରକୁ ଫେରିଯିବା ।’’

 

ବାଦୁଡ଼ି

ପିତା –ପଞ୍ଝା ପଞ୍ଝା ହୋଇ ଏଗୁଡ଼ାକ କ’ଣ ଉଡ଼ିଯାଉଅଛନ୍ତି, କହିଲୁ ?

ବାଳକ – ସେଗୁଡ଼ାକ ଚଢେଇ, ମୁଁ ତାଙ୍କ ନାମ ଜାଣେନାଇଁ ।

ପିତା – ସେଗୁଡ଼ାକ ଚଢେଇ ନୁହନ୍ତି, ବାଦୁଡ଼ି ବୋଲି ଏକପ୍ରକାର ପ୍ରାଣୀ ।

ବାଳକ - ବାଦୁଡ଼ିର ଡେଣା ଅଛି । ସହେ ତ ଉଡ଼ିଯାଏ । ସେ କାହିଁକି ଚଢେଇ ନୁହେଁ ?

 

ପିତା – ତୁ ଯାହାକୁ ବାଦୁଡ଼ି ଡେଣା କହୁଚୁ, ସେ ତାର ଡେଣା ନୁହଁ । ସେ ତାର ଦୁଇଟା ହାତ । ତାର ହାତର ଆଙ୍ଗୁଳିଗୁଡ଼ିକ ଖୁବ୍‌ ଲମ୍ବା ଓ ପାତଳ ଚମଡ଼ାରେ ଏପରି ଯୋଡ଼ା ଯେ, ସେ ସେହି ହାତକୁ ଡେଣାପରି ମେଲିଦେଇ ତାହାରିଦ୍ୱାରା ଉଡ଼ିପାରେ ।

ବାଳକ – ବାପା, ତୁମେ ତାର ହାତକୁ ଭଲକରି ଦେଖିଚ ?

 

ପିତା – ହଁ, ଆମ ମାଳୀ ବଗିଚାରୁ ଗୋଟିଏ ବାଦୁଡ଼ି ଧରି ଆଣିଥିଲା । ମୁଁ ତାର ହାତ, ମୁହଁ ସବୁ ଭଲକରି ଦେଖିଚି । ଚଢେଇର ଦାନ୍ତ ନାହିଁ; ବାଦୁଡ଼ିର ଥଣ୍ଟ ନାହିଁ । ଚଢେଇର ଦାନ୍ତ ନାହିଁ ବୋଲି ସେ ଯାହା ଖାଏ ଗିଳିପକାଏ । ବାଦୁଡ଼ି ଦାନ୍ତରେ ଚୋବେଇ ଖାଏ ।

 

ବାଳକ – ଚଢେଇ ଯେପରି ଡିମ୍ବ ଦିଏ, ବାଦୁଡ଼ି କ’ଣ ସେହିପରି ଡିମ୍ବ ଦିଏନାହିଁ ?

ପିତା – ନା, ବାଦୁଡ଼ିର ଡିମ୍ବ ହୁଏନାହିଁ । ବିଲେଇ, କୁକୁର, ଗାଈଙ୍କର ଯେପରି ଛୁଆ ହୁଏ, ବାଦୁଡ଼ିର ସେହିପରି ଛୁଆ ହୁଏ । ବିଲେଇ ଯେପରି ଛୁଆକୁ ନିଜର ସ୍ତନରୁ ଦୁଧ ପିଆଏ, ମାଈବାଦୁଡ଼ି ସେହିପରି ତାହାର ଛୁଆକୁ ଦୁଧ ପିଆଏ ।

 

ବାଳକ – ବାଦୁଡ଼ି ସବୁ ଏଇ ସଞ୍ଜବେଳେ କ’ର ବସାକୁ ଉଡ଼ିଯାନ୍ତି ?

ପିତା – ବାଦୁଡ଼ିଙ୍କର ବସା ନାହିଁ । ସେମାନେ ତେନ୍ତୁଳି ଡାଳରେ, ବାଉଁଶଗଛରେ ବଙ୍କା ବଙ୍କା ନଖ ମାରିଦେଇ ତଳକୁ ମୁଣ୍ଡକରି ଝୁଲୁଥାନ୍ତି । ଯେଉଁକ୍ଷଣି ସନ୍ଧ୍ୟା ହୁଏ, ସେମାନେ ବାସସ୍ଥାନ ଛାଡ଼ି ନାନା ଦିଗକୁ ଉଡ଼ିଯାନ୍ତି; ପୁଣି ପାହାନ୍ତିଆ ବେଳକୁ ବାସସ୍ଥାନକୁ ଲେଉଟି ଆସନ୍ତି ।

 

ବାଳକ – ବାଦୁଡ଼ି କ’ଣ ଖା’ନ୍ତି ?

ପିତା – ସେମାନେ କଦଳୀ, ପିଜୁଳି ହେରିକା ନାନା ଫଳ ଖା’ନ୍ତି । ସେମାନେ ବହୁତ ଦୂରକୁ ଉଡ଼ିଯାଇ ପାରନ୍ତି।

 

ଧର୍ମବୁଦ୍ଧି

ଗୋଟିଏ ସ୍ଥାନରେ ଦେବଦତ୍ତ ନାମରେ ଗୋଟିଏ ପାଞ୍ଚବର୍ଷ ବୟସର ପିଲା ଥିଲା । ସେ ଦିନେ ଘରପାଖରେ ଥିବା ଗୋଟିଏ ପୋଖରୀକୂଳରେ ଛିଡ଼ାହୋଇଥିଲା । ସେହି ସମୟରେ ଜଳମଧ୍ୟରୁ ଗୋଟାଏ କଇଞ୍ଛ ବାହାରିଲା । ଦେବଦତ୍ତ ତାହାକୁ ଦେଖି ମାଟିରୁ ଗୋଟାଏ ଟେକା ନେଇ କଇଞ୍ଛକୁ ମାରିବାପାଇଁ ହାତ ଉଠାଇଛି, ଏହି ସମୟରେ ସେହି ବାଳକର ମନଭିତରେ କିଏ କହିଲା, ‘‘ମାରନାହିଁ, ମାରନାହିଁ ।’’ କିଏ ତାର ମନ ମଧ୍ୟରେ ଏପରି କହିଲା ? ତାହା ବୁଝିନପାରି ଦେବଦତ୍ତ ଚମକିପଡ଼ିଲା ଓ ଟେକାଟି ତଳକୁ ପକାଇଦେଲେ ମାତାଙ୍କ ନିକଟକୁ ଯାଇ କହିଲା, ‘‘ମା’-! ମୁଁ ଗୋଟାଏ କଇଞ୍ଛ ଉପରେ ଟେକା ପକାଇବାକୁ ଯାଉଥିଲି, ସେତିକିବେଳେ କିଏ ମୋ ମନ ଭିତରେ କହିଲା, ମାରନାହିଁ, ମାରନାହିଁ । ମୁଁ ତାହା ଶୁଣି ଚମକିପଡ଼ିଲା ମା’! କିଏ ମୋ ମନମଧ୍ୟରେ ଏପରି କଥା କହିଲା ?’’

 

ମା କହିଲେ, ‘‘ତୁ ପିଲାଲୋକ । ଯେ ସେ କଥା କହିଲେ, ତୁ ତାଙ୍କୁ ଚିହ୍ନିନାହୁଁ । ସେ ସମସ୍ତଙ୍କ ମନମଧ୍ୟରେ ଅଛନ୍ତି ଓ ସମସ୍ତଙ୍କୁ ଭଲ ହୁଅ, ଭଲ କାମ କର, ଏହିପରି ଆଜ୍ଞା ଦେଉଅଛନ୍ତି । ଯେ ତାଙ୍କ କଥା ଶୁଣି ଚାଲେ, ସେହି ଧନ୍ୟ, ସେହି ସୁଖୀ । ସେ ଆମ୍ଭମାନଙ୍କ ଅନ୍ତରର ଧର୍ମବୁଦ୍ଧି । ଜ୍ଞାନଦାତା ମହାପ୍ରଭୁ ପରମେଶ୍ୱର ସମସ୍ତଙ୍କୁ ଧର୍ମବୁଦ୍ଧି ଦେଇଅଛନ୍ତି । ତୁ ତାଙ୍କୁ କଥା ମନଦେଇ ଶୁଣିବୁ । ସେ ଯାହା କହିବେ, ତାହା କରିବୁ । ତୁ ଆଜି ତାଙ୍କ କଥା ଶୁଣିଅଛୁ ବୋଲି ମୁଁ ବଡ଼ ସୁଖୀ ହେଲି ।’’ ଏହା କହି ମାତା ପୁତ୍ରର ମୁଖ ଚୁମ୍ବନ କଲେ । ସେହି ଦିନୁ ଦେବଦତ୍ତ ଧର୍ମବୁଦ୍ଧିର କଥା ଅନୁସାରେ ଚଳିବାରୁ ସେ ଜଣେ ସାଧୁ ପୁରୁଷ ବୋଲି ବିଖ୍ୟାତ ହେଲେ ।

 

ଗଣ୍ଡାର

ତୁମ୍ଭେମାନେ ହାତୀ, ଘୋଡ଼ା, ବାଘ ଦେଖିଅଛ । କେହି ଗଣ୍ଡାର ଦେଖିଅଛ କି ? ଗଣ୍ଡାରର ଛବି ଦେଖ । ଦେଖିବାକୁ କେଡ଼େ ବୃହତ୍, ପୁଣି କି କଦାକାର । ଗୋରୁ, ମହିଷ ଓ ହରିଣମାନଙ୍କର ମୁଣ୍ଡରେ ଶିଙ୍ଗ ଥାଏ; କିନ୍ତୁ ଗଣ୍ଡାରର ଶିଙ୍ଗ ତାହାର ନାକ ଉପରେ । ପୁଣି ସେ ଶିଙ୍ଗ ହାତେ ଦେଢ ହାତରୁ ଦୁଇହାତ ପର୍ଯ୍ୟନ୍ତ ଉପରକୁ ବଢେ । କୌଣସି କୌଣସି ଦେଶରେ ଗଣ୍ଡାରମାନଙ୍କ ନାକ ଉପରେ ଦୁଇଟି ଶିଙ୍ଗ ଥାଏ । ଗଣ୍ଡାର ପଚା ପାଣି ଓ କାଦୁଅ ମଧ୍ୟରେ ବାସକରିବାରକୁ ଭଲପାଏ । ସେ ଦିନବେଳେ ଜଙ୍ଗଲ ମଧ୍ୟରେ ନିଦରେ ଶୋଇଥାଏ । ରାତିବେଳେ ଜଙ୍ଗଲରେ ବୁଲେ ଏବଂ କୌଣସି ଜନ୍ତୁ ହାବୁଡ଼ରେ ପଡ଼ିଲେ, ତାହାକୁ ଶିଙ୍ଗଦ୍ୱାରା ଛିନ୍ନଭିନ୍ନ କରିପକାଏ । ହସ୍ତୀମାନେ ଏତେବଡ଼ ଜନ୍ତୁ ହେଲେହେଁ ଗଣ୍ଡାରକୁ ଭୟ କରନ୍ତି; କାରଣ ଗଣ୍ଡାର ହସ୍ତୀର ପେଟ ଚିରିପକାଏ । ଗଣ୍ଡାର ମାଂସ ଖାଏ ନାହିଁ; ଅତଏବ ସେ ନିରାମିଷାଶୀ ଜୀବ ଅଟେ । ସେ ପୋଷା ମାନେନାହିଁ ।

 

ଏକଦା ଗୋଟିଏ ବୃହତ୍‌ ଗଣ୍ଡାର କୌଣସି ନଦୀର କର୍ଦ୍ଦମ ମଧ୍ୟରେ ପଡ଼ିଯାଇ ଉଠିପାରିଲାନାହିଁ । ପ୍ରାୟ ୨୦୦ ମନୁଷ୍ୟ ମିଶି ତାହାର ଗଳାରେ ଦୁଇଟା ମୋଟା ଦଉଡ଼ି ବାନ୍ଧି ତାହାକୁ ଅତିକଷ୍ଟରେ ଉଠାଇଥିଲେ । ଜଣେ ସାହେବ ସେ ଗଣ୍ଡାରଟା ସେମାନଙ୍କଠାରୁ ୧୦୦ ଟଙ୍କା ମୂଲ୍ୟରେ କିଣି ବିଲାତକୁ ନେଇଯାଇ ସେଠାରେ ୧୫, ୦୦୦ଟଙ୍କା ମୂଲ୍ୟରେ ବିକ୍ରୟ କରିଥିଲେ ।

 

ପଦାର୍ଥ

ଆମ୍ଭେମାନେ ଯାହାକୁ ଚକ୍ଷୁରେ ଦେଖୁଁ ବା କର୍ଣ୍ଣରେ ଶୁଣୁ କିମ୍ବା ନାସିକାଦ୍ୱାରା ଶୁଙ୍ଘୁ ଅଥବା ଜିହ୍ୱାଦ୍ୱାରା ଚାଖୁଁ ବା କୌଣସି ଅଙ୍ଗଦ୍ୱାରା ସ୍ପର୍ଶ କରୁଁ, ତାହାକୁ ବସ୍ତୁ ବା ପଦାର୍ଥ କହନ୍ତି । ତୁମ୍ଭେମାନେ ଲୁହା, ପଥର ଓ କାଠକୁ ଚିପି ସାନ ବା ବଡ଼ କରିପାରିବ ନାହିଁ । ଆମ୍ଭେମାନେ ଯେଉଁ ପଦାର୍ଥର ଆକାରକୁ ସହଜରେ ବଦଳାଇ ନ ପାରୁ, ତାହାକୁ କଠିନ ପଦାର୍ଥ ବୋଲାଯାଏ । ଲୁହା, କାଠ ଓ ପଥର ଏଗୁଡ଼ିକୁ କଠିନ ବା ଟାଣ ପଦାର୍ଥ ।

 

ଜଳ କଠିନ ପଦାର୍ଥ ନୁହେଁ । ସେ ତରଳ ପଦାର୍ଥ । ତରଳ ପଦାର୍ଥର ଆକାରକୁ ସହଜରେ ବଦଳାଇପାରୁଁ । ଚାରିକୋଣିଆ କୁଣ୍ଡରେ ଜଳ ରଖିଲେ, ସେ ଜଳର ଆକାର ଚାରିକୋଣିଆ ଦିଶିବ; ପୁଣି ଗୋଲାକର ପାତ୍ରରେ ଜଳ ରଖିଲେ, ସେ ଜଳର ଆକାର ଗୋଲ ଦିଶିବ । ତରଳ ପଦାର୍ଥ ଟୋପା ଟୋପା ହୋଇ ପଡ଼େ ଓ ଉପରୁ ତଳଆଡ଼କୁ ବୋହିଯାଏ । ବର୍ଷାର ପାଣି କିପରି ବୋହିଯାଏ, ତୁମ୍ଭେମାନେ ଦେଖିଥିବ ।

 

ସୁନା, ରୁପା, ପିତଳ, କଂସା ଏସବୁ କଠିନ ପଦାର୍ଥ; କିନ୍ତୁ ଅଗ୍ନିର ବେଶି ଉତ୍ତାପ ଲାଗିଲେ ସେସବୁ ତରଳିଯାଏ । ପୁଣି ଜଳ ଓ ନଡ଼ିଆତେଲ ତରଳ ପଦାର୍ଥ; କିନ୍ତୁ ବେଶୀ ଶୀତ ହେଲେ ଜଳ ଓ ନଡ଼ିଆତେଲ ବସିଯାଇ କଠିନ ହୋଇଯାଏ ।

 

ଗୋଟିଏ ଜଳପୂର୍ଣ୍ଣ ଗିନାରେ କେତେ ଖଣ୍ଡ କୋଇଲା ରଖି ଦେଖ, କୋଇଲା ସେସବୁ ଜଳ ଶୋଷିନେବ । ହାଣ୍ଡି, ମାଠିଆ ପ୍ରଭୃତି ମଧ୍ୟ ଅଳ୍ପ ଅଳ୍ପ ଜଳ ଶୋଷିନିଅନ୍ତି । କୋଇଲାରେ ଓ ହାଣ୍ଡିଦେହରେ ଅତି ସାନ ସାନ ଛିଦ୍ର ଅଛି ବୋଲି ସେମାନେ ଜଳ ଶୋଷିନିଅନ୍ତି । ସେ ଛିଦ୍ର ଏଡ଼େ ସାନ ଯେ ଖାଲିଆଖିରେ ଦେଖାଯାଏନାହିଁ । ଅତସି କାଚ ନାମକ ଏକପ୍ରକାର କାଚରେ ଦେଖିଲେ ସେ ଛିଦ୍ର ଦେଖାଯାଏ ।

 

କଠିନ ପଦାର୍ଥ ଓ ତରଳ ପଦାର୍ଥ ଛଡ଼ା ଆଉ ଏକପ୍ରକାର ପଦାର୍ଥ ଅଛି । ହାଣ୍ଡିଏ ଜଳକୁ ଚୁଲିଉପରେ ରଖି ଜାଳିଦିଅ. ଦେଖୁଁ ଦେଖୁଁ ଜଳ କମିଯିବ । ବାକି ଜଳ କେଉଁଆଡ଼େ ଗଲା ? ବେଶି ଗରମ ପଶି ହାଣ୍ଡିର ଜଳ ବାମ୍ପ ହୋଇଗଲା । ବାୟୁପରି ଯେଉଁ ପଦାର୍ଥ ଦେଖାଯାଏ ନାହିଁ, ତାହାକୁ ବ୍ୟବସାୟୀ ପଦାର୍ଥ ବୋଲାଯାଏ ।

 

ଶେରସାହ

ତିନିଶ’ ପଚାଶ ବର୍ଷ ପୂର୍ବେ ଜଣେ ମୁସଲମାନ ଭାରତବର୍ଷର ବାଦଶା ବା ସମ୍ରାଟ୍‌ ହୋଇଥିଲେ । ସେ ଜଣେ ଜମିଦାରର ପୁତ୍ର ଥିଲେ । ବାଲ୍ୟକାଳରେ ତାଙ୍କର ନାମ ଫରିଦ୍‌ ଥିଲା । ସେ ନିଜ ଯତ୍ନରେ ଲେଖାପଢା ଓ ଯୁଦ୍ଧବିଦ୍ୟା ଶିଖି ଉଭୟ ବିଷୟରେ ନିପୁଣ ହୋଇଥିଲେ । ସେ ଥରେ ଶିକାର କରିବାକୁ ଯାଇ ଗୋଟିଏ ବୃହତ୍‌ ବ୍ୟାଘ୍ରକୁ ତରବାରିଦ୍ୱାରା ଏକ ଆଘାତରେ ବଧ କରିଥିଲେ ବୋଲି ଲୋକେ ତାହାଙ୍କୁ ଶେର୍‌ ଖାଁ ନାମ ଦେଇଥିଲେ । ପାର୍ସି ଭାଷାରେ ଶେର୍‌ ଶବ୍ଦର ଅର୍ଥ ବାଘ-। ସେ ସୈନ୍ୟ ସଂଗ୍ରହ କରି ବଙ୍ଗଳା ପ୍ରଦେଶ ଜୟ କଲେ । ଭାରତବର୍ଷର ବାଦଶା ହୁମାୟନ ଶେର୍‌ ଖାଁଙ୍କୁ ଦଣ୍ଡ ଦେଇ ତାଙ୍କଠାରୁ ବଙ୍ଗଳା ପ୍ରଦେଶ ଚଡ଼ାଇ ନେବାପାଇଁ ତାଙ୍କ ସଙ୍ଗେ ଯୁଦ୍ଧ କଲେ; କିନ୍ତୁ ସେ ନିଜେ ହାରିଯାଇ ବିଦେଶକୁ ପଳାଇଲେ । ଶେର୍‌ ଖାଁ ଶେରସାହ ନାମ ଗ୍ରହଣ କରି ଦିଲ୍ଲୀର ସିଂହାସନରେ ବସି ବାଦଶା ହେଲେ । ସେ ପାଞ୍ଚବର୍ଷ ମାତ୍ର ରାଜପଣ କରି ମରିଗଲେ; କିନ୍ତୁ ସେହି ଅଳ୍ପକାଳ ମଧ୍ୟରେ ସେ ପ୍ରଜାଙ୍କ ହିତ ନିମିତ୍ତ ଅନେକ ଭଲ କାର୍ଯ୍ୟ କରିଥିଲେ । ସେ ସାତଶ’ କ୍ରୋଶ ଦୀର୍ଘ ଗୋଟିଏ ରାଜପଥ ନିର୍ମାଣ କରାଇଥିଲେ ଏବଂ ତାହାର ଦୁଇ ପାର୍ଶ୍ୱରେ ଛାୟାବୃକ୍ଷ ରୋପଣ କରାଇଥିଲେ । ସେ ରାଜପଥର ଚାରି ଚାରି କ୍ରୋଶ ଦୂରରେ ପଥିକମାନଙ୍କ ରହିବାପାଇଁ ଗୃହ ନିର୍ମାଣ କରାଇ ଦେଇଥିଲେ ।

 

ସେ ଅସାଧାରଣ ବୀରପୁରୁଷ ଥିଲେ । ତାଙ୍କର ଅଦ୍ଭୁତ ସାହସ ଓ ଧୈର୍ଯ୍ୟ ଥିଲା । ମୃତ୍ୟୁ ପୂର୍ବେ ସେ ଗୋଟାଏ ଦୁର୍ଗ ବା ଗଡ଼ ଜୟ କରିବାକୁ ଯାଇଥିଲେ । ଯୁଦ୍ଧ ସମୟରେ ଶତ୍ରୁର ତୋପରୁ ଗୋଟାଏ ଗୋଳା ଆସି ଶେରସାହଙ୍କ ନିକଟରେ ତାଙ୍କ ବାରୁଦ ମଧ୍ୟରେ ପଡ଼ିଲା । ବାରୁଦ ଜଳିଉଠିବାରୁ ତାଙ୍କ ଦେହ ଦଗଧ୍‌ ହୋଇଗଲା; କିନ୍ତୁ ସେ କିଛି ମାତ୍ର କଷ୍ଟ ପ୍ରକାଶ ନ କରି ସୈନ୍ୟମାନଙ୍କୁ ଆଦେଶ ଦେବାକୁ ଲାଗିଲେ । କିଛିକ୍ଷଣ ପରେ ସୈନ୍ୟମାନେ ଦୁର୍ଗ ଜୟ କଲେ । ଜୟ ସମ୍ବାଦ ପାଇ ଶେରସାହ ଈଶ୍ୱରଙ୍କୁ ଧନ୍ୟବାଦ ଦେଲେ । ଅଳ୍ପକ୍ଷଣ ପରେ ତାଙ୍କର ମୃତ୍ୟୁ ହେଲା । ଧନ୍ୟ ତାଙ୍କର ବୀରପଣ, ଧନ୍ୟ ତାଙ୍କର ଧୈର୍ଯ୍ୟ !

 

ବୁଦ୍ଧ ଓ ହଂସ

ଆମ୍ଭେମାନେ ଯେଉଁ ଦେଶରେ ବାସକରୁଁ, ତାହାର ନାମ ଭାରତବର୍ଷ । ତାହାକୁ ହିନ୍ଦୁସ୍ଥାନ ମଧ୍ୟ ବୋଲାଯାଏ । ପୂର୍ବକାଳରେ ଏହି ଦେଶରେ ବୁଦ୍ଧ ନାମରେ ଜଣେ ମହାତ୍ମା ଥିଲେ । ବାଲ୍ୟକାଳରେ ତାହାଙ୍କର ନାମ ସିଦ୍ଧର୍ଥ ଥିଲା । ସେ ବାଲ୍ୟ ସମୟରେ ଦିନେ ତାଙ୍କ ଖୁଡୁତାପୁଅ ଭାଇ ଦେବଦତ୍ତ ସଙ୍ଗରେ ଉଦ୍ୟାନରେ ବସିଥିଲେ । ଏପରି ସମୟରେ ପଞ୍ଝାଏ ହଂସ-ପକ୍ଷୀ ଆକାଶରେ ଉଡ଼ିଯାଇଥିଲେ । ଦେବଦତ୍ତ ସେଥିମଧ୍ୟରୁ ଗୋଟାଏ ହଂସକୁ ଲକ୍ଷ୍ୟ କରି କାଣ୍ଡ ମାରିବାରୁ ସେ ହଂସ ଆଘାତ ପାଇ ଭୂମି ଉପରେ ପଡ଼ିଗଲା । ସିଦ୍ଧାର୍ଥ ସେହି ଅର୍ଦ୍ଧମୃତ ହଂସର କଷ୍ଟ ଦେଖି କାନ୍ଦିପକାଇଲେ ଓ ତାହାକୁ ଭୂମିରୁ ଉଠାଇ ତାହାର ଦେହରୁ ଧୀରେ ଧୀରେ କାଣ୍ଡର ମୁନକୁ ବାହାର କରିନେଲେ । ପରେ ତାହାର ଘା’ ରେ ଔଷଧ ଲଗାଇ ଦେଇ ତାହାକୁ ଆପଣା କୋଳରେ ଥୋଇ ଆଉଁସିଦେବାକୁ ଲାଗିଲେ । କିଛିକ୍ଷଣ ଉତ୍ତାରେ ଦେବଦତ୍ତ କହିଲା, ‘‘ମୁଁ ଏ ହଂସକୁ ଶର ବିନ୍ଧି ତଳକୁ ପକାଉଅଛି । ସେ ହଂସ ମୋର, ମୋତେ ଦିଅ ।’’ ସିଦ୍ଧାର୍ଥ କହିଲେ, ‘‘ତୁମ୍ଭେ ଏଡ଼େ ନିଷ୍ଠୁର ଯେ ଏ ନିର୍ଦ୍ଦୋଷ ଜୀବଟିକୁ ଅକାରଣରେ ଆଘାତ କଲ । ମୁଁ ତୁମ୍ଭଙ୍କୁ ଏ ହଂସ କେଭେଁ ଦେବି ନାହିଁ ।’’ ଦୁହିଁଙ୍କ ମଧ୍ୟରେ ଏପରି ବିବାଦ ହେଲା ଏବଂ ଦୁହେଁଯାକ ଜଣେ ସାଧୁପୁରୁଷଙ୍କ ନିକଟକୁ ଯାଇ ତାଙ୍କୁ ସବୁକଥା କହି ପଚାରିଲେ, ‘‘ଏ ହଂସଟି କିଏ ପାଇବାର ଯୋଗ୍ୟ ? ଆପଣ ନ୍ୟାୟ ବିଚାର କରନ୍ତୁ ।’’ ସାଧୁ କହିଲେ, ‘‘ମାରିବା ଲୋକର କିଛି ଅଧିକାର ନାହିଁ । ଯେ ବଞ୍ଚାଇଅଛି ତାହାରି ଅଧିକାର ।’’ ସାଧୁ ଏପରି କହିବାରୁ ସିଦ୍ଧାର୍ଥ ହଂସଟିକୁ ରଖିଲେ ଏବଂ ତାହାର ଘା’ ଶୁଖିଗଲା ଉତ୍ତାରେ ତାହାକୁ ଉଡ଼ାଇଦେଲେ ।

 

ଏହି ସିଦ୍ଧାର୍ଥ ଜଣେ ରାଜାଙ୍କର ଏକମାତ୍ର ପୁତ୍ର ଥିଲେହେଁ ସେ ବୃଥା କ୍ରୀଡ଼ା ଓ ଆମୋଦରେ ମନ ନ ଦେଇ ବିଦ୍ୟାଶିକ୍ଷା, ଅସ୍ତ୍ରଶିକ୍ଷା ଓ ଧର୍ମଶିକ୍ଷାର ମନ ଦେଇଥିଲେ ଏବଂ ଯୌବନ ସମୟରେ ସଂସାରର ସବୁ ସୁଖ ଓ ଐଶ୍ୱର୍ଯ୍ୟ ତ୍ୟାଗ କରି ଧର୍ମଚିନ୍ତା କଲେ । ପରେ ସେ ନାନାସ୍ଥାନରେ ବୁଲି କାହାରିକୁ ହିଂସା ନ କର, ମନକୁ ଶୁଦ୍ଧ ରଖ, ଜୀବପ୍ରତି ଦୟା କର – ଏହି ଉପଦେଶମାନ ଦେଇଥିଲେ । ଏବେ କୋଟି କୋଟି ଲୋକ ତାହାଙ୍କୁ ବୁଦ୍ଧଦେବ ବୋଲିଭକ୍ତି କରୁଅଛନ୍ତି । ଧନ୍ୟ ତାଙ୍କର ଦୟା; ଧନ୍ୟ ତାଙ୍କର ଜୀବନ ।

 

କୁମ୍ଭୀର

ନଦୀ, ପୋଖରୀ ପ୍ରଭୃତି ଜଳାଶୟମାନଙ୍କରେ କୁମ୍ଭୀର ବାସକରେ । ବନ ମଧ୍ୟରେ ବାଘ ଯେପରି ଭୟଙ୍କର, ଜଳ ମଧ୍ୟରେ କୁମ୍ଭୀର ସେହିପରି ଭୟଙ୍କର ଜନ୍ତୁ ଅଟେ । ବାଘ ଦେଖିବାକୁ ବିରାଡ଼ି ପରି; କୁମ୍ଭୀର ଦେଖିବାକୁ ଗୋଧି ପରି ।

 

କୁମ୍ଭୀରର ଚର୍ମ କାତିମୟ ଓ ଅତ୍ୟନ୍ତ କଠିନ । କୁମ୍ଭୀରର ଚାରୋଟି ପାଦ । ଆଗ ପାଦଦୁଇଟିରେ ପାଞ୍ଚୋଟି ଲେଖାଏଁ ଓ ପଛ ପାଦଦୁଇଟିରେ ଚାରୋଟି ଲେଖାଏଁ ଅଙ୍ଗୁଳି ଅଛି । କୁମ୍ଭୀରର ଲାଞ୍ଜ ଲମ୍ବ ଏବଂ ତାହାର ଦୁଇ ପାକରେ କରତର ଦାନ୍ତପରି ମୁନିଆ କାତି ଥାଏ ।

 

କୁମ୍ଭୀର ମତ୍ସ୍ୟ ପ୍ରଭୃତି ଜଳଚର ଜନ୍ତୁ ଖାଇ ଜୀବନ ଧାରଣ କରେ; କିନ୍ତୁ କୌଣସି ସ୍ଥଳଚର ଜନ୍ତୁ ତାହାର ହାବୁଡ଼ରେ ପଡ଼ିଗଲେ ତାହାକୁ ମଧ୍ୟ ମାରିପକାଏ ଖାଏ । ନଦୀତଟରେ କିମ୍ବା ପୋଖରୀକୂଳରେ ଛେଳି, ମେଣ୍ଢା, ବାଛୁରୀ ଚରୁଥିବାବେଳେ କୁମ୍ଭୀର ପାଣି ଉପରେ ଭାସି ସେମାନଙ୍କୁ ନିରୀକ୍ଷଣ କରୁଥାଏ । କୌଣସି ଜନ୍ତୁ ଚରୁ ଚରୁ ଜଳ ନିକଟକୁ ଆସିଲେ ଏବଂ ପାଣି ପିଇବା ଲାଗି ପାଣି ଭିତରେ ଗୋଡ଼ ଦେଲେ କୁମ୍ଭୀର ତାହାକୁ ଲକ୍ଷ୍ୟ କରି ବୁଡ଼ାମରି ତାହା ପାଖରେ ହଠାତ୍‌ ପହଞ୍ଚିଯାଇ ତାହାକୁ ଲାଞ୍ଚରେ ପିଟି ପାଣିଭିତରକୁ ଟାଣିନେଇ ବୁଡ଼ାଇରଖେ ଏବଂ ମରିଗଲାକ୍ଷଣି ମୁନିଆଁ ଦାନ୍ତରେ ଖଣ୍ଡ ଖଣ୍ଡ କରି ଛିଣ୍ଡାଇ ଗିଳିପକାଏ । ଯେଉଁ ଜଳାଶୟରେ କୁମ୍ଭୀର ଥାଏ, ମନୁଷ୍ୟ ସେଥିରେ ସାବଧାନ ନ ହୋଇ ପଶିଲେ, କୁମ୍ଭୀର ତାକୁ ମଧ୍ୟ ଆକ୍ରମଣ କରି ଗ୍ରାସ କରେ ।

 

କୁମ୍ଭୀର ଜଳଚର ଜନ୍ତୁ ଅଟେ; କିନ୍ତୁ ସେ ଅନେକ ସମୟରେ ନଦୀର ପଠାଉପରେ ଓ ପୋଖରୀକୂଳ ଭୂମିରେ ଖରାପିଏ । ସେ ମାଟି ଉପରେ ଧୀରେ ଧୀରେ ଚାଲେ । ବେଶି ଦୌଡ଼ିପାରେ ନାହିଁ ଓ ଅନେକ ଦୂର ଚାଲିପାରେନାହିଁ ।

 

ସରୀସୃପ ଓ ପକ୍ଷୀମାନେ ଡିମ୍ବ ଦିଅନ୍ତି । ସେହି ଡିମ୍ବରୁ ଛୁଆ ବାହାରେ । କୁମ୍ଭୀର ସରୀସୃପ । ତାହାର ଥରକେ ଅନେକଗୁଡ଼ିଏ ଡିମ୍ବ ହୁଏ । କୁମ୍ଭୀର ଅଣ୍ଡାଗୁଡ଼ିକ ଶୁଖିଲା ସ୍ଥାନରେ ରଖିଦେଇ ସେମାନଙ୍କୁ ଆଉ ପଚାରେ ନାହିଁ । ନେଉଳ ପ୍ରଭୃତି ଅନେକ ଜନ୍ତୁ ଡିମ୍ବଗୁଡ଼ିକ ନଷ୍ଟ କରିପକାନ୍ତି । ଡିମ୍ବ ଫୁଟି ଛୁଆ ବାହାରିଲେ ଅନେକ ଜନ୍ତୁ କୁମ୍ଭୀରର ଛୁଆମାନଙ୍କୁ ନଷ୍ଟ କରନ୍ତି ଏବଂ ଅନେକ ସମୟରେ କୁମ୍ଭୀର ମଧ୍ୟ ଆପଣାର ଛୁଆ ମଧ୍ୟରୁ ଗୋଟାକେତେ ଗ୍ରାସକରେ ।

 

ଗ୍ରୀଷ୍ମକାଳରେ କୁମ୍ଭୀର ନଦୀ, ପୁଷ୍କରିଣୀ ଜଳ ଶୁଖିଗଲେ ବାଲି ବା ମାଟି ଭିତରେ ବସା କରି ରହେ । ବର୍ଷାଦିନ ହେବଯାଏ ସେ ତାହା ଭିତରେ କୁମ୍ଭକର୍ଣ୍ଣ ପରି ଶୋଇଥାଏ । ଶୁଣାଅଛି, ଗୋଟିଏ ଦେଶରେ ଜଣେ ଲୋକ ଗୋଟିଏ କୁମ୍ଭୀର ବସା ଉପରେ କୁଡ଼ିଆ ତିଆରି କରି ରହିଥିଲା । ଯେତେବେଳେ ଚୂଲିରେ ଜାଳଦେଇ ସେ ଭାତ ରାନ୍ଧିଲା, ସେତେବେଳେ ଘର ତଳେ ଶୋଇଥିବା କୁମ୍ଭୀର ଦେହକୁ ନିଆଁ ଧାସ ଲାଗିଲା । କୁମ୍ଭୀରର ନିଦ ଟିକିଏ ଭାଙ୍ଗିଯିବାରୁ ଭାବିଲା, ଏହିକ୍ଷଣି ଖରା ହୋଇଅଛି, ପଛକୁ ପୁଣି ଥଣ୍ଡା ହୋଇଯିବ । ମାତ୍ର ଥଣ୍ଡା ହେବ କ’ଣ, ଅଧିକ ଗରମ ବୋଧହେଲା । ତହୁଁ ସେ ତାତି ସହି ନ ପାରି ବାହାରି ଆସିବାକୁ ବିଚାରିଲା ଏବଂ ଉପର ମାଟି ଫୁଟାଇ ଦେଇ ବେଗରେ ଯାଇ ନଦୀରେ ପଶିଲା । ତାହାର ଏହିପରି ଯିବାରେ କୁଡ଼ିଆ ଖଣ୍ଡି ସେହିଠାରେ ଭାଙ୍ଗିପଡ଼ିଲା ।

 

ସର୍ପ

ପୃଥିବୀରେ ନାନାପ୍ରକାରେ ସର୍ପ ଅଛନ୍ତି । କେତେକ ସର୍ପର ଦାନ୍ତରେ ବିଷ ଥାଏ – ଯେପରି ନାଗ, ଗୋଖୁର, ତମ୍ପ, ଶଙ୍ଖଚୂଡ଼ ଇତ୍ୟାଦି । ସେମାନଙ୍କୁ ବିଷଧର ସର୍ପ ବୋଲାଯାଏ । ବିଷଧର ସର୍ପ ଯାହାକୁ ଦଂଶନ କରେ, ତାହାର ରକ୍ତ ସଙ୍ଗେ ସର୍ପର ବିଷ ମିଶିଯାଇ ତାହାର ପ୍ରାଣ ନାଶ କରେ । ଗୋଖୁର ସାପର ବିଷ ଏପରି ଭୟଙ୍କର ଯେ ତାହାର ଦଂଶନରେ ମନୁଷ୍ୟ ଅଧଘଣ୍ଟାରୁ ଅଧିକ ବଞ୍ଚିପାରେ ନାହିଁ । ସବୁ ପ୍ରାଣୀ ସର୍ପକୁ ଭୟ କରନ୍ତି । ହସ୍ତୀ, ବ୍ୟାଘ୍ର ପ୍ରଭୃତି ବଡ଼ ବଡ଼ ଜନ୍ତୁମାନେ ଗୋଖୁର ସର୍ପ ଦେଖିଲେ ପଳାଇଯାନ୍ତି । ଏକଦା କୌଣସି ବାନର ସମ୍ମୁଖରେ ଗୋଟାଏ ମୃତ ସର୍ପ ପକାଇ ଦେଲାକ୍ଷଣି ସେ ଭୟରେ ଅଚେତନ ହୋଇପଡ଼ିଥିଲା ।

 

ସର୍ପର ଗୋଡ଼ ନାହିଁ । ସେ ଛାତିରେ ଭରା ଦେଇ ଚାଲେ । ଯେଉଁ ଜନ୍ତୁମାନେ ଛାତିରେ ଭରା ଦେଇ ଚାଲନ୍ତି, ସେମାନଙ୍କୁ ସରୀସୃପ ବୋଲାଯାଏ । କେତେକ ସର୍ପର ବେକ ପାଖରେ ମାଂସ ଓ ଚର୍ମ ଏପରି ଯେ, ସେ ସର୍ପମାନେ ସେ ଅଂଶକୁ ଲୋଚା କିମ୍ବା ମେଲା କରିପାରନ୍ତି । ସେହି ଅଂଶକୁ ଫଣା ବୋଲାଯାଏ । ଯେଉଁ ସର୍ପର ଫଣା ଅଛି, ତାହାକୁ ଫଣୀ ବୋଲାଯାଏ ।

 

ସର୍ପ ନିଜେ ଗର୍ତ୍ତ କରିପାରେ ନାହିଁ । କୌଣସି ଗର୍ତ୍ତ ପାଇଲେ ସେଥିରେ ବାସକରେ । ଶୀତକାଳରେ ସର୍ପମାନଙ୍କର କ୍ଷୁଧା ଥାଏ ନାହଁ । ସେମାନେ ପ୍ରାୟ ଗର୍ତ୍ତରୁ ବାହରନ୍ତି ନାହିଁ । ଗ୍ରୀଷ୍ମକାଳରେ ସର୍ପର ତେଜ ବଢେ । ସେ ସମରେ ସେ ଗର୍ତ୍ତରୁ ବାହାରି ଏଣେତେଣେ ବେଙ୍ଗ, ମୂଷା ପ୍ରଭୃତି କ୍ଷୁଦ୍ର ଜୀବମାନଙ୍କୁ ଖାଏ । ବର୍ଷାକାଳରେ ବିଲ, ପଡ଼ିଆ ପାଣିରେ ବୁଡ଼ିଗଲେ ସର୍ପମାନେ ଉଚ୍ଚଭୂମିକୁ ବା ଲୋକମାନଙ୍କ ଘରକୁ ପଳାଇଯାଇ, ଗର୍ତ୍ତ ପାଇଲେ ସେ୍‌ତରେ ବାସକରନ୍ତି ।

 

ପର୍ବତ ଓ ବନମାନଙ୍କରେ ଦଶ ବାର ହାତ ଲମ୍ବା ସାପ ଦେଖାଯାନ୍ତି । ସେ ସର୍ପମାନଙ୍କୁ ଅଜଗର ବୋଲାଯାଏ । ସେମାନେ ବୋଡ଼ା ଜାତୀୟ ସର୍ପ । ସେମାନେ ହରିଣ, ଛାଗଳ ଜନ୍ତୁମାନଙ୍କୁ ଝଟ୍‌ ଧରିପକାଇ ଏପରି ଭିଡ଼ିଦିଅନ୍ତି ଯେ ସେ ଜନ୍ତୁମାନଙ୍କର ଅସ୍ଥିସବୁ ଚୂର୍ଣ୍ଣ ହୋଇଯାଏ । ତହିଁ ଉତ୍ତାରେ ଅଜଗର ତାହାର ଶିକାରକୁ ଧୀରେ ଧୀରେ ଗିଳିଥାଏ ।

 

ବିଷଧର ସର୍ପମାନେ ଅତି ଭୟଙ୍କର ହେଲେହେଁ ସାପୁଆ କେଳାମାନେ ସେମାନଙ୍କୁ କୌଶଳରେ ଧରି ଡମ୍ବରୁ ଓ ତୁମ୍ବି ବଜାଇ ଓ ଗୀତ ଗାଇ ସେମାନଙ୍କୁ ଖେଳାନ୍ତି ଏବଂ ତଦ୍ଦ୍ୱାରା ଜୀବିକା ଉପାର୍ଜନ କରନ୍ତି । ସେମାନେ ସର୍ପର ବିଷଦନ୍ତ ଭାଙ୍ଗିଦେଇଥାନ୍ତି ।

 

ସର୍ପ ଦଂଶନ କଲେ ଡାକ୍ତରମାନେ କ୍ଷତସ୍ଥାନ ଉପରକୁ ତିନି ଚାରି ଆଙ୍ଗୁଳି ଅନ୍ତରରେ ଦଉଡ଼ି କଷି ବାନ୍ଧିଦିଅନ୍ତି । ଘା’କୁ ଭଲରୂପେ ତୀକ୍ଷ୍‌ଣ ଛୁରୀରେ ଚିରି. କୁରକ୍ତ ବାହାର କରିଦିଅନ୍ତି ଓ ପୋଟାସ୍‌ ପରମାଙ୍ଗାନେଟ୍‌ ନାମକ ଔଷଧ ଘା’ରେ ଲଗାଇଦିଅନ୍ତି ।

 

ପ୍ରଜାପତି

ଶିକ୍ଷକ –ପିଲାମାନେ, ତୁମେ ପ୍ରଜାପତି ଦେଖିଅଛ ? ମୁଁ ଗୋଟାଏ ଧରି ଆଣିଚି, ଦେଖ । ତାକୁ ମାରିବା ନାହିଁ, ଏହିକ୍ଷଣି ଛାଡ଼ିଦେବା ।

ପ୍ରଥମ ଛାତ୍ର ରାମ –ଏ ଚଢେଇଟି ବଡ଼ ସୁନ୍ଦର । ତାର ଡେଣା କେମନ୍ତେ ଚିତ୍ର-ବିଚିତ୍ର ହେଇଛି !

 

ଶିକ୍ଷକ – ପ୍ରଜାପତି ଚଢେଇ ନୁହେଁ, ସେ ପତଙ୍ଗ । ଚଢେଇର ଦୁଇଟା ପାଦ । ପତଙ୍ଗର ଛଅଟା ପାଦ । ଚଢେଇର ଦୁଇଟା ଡେଣା । ପତଙ୍ଗର ଦୁଇଯୋଡ଼ା ବା ଚାରିଟା ଡେଣା । ଏଇ ପ୍ରଜାପତିର ଡେଣା ଉପରେ ଧୀରେ ଅଙ୍ଗୁଳି ବୁଲାଇ ଦେଖ ।

 

ଦ୍ୱିତୀୟ ଛାତ୍ର ହରି – ମୋ ଆଙ୍ଗୁଳିରେ ଧୂଳିପରି କଅଣ ଲାଗିଗଲା ?

ଶିକ୍ଷକ – ମାଛ ଦେହରେ କେତିକି କାତି ଯେପରି ଲାଗିରହିଥାଏ, ପ୍ରଜାପତି ଦେହରେ ଧୂଳି ସେହିପରି ଲାଗିରହିଥାଏ ! ବାସ୍ତବରେ ସେ ଧୂଳି ନୁହେଁ, ସେ ଏକପ୍ରକାର ପାତଳ କାତି । ଏବେ ପ୍ରଜାପତିର ମୁଣ୍ଡଟି ଦେଖ ।

 

ତୃତୀୟ ଛାତ୍ର ଦନେଇ – ପ୍ରଜାପତିର ମୁଣ୍ଡରୁ ଦୁଇଟା ଶିଙ୍ଗ ବାହାରିଚି । ଆଖି ଦିଇଟା ବଡ଼ ବଡ଼ । ସେ ଆଖି ବୁଜିଦେଇଚି ।

 

ଶିକ୍ଷକ – ପ୍ରଜାପତି ଉଡ଼ିବାବେଳେ ଆଗ ପଛ ଦୁଇ ଆଡ଼କୁ ଅନାଇପାରେ; କିନ୍ତୁ ସ୍ଥିର ହୋଇ ବସିଲାବେଳେ ସେ କେବଳ ଆଗ ଆଡ଼କୁ ଅନାଇପାରେ । କାରଣ, ସେତେବେଳେ ତାହାର ଡେଣାଗୁଡ଼ିକ ଏପରି ଭାବରେ ପଛ ଆଡ଼କୁ ରହେ ଯେ ସେ ପଛ ଆଡ଼ଟା ଦେଖିପାରେ ନାହିଁ । ତୁମ୍ଭେମାନେ ଫୁଲ ଉପରେ ପ୍ରଜାପତି ବସିଥିବାର ଦେକିଚ ? ସେ କାହିଁକି ଫୁଲ ଉପରେ ବସେ ?

 

ଚତୁର୍ଥ ଛାତ୍ର କହ୍ନେଇ – ହଁ, ଫୁଲ ଉପରେ ବସିବାର ଦେଖିଚି । କାହିଁକି ବସେ କହିପାରିବି ନାହିଁ ।

ଶିକ୍ଷକ – ଉମା, ତୁମେ କହିପାରିବ ?

 

ଛାତ୍ରୀ ଉମା – ମହୁମାଛି ଯେପରି ଫୁଲର ରସ ପିଏ, ପ୍ରଜାପତି ସେହିପରି ଫୁଲର ରସ ପିଇବା ପାଇଁ ଫୁଲ ଉପରେ ବସେ ।

 

ଶିକ୍ଷକ – ହଁ । ହାତୀର ଯେପରି ଶୁଣ୍ଢ ଥାଏ, ପ୍ରଜାପତି ସେହିପରି ଗୋଟି, ସରୁ ଶୁଣ୍ଢ ଅଛି-। ତାକୁ ସେ ମୁଣ୍ଡ ଭିତରେ ଲୁଚେଇ ରଖିଥାଏ । ଫୁଲ ଉପରେ ବସିଲାବେଳେ ସରୁ ନଳ ପରି ଶୁଣ୍ଢଟିକି ବାହାର କରି ତାହାଦ୍ୱାରା ସେ ମହୁମାଛି ପରି ଫୁଲ ଭିତରୁ ରସ ଶୋଷିନିଏ । କିନ୍ତୁ ସେ ମହୁମାଛି ପରି ମହୁ ସଞ୍ଚୟ କରେ ନାହଁ । ଏବେ ତୁମେମାନେ ପ୍ରଜାପତିର ଦେହ ବିଷୟରେ କେତେକ କଥା ଶିଖିଲ । ଏବେ କହିଲ ଭଲା, ପ୍ରଜାପତିର ଜନ୍ମ କିପରି ହୁଏ ? ଉମା – ପ୍ରଜାପତି ମା’ ପେଟରୁ ଜନ୍ମ ହୁଏ ।

 

ଶିକ୍ଷକ – ନା, କହିପାରିଲ ନାହିଁ । ପ୍ରଜାପତିର ଜନ୍ମ ବଡ଼ ଆଶ୍ଚର୍ଯ୍ୟ । ମଗେ ପ୍ରଜାପତି ଗଛର ପତ୍ରରେ ଡିମ୍ବ ଦିଏ; ଡିମ୍ବ ଦେଇ ମରିଯାଏ । ଡିମ୍ବ ଦେହରୁ ସଂବାଳୁଆ ପରି ଲମ୍ବା ଲମ୍ବା ବଡ଼ ଅସୁନ୍ଦର ପୋକ ବାହାରେ । ସେ ପୋକ ବଡ଼ ପେଟୁ । ସେ ବହୁତ ଶାଗୁଆ ପତ୍ର ଖାଇପକାଏ । ସେ ଏତେ ପତ୍ର ଖାଏ ଯେ ତା’ ଦେହର ଚମ ଥରକୁ ଥର ଫାଟିଯାଏ; ତେବେ ସୁଦ୍ଧା ସେ ଖାଉଥାଏ-। ଖାଉ ଖାଉ ଖୁବ୍‌ ମୋଟା ହୋଇଯାଏ । ତୁମେମାନେ ଗଛର ପତ୍ରରେ ଏପରି ମୋଟା ଲମ୍ବ ଲମ୍ବ କଦାକାର ପୋକ ଦେଖିଥିବ । ଅତି ମୋଟା ହୋଇଗଲେ ସେ ଆଉ ଖାଇପାରେ ନାହିଁ । ଗୁଡ଼େଇ ହୋଇ ମଳାପରି ତିନି ଚାରି ସପ୍ତାହ ପଡ଼ିରହେ । ତାହାର ଏପରି ଅବସ୍ଥାକୁ ଗୋଟିକପୋକର ଅବସ୍ଥା ବୋଲାଯାଏ । ତିନି ଚାରି ସପ୍ତାହ ପରେ ତା’ ଦେହରୁ କ୍ରମେ କ୍ରମେ ସୁନ୍ଦର ପ୍ରଜାପତି ପତଙ୍ଗ ବାହାରେ । ପ୍ରଜାପତି ଏହିପରି ବାହାରି କିଛିକାଳ ସୁକରେ ଏଣେତେଣେ ବୁଲି, ଫୁଲର ରସ ଖାଇ, ଡିମ୍ବ ଦେଇ ମରିଯାଏ ।

 

ବାବର ଓ ରାଜପୁତ୍‌ ସିପାହୀ

ଭାରତବର୍ଷର ଉତ୍ତର-ପଶ୍ଚିମ ଭାଗରେ ଦିଲ୍ଳୀ ନାମରେ ଗୋଟିଏ ବିଖ୍ୟାତ ନଗର ଅଛି । ପୂର୍ବେ ଏହା ଭାରତବର୍ଷର ରାଜଧାନୀ ଥିଲା । ପ୍ରାୟ ୩୮୫ ବର୍ଷ ପୂର୍ବେ ବାବର ନାମରେ ଜଣେ ମୋଗଲ ଯୋଦ୍ଧା ସୈନ୍ୟ ସହିତ ବିଦେଶରୁ ଆସି ଇବ୍ରାହିମ ଲୋଦି ନାମକ ବାଦଶାହଙ୍କୁ ଯୁଦ୍ଧରେ ହରାଇ ଦେଇ ଦିଲ୍ଲୀରେ ସମ୍ରାଟ୍‌ ହେଲେ । ଲୋଦି ବାଦଶାହ ହାରିଯିବାର ଦେଖି ତାଙ୍କର ଜଣେ ବିଶ୍ୱସ୍ତ ରାଜପୁତ୍‌ ସିପାହୀ ମନରେ ବିଚାରିଲା, ‘‘ଯେକୌଣସି ପ୍ରକାରେ ହେଉ, ଯେଉଁଠାରେ ପାଇବି ବାବରଙ୍କୁ ବଧ କରିବି ଓ ମୋର ପ୍ରଭୁଙ୍କୁ ପୁଣି ସିଂହାସନରେବସାଇବି ।’’ ଏହିପରି ବିଚାରି ସେ ଗୋଟାଏ ତୀକ୍ଷଣ କଟାରି ଅଙ୍ଗରେଖା ମଧ୍ୟରେ ଲୁଚାଇ ରଖି ନଗର ମଧ୍ୟରେ ବୁଲୁଥାଏ । ଦିନେ ସେ ରାଜପଥରେ ମଣିଷମାନଙ୍କ ଭିଡ଼ମଧ୍ୟରେ ବୁଲୁ ବୁଲୁ ଦେଖିଲା ଯେ ହଠାତ୍‌ ଲୋକେ ଘାବରା ହୋଇ ଏଣେତେଣେ ପଳାଉ ଅଛନ୍ତି । କ୍ଷଣକ ପରେ ଦେଖିଲା ଯେ ଗୋଟାଏ ପ୍ରକାଣ୍ଡ ହସ୍ତୀ ବାୟା ହୋଇ ହାତୀଶାଳରୁ ଫିଟି ପଳାଇ ଆସୁଅଛି । ଏହି ଉପଦ୍ରବ ମଧ୍ୟରେ ଗୋଟାଏ କ୍ଷୁଦ୍ର ବାଳକ କିପରି ଲୋକଭିଡ଼ରେ ପଳାଇ ଯାଇ ପାରିଲା ନାହିଁ । ହାତୀ ବାଳକ ନିକଟରେ ଆସି ପହଞ୍ଚିଗଲାଣି, ମାଡ଼ିପକାଇବ; କିନ୍ତୁ ବାଳକଟିକୁ ଉଠାଇ ନେବାକୁ କେହି ସାହସ କରୁନାହିଁ । ଏହି ସମୟରେ ଜଣେ ଲୋକ ଦୌଡ଼ିଆସି ପିଲାଟିକୁ କୋଳରେ ଉଠାଇ ନେଇ, ଅଳ୍ପ ହଟିଯାଇ ହାତୀର ପେଟତଳେ ପଶି ଚାଲିଗଲା । ସେତିକିବେଳେ ସେ ଲୋକର ମୁଣ୍ଡରୁ ପଗଡ଼ି ଖସି ପଡ଼ିଲା । ଯେଉଁ ରାଜପୁତ୍‌ ସିପାହୀ ବାବରଙ୍କୁ ହତ୍ୟା କରିବା ପାଇଁ ବୁଲୁଥିଲା, ସେ ନିକଟରେ ଥିଲା । ସେ ବାଳକର ରକ୍ଷାକର୍ତ୍ତାକୁ ବାବର ବୋଲି ଚିହ୍ନିପାରି ତାଙ୍କ ପାଦତଳେ ପିଡ଼ିଗଲା ଓ ତାଙ୍କ ହସ୍ତରେ ନିଜର କଟାରିକୁ ଦେଇ କହିଲା, ‘‘ଏହି କଟାରି ନିଅ ଓ ତଦ୍ଦ୍ୱାରା ମୋତେ ବଧ କର । ମୁଁ ଆପଣଙ୍କୁ ହତ୍ୟା କରିବାପାଇଁ ଆସିଥିଲି; କିନ୍ତୁ ଏବେ ବୁଝିଲି ଯେ, ପ୍ରାଣୀକୁ ବଧ କରିବା ଅପେକ୍ଷା ନିଜ ପ୍ରାଣର ମାୟା ଛାଡ଼ି ତାହାକୁ ରକ୍ଷା କରିବା ଶ୍ରେଷ୍ଠ କର୍ମ ।’’ ବାବର ରାଜପୁତ୍‌କୁ ତଳୁ ଉଠାଇ ଆଲିଙ୍ଗନ କରି କହିଲେ, ‘‘ତୁମ୍ଭେ ଠିକ୍‌ କହିଅଛ । ପ୍ରାଣୀକୁ ମାରିବା ଅପେକ୍ଷା ତାକୁ ରକ୍ଷା କରିବା ଶ୍ରେଷ୍ଠ । ମୁଁ ତେବେ ତୁମ୍ଭଙ୍କୁ କିପରି ମାରିବି ! ଆଜିଠାରୁ ମୁଁ ତୁମ୍ଭଙ୍କୁ ମୋର ଦେହରକ୍ଷକ ସିପାହୀ-କର୍ମ ଦେଲି ।’’ ରାଜପୁତ୍‌ର ମୁଖରୁ ଆଉ କଥ ସ୍ଫୁରିଲା ନାହିଁ । ତାହାର ଚକ୍ଷୁରୁ ଆଶ୍ରୁଧାରା ବହିବାକୁ ଲାଗିଲା । ସେହିଦିନୁ ସେ ମନପ୍ରାଣ ଦେଇ ବାବରଙ୍କ ସେବା କରିବୋକୁ ଲାଗିଲା ।

 

ସୁଲତାନ ଘିଆସୁଦ୍ଦିନ୍‌ ଓ କାଜି

ପୂର୍ବ କାଳରେ ବଙ୍ଗ ଦେଶରେ ସୁଲତାନ ଘିଆସୁଦ୍ଦିନ୍‌ ନାମରେ ଜଣେ ନବାବ ବା ରାଜା ଥିଲେ । ସେ ଦିନେ ତୀର ମାରୁ ମାରୁ ତୀର ଗୋଟିଏ ବାଳକର ଦେହରେ ବାଜିଲା ଓ ତା’ ଦେହରୁ ରକ୍ତଧାରା ବହିବାକୁ ଲାଗିଲା । ସେ ବାଳକଟି ଗୋଟିଏ ବିଧବାର ପୁତ୍ର । ବିଧବା ତତ୍‌କ୍ଷଣାତ କାଜି ବା ବିଚାରକଙ୍କ ନିକଟକୁ ଯାଇ ଗୁହାରି କଲା । କାଜି ମନେ ମନେ ବିଚାର କଲେ, ‘‘ମୁଁ ଯଦି ନବାବଙ୍କୁ ଡକାଇ ଆଣିବାର ଆଦେଶ ଦେବି, ତାହାହେଲେ ସେ ମୋ ଉପରେ କ୍ରୁଦ୍ଧ ହେଶି କେଜାଣେ କି ଅନିଷ୍ଟ କରିବେ; ପୁଣି ସେ ନବାବ ବୋଲି ମୁଁ ଯଦି ଡରିଯାଇ ତାଙ୍କ ଅପରାଧର ବିଚାର ନ କରେ, ତାହାହେଲେ ମୁଁ ଅନ୍ୟାୟକାରୀ ବୋଲି ଈଶ୍ୱରଙ୍କ ନିକଟରେ ଅପରାଧୀ ହେବି ।’’

 

ଏହିପରି ଭାଳି ଭାଳି ସେ ବିଚାରାଳୟରେ ଉପସ୍ଥିତ ହେବାପାଇଁ ନବାବଙ୍କ ନିକଟକୁ ଆଦେଶପତ୍ର ପଠାଇଲେ । ନବାବ ଆଦେଶପତ୍ର ପାଇଲାକ୍ଷଣି ବିଚାରାଳୟକୁ ଯାଇ ସେଠାରେ ଉପସ୍ଥିତ ହୋଇ କାଜିଙ୍କୁ ସଲାମ କଲେ । କାଜି ନବାବଙ୍କ ପ୍ରତି କିଛିମାତ୍ର ସମ୍ମାନ ପ୍ରକାଶ ନ କରି କହିଲେ, ‘‘ତୁମ୍ଭେ ଏହି ବିଧବାର ପୁତ୍ରକୁ ତୀରଦ୍ୱାରା ବିଦ୍ଧ କରିଅଛ । ସେ ତୁମ୍ଭଙ୍କୁ କ୍ଷମା ନ କଲେ, ଆମ୍ଭେ ତୁମ୍ଭଙ୍କୁ ଆଇନ ଅନୁସାରେ ଉଚିତ ଦଣ୍ଡ ଦେବୁ । ନବାବ ଏହି ଆଦେଶ ଶୁଣି ମୁଣ୍ଡ ନୁଆଁଇ କାଜିଙ୍କୁ ସଲାମ କଲେ ଏବଂ ସେହି ବିଧବାକୁ ବହୁତ ଟଙ୍କା ଦେଇ ସନ୍ତୁଷ୍ଟ କଲେ । ତହିଁଉତ୍ତାରେ ସେ କାଜିଙ୍କୁ କହିଲେ, ‘‘ହେ ଧର୍ମାବତାର, ଏ ବିଧବା ମୋତେ କ୍ଷମା କରିଅଛି ।’’ ତହୁଁ କାଜି ବିଧବାକୁ ପଚାରିଲେ ତୁମ୍ଭେ କି ଏହି ଅପରାଧୀକୁ କ୍ଷମା କରିଅଛ । ବିଧବା ହିଁ କହିବାରୁ କାଜି ତାହାକୁ ବିଦାୟ ଦେଲେ ଏବଂ ନିଜ ଆସନରୁ ଓହ୍ଲାଇ ଆସି ନବାବଙ୍କୁ ପ୍ରଣାମ କଲେ । ନବାବ ତହୁଁ ତାଙ୍କ ବସ୍ତ୍ର ମଧ୍ୟରୁ ଗୋଟିଏ କ୍ଷୁଦ୍ର ତରବାରି ବାହାର କରି ତାହାକୁ ହସ୍ତରେ ଧରି କହିଲେ, ‘‘ହେ କାଜି, ମୁଁ ତୁମ୍ଭ ଆଜ୍ଞା ଅନୁସାରେ ତୁମ୍ଭରି ବିଚାରାଳୟରେ ଉପସ୍ଥିତ ହେଲି; କିନ୍ତୁ ତୁମ୍ଭେ ଯଦି ପକ୍ଷପାତ କରି ମୋ ଅପରାଧର ବିଚାର କରି ନ ଥାନ୍ତ, ତାହାହେଲେ ଆଜି ଏହି ତରବାରିଦ୍ୱାରା ତୁମ୍ଭର ମସ୍ତକ ଛେଦନ କରିଥାନ୍ତି । ମୁଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଉଅଛି ଯେ, ମୋ ରାଜ୍ୟରେ ତୁମ୍ଭପରି ଜଣେ ନ୍ୟାୟବାନ୍‌ ବିଚାରକ ଅଛନ୍ତି ।’’

 

ମହାତ୍ମା ସୈୟଦ୍‌ ଅହମ୍ମଦ ଖାଁ

ଯେଉଁ ଲୋକ ଜଗତର ଓ ମନୁଷ୍ୟଜାତିର ମଙ୍ଗଳ ସାଧନ କରେ, ତାହାର ଜୀବନ ଧନ୍ୟ ଅଟେ ଏବଂ ସେହି ଲୋକ ମହାତ୍ମା ସୈୟଦ୍‌ ଅହମ୍ମଦ ଖାଁ ଜଣେ ମହାତ୍ମା ଲୋକ ଥିଲେ । ସେ ପ୍ରାୟ ଏକଶତ ବର୍ଷ ପୂର୍ବେ ସୁବିଖ୍ୟାତ ଦିଲ୍ଲୀ ନଗରୀରେ ଜନ୍ମଗ୍ରହଣ କରିଥିଲେ । ସେ ବାଲ୍ୟକାଳରେ ମା’ଙ୍କଠାରୁ ଲେଖାପଢା ଶିଖିଥିଲେ । ପରେ ପିତାଙ୍କ ଯତ୍ନରେ ସେ ଆରବୀ ଓ ଫରାସୀ ଭାଷା ଉତ୍ତମରୂପେ ଶିଖିଥିଲେ । ଯେତେବେଳେ ତାଙ୍କର ବୟସ ଊଣେଇଶ ବର୍ଷ, ସେତେବେଳେ ତାଙ୍କ ପିତାଙ୍କର ମୃତ୍ୟୁ ହୁଅନ୍ତେ ସେ ଇଂରେଜ ସରକାରଙ୍କ ଅଧୀନରେ ଗୋଟିଏ କର୍ମ କଲେ । କ୍ରମେ କ୍ରମେ ତାଙ୍କର ପଦୋନ୍ନତି ହେଲା । ତାହାଙ୍କର ବୁଦ୍ଧି, ଯୋଗ୍ୟତା ଓ ରାଜଭକ୍ତି ଦେଖି ଗଭର୍ଣ୍ଣମେଣ୍ଟ ତାହାଙ୍କୁ ସର୍‌ ଉପାଧି ଦେଲେ ।

 

୧୮୫୭ ଖ୍ରୀଷ୍ଟାବ୍ଦରେ ଅନେକ ଦେଶୀୟ ସିପାହୀ ଫୌଜ ଇଂରେଜ ସରକାରଙ୍କର ବିରୁଦ୍ଧରେ ବିଦ୍ରୋହ କରିଥିଲେ । ସେତେବେଳେ ସୈୟଦ୍‌ ଅହମ୍ମଦ ନିଜେ ବିପତ୍ତିରେ ପଡ଼ି ସୁଦ୍ଧା ସରକାରଙ୍କର ବହୁତ ଉପକାର କରିଥିଲେ ।

 

ସେ ମୁସଲମାନମାନଙ୍କର ବିଦ୍ୟାଶିକ୍ଷା ନିମିତ୍ତ ଅଲିଗଡ଼ ନାମକ ସ୍ଥାନରେ ଗୋଟିଏ ବଡ଼ କଲେଜ ବା ବିଦ୍ୟାଳୟ ସ୍ଥାପନ କରିଯାଇଅଛନ୍ତି । ସେ ବିଦ୍ୟାଳୟରେ ହିନ୍ଦୁ ଓ ଖ୍ରୀଷ୍ଟିଆନମାନେ ମଧ୍ୟ ପଢ଼ିପାରନ୍ତି । ଭାରତବର୍ଷର ନାନା ସ୍ଥାନରେ ଛାତ୍ରମାନେ ସେହି ବିଦ୍ୟାଳୟରେ ଅଧ୍ୟୟନ କରନ୍ତି ।

 

ସୈୟଦ୍‌ ଅହମ୍ମଦ ଉର୍ଦ୍ଦୁ ଭାଷାରେ ଅନେକଗୁଡ଼ିଏ ପୁସ୍ତକ ଲେଖିଯାଇ ଅଛନ୍ତି । ସେ ୧୮୮୮ ଖ୍ରୀଷ୍ଟାବ୍ଦରେ ପରଲୋକ ପ୍ରାପ୍ତ ହେଲେ ।

 

କବି ରାଧାନାଥ ରାୟ

ବାଲେଶ୍ୱର ନଗରର ପ୍ରାୟ ୧୨ କ୍ରୋଶ ଦକ୍ଷିଣକୁ କେଦାରପୁର ନାମରେ ଗୋଟିଏ ଗ୍ରାମ ଅଛି । ରାଧାନାଥ ସେହି ଗ୍ରାମରେ ୧୮୪୮ ମସିହାରେ କାୟସ୍ଥକୁଳରେ ଜନ୍ମଗ୍ରହଣ କରିଥିଲେ । ପ୍ରାୟ ୪୦୦ ବର୍ଷ ପୂର୍ବେ ତାଙ୍କ ପୂର୍ବପୁରୁଷମାନେ ବଙ୍ଗଦେଶରୁ ଆସି କେଦାରପୁର ଗ୍ରାମରେ ବସତି କରିଥିଲେ । ଶୈଶବ କାଳରେ ସେ ଗ୍ରାମର ଚାଟଶାଳୀରେ ପ୍ରବେଶ କରି ନବମ ବର୍ଷ ବୟସ ପର୍ଯ୍ୟନ୍ତ ସେହି ଚାଟଶାଳୀରେ ପଢ଼ିଥିଲେ । ତହିଁଉତ୍ତାରେ ସେ ବାଲେଶ୍ୱର ଜିଲ୍ଲା ସ୍କୁଲରେ ୬ ବର୍ଷ ବଢି ସେ ସ୍କୁଲର ପାଠ ଶେଷ କରି ପରୀକ୍ଷାରେ ପାସ କଲେ ଓ ବୃତ୍ତି ପାଇଲେ । ସେହି ସ୍କୁଲରେ ପଢ଼ିଲାବେଳେ ସେ ତାଙ୍ଗ ସଙ୍ଗୀ ଛାତ୍ରମାନଙ୍କ ମଧ୍ୟରେ ସର୍ବଶ୍ରଷ୍ଠ ଥିଲେ । ସେ କଳଇକତାରେ ଥିବା କଲେଜରେ ପଢ଼ିବା ପାଇଁ ସେଠାକୁ ଯାଇଥିଲେ; କିନ୍ତୁ ସେଠାରେ ଦେହ ପୀଡ଼ିତ ହେବାରୁ ସେ କଳିକତା ତ୍ୟାଗ କରି ବାଲେଶ୍ୱରକୁ ଫେରିଆସିଲେ ଏବଂ ୧୬ ବର୍ଷ ବୟସରେ ବାଲେଶ୍ୱର ଜିଲ୍ଳା ସ୍କୁଲରେ ୩୦ ଟଙ୍କା ବେତନରେ ଶିକ୍ଷକ ପଦରେ ନିଯୁକ୍ତ ହେଲେ । ସେ ବାଲେଶ୍ୱର ସ୍କୁଲରେ ଥାଇ ନିଜେ ନିଜେ ଅଧ୍ୟୟନ କରି ଏଫ.ଏ. ପରୀକ୍ଷାରେ ପାସ୍‌ କଲେ ଏବଂ ଅନେକ ସଂସ୍କୃତ ଓ ବଙ୍ଗଳା ଗ୍ରନ୍ଥ ପଢ଼ିଲେ । ତାହାଙ୍କର ଯୋଗ୍ୟତା ଦେଖି ସର୍କାର ତାହାଙ୍କୁ ଉଚ୍ଚତର କର୍ମ ଦେଲେ । ସେ ୨୧ ବର୍ଷ ବୟସରେ ପୁରୀ ଚିଲ୍ଲା ସ୍କୁଲର ଦ୍ୱିତୀୟ ଶିକ୍ଷକ ପଦରେ ନିଯୁକ୍ତ ହେଲେ, ୨୫୪ ବର୍ଷ ବୟସରେ ବାଲେଶ୍ୱର ଜିଲ୍ଲାର ଡେପୁଟି ଇନ୍‌ସପେକ୍‌ଟର ପଦରେ ନିଯୁକ୍ତ ହେଲେ, ୨୯ ବର୍ଷ ବୟସ ସମୟରେ ସମୁଦାୟ ଓଡ଼ିଶାର ସ୍କୁଲସମୂହରେ ଇନ୍‌ସପେକ୍‌ଟର ପଦରେ ନିଯୁକ୍ତି ହୋଇ ପ୍ରାୟ ୨୨ ବର୍ଷକାଳ ସେହି ପଦରେ ଥାଇ ବହୁ ଯଶଃ ଲାଭ କରିଥିଲେ । ପରେ ସେ ବଙ୍ଗଦେଶରେ ମଧ୍ୟ ୭ ଶତ ଟଙ୍କା ବେତନର ପ୍ରାୟ ୫ ବର୍ଷକାଳ ସ୍କୁଲ ଇନ୍‌ସପେକ୍‌ଟର କାର୍ଯ୍ୟ କରି ବହୁ ପ୍ରଶଂସା ଲଭିଥିଲେ । ଗଭର୍ଣ୍ଣମେଣ୍ଟ ତାହାଙ୍କୁ ରାୟବାହାଦୁର ଉପାଧି ଦେଇଥିଲେ-। ସେ ପ୍ରାୟ ୬୦ ବର୍ଷ ବୟସ ସମୟରେ କଟକ ନଗରରେ ୧୯୦୮ ସାଲର ଚୈତ୍ର ମାସରେ ପରଲୋକ ପ୍ରାପ୍ତ ହେଲେ ।

 

ବିଗତ ଏକଶତ ବର୍ଷମଧ୍ୟରେ ଓଡ଼ିଶାରେ ଯେତେ କବି ଜନ୍ମଗ୍ରହଣ କରିଅଛନ୍ତି, ସେମାନଙ୍କ ମଧ୍ୟରେ ରାଧାନାଥ ସର୍ବଶ୍ରେଷ୍ଠ । ସେ ଓଡ଼ିଆ ଭାଷାରେ ଅନେକ କବିତା ଲେଖିଯାଇଛନ୍ତି । ସେ ବଙ୍ଗଳା ଭାଷାରେ ମଧ୍ୟ କେତେକ କବିତା ଲେଖିଥିଲେ । ସେ ସଂସ୍କୃତରେ ମଧ୍ୟ ଅଳ୍ପ କେତୋଟି କବିତା ରଚନା କରିଥିଲେ । ତାଙ୍କପରି ଆଉ କେହି ଓଡ଼ିଶା ପ୍ରଦେଶର ଗିରି, ନୀ, ହ୍ରଦ, ସମୁଦ୍ର ପ୍ରଭୃତିର ଏପରି ସୁନ୍ଦର ବର୍ଣ୍ଣନା କରିପାରି ନାହାନ୍ତି । ଓଡ଼ିଶାର ଚିଲିକା ହ୍ରଦ ବିଷୟରେ ତାଙ୍କର ଗୋଟିଏ ବଡ଼ ସୁନ୍ଦର କବିତା ଅଛି । ତାଙ୍କର ଶ୍ରେଷ୍ଠ କାବ୍ୟ ‘ମହାଯାତ୍ରା’ ଅଟେ; କିନ୍ତୁ ତାହା ଅସମ୍ପୂର୍ଣ୍ଣ ରହିଅଛି ।

 

ରାଧାନାଥ ଅନେକ ଗୁଣରେ ଭୂଷିତ ଥିଲେ । ସେ ବଡ଼ ବିନୟୀ, ଦୟାଳୁ ଓ ମିଷ୍ଟଭାଷୀ ଥିଲେ । ତାହାଙ୍କର ବୁଦ୍ଧି ଓ ସ୍ମରଣଶକ୍ତି ଅସାଧାରଣ ଥିଲା । ଇଂରାଜୀ, ସଂସ୍କୃତ, ବଙ୍ଗଳା ଏବଂ ଓଡ଼ିଆ ଭାଷାର ବହୁ କବିତା ତାହାଙ୍କର କଣ୍ଠସ୍ଥ ଥିଲା ଏବଂ ସେ ଉକ୍ତ ଚାରି ଭାଷାରେ ଜଣେ ମହାପଣ୍ଡିତ ଥିଲେ । ବଙ୍ଗଳା ଏବଂ ଓଡ଼ିଶାର ଅନେକ ରାଜା ଓ ପଣ୍ଡିତ ତାହାଙ୍କର ବିଦ୍ୟା ଓ ଗୁଣ ଲାଗି ତାହାଙ୍କୁ ସମ୍ମାନ କରୁଥିଲେ ।

 

ରାଜା ଓ ବନ୍ଦୀ

ପୂର୍ବକାଳରେ ଜଣେ ରାଜା ଥିଲେ । ସେ ଆପେ ଆପେ ପ୍ରଜାମାନଙ୍କର ଅବସ୍ଥା ଦେଖିବାକୁ ଭଲ ପାଉଥିଲେ । ଦିନେ ଯେ ବନ୍ଦିଶାଳାକୁ ଦେଖିବାକୁ ଯାଇଥିଲେ । କେତେଜଣ ବନ୍ଦୀ ବନ୍ଦିଘରୁ ବାହାରି କାମକୁ ଯାଉଛନ୍ତି । ସେମାନଙ୍କ ହାତରେ ହାତକଡ଼ି ଏବଂ ଗୋଡ଼ରେ ବେଡ଼ି ପଡ଼ିଛି । ରାଜା ସେମାନଙ୍କୁ ଦେଖି ଜଣଜଣଙ୍କ ପାଖକୁ ଯାଇ ପଚାରିଥିଲେ, ‘‘ତୁମ୍ଭେ କି ଅପରାଧ କରି ଏ ଦଣ୍ଡ ପାଇଛ ?’’

 

ପ୍ରଥମ ବନ୍ଦୀ କହିଲା – ‘‘ମହାରାଜ ! ମୁଁ କିଛି ଦୋଷ କରିନାହିଁ । ଜଣେ ସାକ୍ଷୀ ମୋ ନାମରେ ଗୁଡ଼ାଏ ମିଛ କହିଲା; ତାହାରି କଥାରେ ବିଶ୍ୱାସ କରି ହାକିମ ମୋତେ କୟେଦ ହୁକୁମ ଦେଇଛନ୍ତି-।’’

 

ଦ୍ୱିତୀୟ ବନ୍ଦୀ କହିଲା – ‘‘ମୋ ଉପରେ ହାକିମଙ୍କର ଆଗରୁ ରାଗ ଥିଲା । ତେଣୁ ମୋତେ ଏପରି ଦଣ୍ଡ ଦେଇଅଛନ୍ତି ।’’

ତୃତୀୟ ବନ୍ଦୀ କହିଲା –‘‘ବିଚାରପତି ପ୍ରକୃତ ଘଟଣା ବୁଝି ନ ପାରି ମୋତେ ଅପରାଧୀ ବୋଲି ପ୍ରମାଣ କରିଅଛନ୍ତି ।’’

 

ଚତୁର୍ଥ ବନ୍ଦୀ କହିଲା –‘‘ପୁଲିସ କର୍ମଚାରୀ ପ୍ରକୃତ ଦୋଷୀକୁ ଧରି ନ ପାରି, ମୋତେ ସନ୍ଦେହ କରି ଦୋଷୀ ବୋଲି ଦଣ୍ଡରେ ପକାଇଛନ୍ତି ।’’

 

ଏପରି ଚାରିଜଣଯାକ ନିଜ ଦୁଃଖ କହି ରାଜାଙ୍କ ନିକଟରେ ମୁକ୍ତି ପ୍ରାର୍ଥନା କଲେ । ରାଜା ତାହା ଶୁଣି ପଞ୍ଚମ ବନ୍ଦୀକି ପଚାରିଲେ –‘‘ତୁମେ ଏଠାକୁ ଆସିଲ କାହିଁକି ?’’

 

ସେ ବ୍ୟକ୍ତି କହିଲା –‘‘ମହାରାଜ ! ମୁଁ ଜଣକ ପକେଟରୁ ଟଙ୍କାଟିଏ ଚୋରି କରିଥିଲି । ତେଣୁ ଉଚିତ ଦଣ୍ଡ ପାଇଛି । ମୁକ୍ତି ମାଗିବାକୁ ମୋର ଆଉ ସାହସ ହେଉନାହିଁ ।

 

ରାଜା ସନ୍ତୁଷ୍ଟ ହୋଇ ସେ ଲୋକଟିକୁ ଡାକି କହିଲେ – ‘‘ତୁମ୍ଭେ ଆଉ ଏ ଅସାଧୁ ଲୋକଙ୍କ ସାଙ୍ଗରେ ରହିବାର ଉପଯୁକ୍ତ ନୁହଁ । ତହୁଁ ବନ୍ଦିଶାଳାର ସର୍ଦ୍ଦାରକୁ ଡାକି କହିଲେ, ‘‘ଏ ବ୍ୟକ୍ତିର ବେଡ଼ି ଫିଟାଇଦିଅ ଏବଂ ଏହିକ୍ଷଣି ଏହାକୁ ଛାଡ଼ିଦିଅ । ଯେଣୁ ସେ ଦୋଷୀ ହୋଇ ସୁଦ୍ଧା ଏମାନଙ୍କ ପରି ମିଛ କହି ଦୋଷ ବଢାଇନାହିଁ ।’’

ଜଣେ ବନ୍ଦୀ କେବଳ ସତ କହିବାର ପୁରୁସ୍କାରସ୍ୱରୂପ ବନ୍ଧନରୁ ମୁକ୍ତି ପାଇଲା ।

 

ଉଦର ଓ ଅବୟବଗଣ

ମୁଖ ହସ୍ତ ପାଦ            ସର୍ବ ଅବୟବେ

ଉଚ୍ଚେ ଡାକି କହେ ଜିଭ,

‘‘ଆମେ ମରୁଥିବା            କାମ କରି କରି

ପେଟ ବସି ଖାଉଥିବ ।’’

ହାତ ତହୁଁ କହେ,             ‘‘ହଇ କରି କରି

ସତକଥା ଅଛୁ କହି,

ପେଟଟା ନିକମା            କିଛି କରେ ନାହିଁ

ଆମେ ମରୁ କଷ୍ଟ ସହି ।

ପେଟ ଲାଗି ମୁହିଁ            ଖଟୁଅଛି କେତେ

ସମସ୍ତେ ତ ଅଛି ଦେଖି,

ସେ ଖାଇବ ବୋଲି            ଭାତଗୁଣ୍ଡା ସୁଦ୍ଧା

ତୁଣ୍ଡକୁ ଦେବି ମୁଁ ଟେକି ।’’

ଗୋଡ଼ ତହୁଁ କହେ            ‘‘ଖାଉଚି ବିଉଚି,

ଯାଉଚି କେମନ୍ତେ ବଢି,

ମୋତେ ଦିନରାତି            ବୁଲାଇ ମାରୁଚି,

ମୋ ଉପରେ ସଦା ଚଢି ।’’

ତୁଣ୍ଡ ତହୁଁ ବୋଲେ,             ‘‘ପେଟଲାଗି ମୁହିଁ

ଚୋବେଇ ଚୋବେଇ ନିତି,

ଥକି ତ ଗଲିଣି            କେତେ ମୁଁ ସହିବି

ପୋନା ପେଟର ଅନୀତି ।’’

ଗଳା ତହୁଁ କହେ,             ‘‘ଗିଳିବାର କଷ୍ଟ

ଅଟେ ଅତି ଭୟଙ୍କର,

ନିତି ଗିଳି ଗିଳି            ହେଉଛି ବିକଳ

ମୋ କଥା ବିଚାର କର ।’’

ସର୍ବେ ତହୁଁ ମିଳି            କରିଲେ ପ୍ରତିଜ୍ଞା

କ୍ରୋଧେ ହୋଇ ଗରଗର,

‘‘ଉଦରର ବେଠି            ନ କରିବା ଆଉ

ମଲେ ମରୁ ସେ ଉଦର ।’’

ମଲେ ତହୁଁ ଆଉ            ନ ହଲଇ କ୍ଷଣେ

ଗୋଡ଼ ଆଉ ନ ଚାଲଇ,

ଓଠକୁ ଦାନ୍ତରେ            ଦୃଢେ କାମୁଡ଼ିଣ

ତୁଣ୍ଡ ଆଉ ନ ଫିଟଇ ।

ଏହିପରି ଦିନ            ଦୁଇ ତିନି ଗଲା

ପେଟ ନାହିଁ ଅନ୍ନ ଜଳ,

ଅବଶେଷେ ସର୍ବ            ହସ୍ତ ପଦ ମୁଖ

ଲୋଭନ୍ତି ହୋଇ ବିକଳ,

‘‘କି ହେଲା କି ହେଲା      କାହିଁ ଗଲା ବଳ

ଶୁଖିଯାଉଅଛି ସର୍ବେ,

ନ ବୁଝି ଜିଭର            କଥାରେ ପଡ଼ିଲୁ

ଏବେ ମରୁଅଛୁ ଗର୍ବେ ।

ମିଛଟାରେ ମେଳି            କରିବାରୁ ସିନା

ଦଣ୍ଡ ଲଭିଲୁ ଏସନ,

ମନ୍ଦ କଥା ଆଉ            ନ କହିବା କେଭେ

ନ ଶୁଣିବା କୁବଚନେ ।’’

 

ଈଶ୍ୱରଚନ୍ଦ୍ର ବିଦ୍ୟାସାଗର

ଓଡ଼ିଶା ପ୍ରଦେଶର ଉତ୍ତରକୁ ମେଦିନୀପୁର ନାମରେ ଗୋଟିଏ ଜିଲ୍ଳା ଅଛି । ସେହି ଜିଲ୍ଳାରେ ପ୍ରାୟ ୯୦ ବର୍ଷ ପୂର୍ବେ ଈଶ୍ୱରଚନ୍ଦ୍ର ନାମରେ ଜଣେ ବ୍ୟକ୍ତି ବ୍ରାହ୍ମଣକୂଳରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଦରିଦ୍ର ଥିଲେହେଁ ପୁତ୍ରକୁ ବିଦ୍ୟାଶିକ୍ଷା ପାଇଁ କଲିକତା ନେଇଯାଇଥିଲେ । ଈଶ୍ୱରଚନ୍ଦ୍ର ବହୁ କଷ୍ଟରେ ବିଦ୍ୟା ଅଧ୍ୟୟନ କରିଥିଲେ । ତାଙ୍କୁ ନିଜ ହସ୍ତରେ ପ୍ରତିଦିନ ତିନି ଚାରି ଜଣଙ୍କ ପାଇଁ ରାନ୍ଧିବାକୁ ଓ ବାସନ ମାଜିବାକୁ ହେଉଥିଲା ଏବଂ ବଜାରରୁ ସଉଦା କିଣି ଆଣିବାକୁ ପଡ଼ୁଥିଲା । ସେ ଏତେ ପରିଶ୍ରମ କରି ଓ ନାନା କଷ୍ଟ ସହି ବିଦ୍ୟାଶିକ୍ଷା କରିଥିଲେ ।

 

ରାତ୍ରିରେ ସେ ଦୁଇ ତିନି ଘଣ୍ଟା ମାତ୍ର ଶୋଇ ବାକି ସମୟ ପଢ଼ିବାରେ ଯାପନ କରୁଥିଲେ । ରାତ୍ରିରେ ପଢ଼ିଲାବେଳେ ନିଦ ମାଡ଼ିଲେ, ସେ ଆଖିରେ ସୋରିଷ ତେଲ ଲଗାଇ ଦେଇ ଜାଗ୍ରତ ରହୁଥିଲେ । ତାଙ୍କର ତୀକ୍ଷ୍‌ଣ ବୁଦ୍ଧି ଥିଲା; ପୁଣି ସେ ଅସାଧରଣ ଯତ୍ନ ସହିତ ଅଧ୍ୟୟନ କରୁଥିଲେ । ଏଣୁ ସେ ଛାତ୍ରମାନଙ୍କ ମଧ୍ୟରେ ଶ୍ରେଷ୍ଠ ସ୍ଥାନଅଧିକାର କରିଥିଲେ ଏବଂ ତାହାଙ୍କର ଶିକ୍ଷା ସମାପ୍ତ ହେଲାରୁ ବିଦ୍ୟାସାଗର ଉପାଧି ଲାଗ କରିଥିଲେ ।

 

ବିଦ୍ୟାସାଗର ପ୍ରଥମେ ୫୦ ଟଙ୍କା ବେତନରେ ଶିକ୍ଷକ କାର୍ଯ୍ୟରେ ନିଯୁକ୍ତ ହୋଇଥିଲେ, ପରେ ସେ କଲିକତାରେ ବିଖ୍ୟାତ ସଂସ୍କୃତ କଲେଜର ଅଧ୍ୟକ୍ଷ ପଦରେ ୫୦୦ ଟଙ୍କା ବେତନରେ ନିଯୁକ୍ତି ହେଲେ । ସେ ବଙ୍ଗଳା ଭାଷାରେ ଅନେକ ଉତ୍ତମ ପୁସ୍ତକ ରଚନା କରିଥିଲେ ଏବଂ ସେହି ପୁସ୍ତକମାନଙ୍କର ବହୁଳ ବିକ୍ରୟଦ୍ୱାରା ସେ ଲକ୍ଷ ଲକ୍ଷ ଟଙ୍କା ଲାଭ କରିଥିଲେ । ସେ ଏତେ ଟଙ୍କା ପାଇ ତାହାକୁ ନିଜର ସୁଖଲାଗି ବ୍ୟୟ କରୁନଥିଲେ । ପରୋପକାରରେ ସେ ପ୍ରାୟ ତାଙ୍କର ସମୁଦାୟ ଧନ ବ୍ୟୟ କରି ଯାଇଅଛନ୍ତି । ଧନୀ ହୋଇ ସୁଦ୍ଧା ସେ ସାମାନ୍ୟ ପ୍ରକାର ଅନ୍ନବସ୍ତ୍ରରେ ସନ୍ତୁଷ୍ଟ ରହୁଥିଲେ । ସେ ଯେଉଁ କାର୍ଯ୍ୟକୁଭଲ ବୋଲି ବିଚାରୁଥିଲେ, ସେ କାର୍ଯ୍ୟକୁ ଅନ୍ୟ ଲୋକେ ନିନ୍ଦା କଲେ ସୁଦ୍ଧା, ସେ ତାହା କରୁଥିଲେ । ସେ ଭଲ କାର୍ଯ୍ୟ କରିବାକୁ ଯାଇ ଲୋକନିନ୍ଦା କିମ୍ବା ଧନହାନି ହେବ ବୋଲି କଦାପି ଭୟ କରୁ ନ ଥିଲେ ।

 

ଈଶ୍ୱରଚନ୍ଦ୍ର ପିତାମାତାଙ୍କୁ, ବିଶେଷରୂପେ ମାତାଙ୍କୁ ବଡ଼ ଭକ୍ତି କରୁଥିଲେ । ଥରେ ତାଙ୍କ ମାତା କଳିକତାରୁ ଗ୍ରାମକୁ ଶୀଘ୍ର ଆସିବା ନିମିତ୍ତ ତାଙ୍କୁ ଲେଖି ପଠାଇଲେ । ସେ ପତ୍ର ପାଇଲାକ୍ଷଣି ଛୁଟି ନେଇ ଗ୍ରାମକୁ ବାହାରିଲେ । ସେତେବେଳେ ବର୍ଷାକାଳ । ବାଟରେ ନଦୀ ଅତ୍ୟନ୍ତ ବଢିଥିଲା । ନଦୀ ପାରହେବା ପାଇଁ କୂଳରେ ନୌକା ନ ଥିବାରୁ ସେ ସନ୍ତରଣଦ୍ୱାରା ନଦୀ ପାରହେଲେ ଏବଂ ରାତ୍ରକାଳରେ ଗ୍ରାମରେ ପହଞ୍ଚି ମାତାଙ୍କ ଚରଣବନ୍ଦନା କଲେ ।

 

ଈଶ୍ୱରଚନ୍ଦ୍ର ବନ ଦୟାଳୁ ଥିଲେ । ସେ ଅନେକ ଦରିଦ୍ର ଲୋକଙ୍କୁ ଅର୍ଥସାହାର୍ଯ୍ୟ କରୁଥିଲେ-। ଅନେକ ଅନାଥ ବାଳକଙ୍କୁ ନିଜ ବ୍ୟୟରେ ବିଦ୍ୟାଶିକ୍ଷା ଦେଉଥିଲେ । ସେ ନିଜ ହସ୍ତରେ ଦରିଦ୍ର ରୋଗୀମାନଙ୍କର ସେବା କରୁଥିଲେ । ସେ ଅନେକ ଭଦ୍ରଲୋକଙ୍କୁ ସହସ୍ର ସହସ୍ର ଟଙ୍କା ଦେଇ ବିପଦରୁ ଉଦ୍ଧାର କରିଥିଲେ । ସେ ଯେ କେବଳ ବିଦ୍ୟାସାଗର ଥିଲେ ତାହା ନୁହେଁ, ସେ ଦୟାର ସାଗର ମଧ୍ୟ ଥିଲେ ।

 

ଈଶ୍ୱରଚନ୍ଦ୍ର ୭୧ ବର୍ଷ ବୟସରେ ପରଲୋକ ଗମନ କଲେ । ପ୍ରତିବର୍ଷ ତାହାଙ୍କର ମୃତ୍ୟୁ-ଦିବସ ସ୍ମରଣାର୍ଥ ନାନା ସ୍ଥାନରେ ଲୋକେ ସଭା କରି ତାଙ୍କର ଗୁଣ କୀର୍ତ୍ତନ କରନ୍ତି ।

 

ପ୍ରତିଧ୍ୱନି

ଗୋଟିଏ ପିଲା ପ୍ରତିଧ୍ୱନି କ’ଣ ଜାଣି ନ ଥିଲା । ଦିନେ ସେ ବାଟରେ ଯାଉ ଯାଉ ମନକୁ ‘ହେ ହେ’ ବୋଲି ଡାକିଲା । ଆର ପାଖରୁ ଶୁଭିଲା ‘ହେ ହେ’ । ପିଲାଟି ଚମକିପଡ଼ିଲା ଚାରିଆଡ଼କୁ ଚାହିଁ କାହାରିକୁ ଦେଖିଲା ନାହିଁ । ଶେଷକୁ ସେ ମନେ ମନେ ବିଚାରିଲା ଏହି ବଡ଼ କିଆବାଡ଼ ଆରପାଖରେ କିଏ ଲୁଚିକରି ମୋତେ ଖତାଇ ହେଉଅଛି । ତହୁଁ ରାଗରେ ସେ କହିଲା, ‘‘ତୁ କିଏ ରେ ?’’ ବାଡ଼ ପାଖରୁ ପ୍ରତିଧ୍ୱନି ହେଲା, ‘‘ତୁ କିଏ ରେ ?’’ ବାଳକ ଏଥର ଅଧିକ ରାଗରେ କହିଲା, ‘ଚୁପ ରହ ।’ ତେଣୁ ପୁଣି ସେହିପରି ପ୍ରତିଧ୍ୱନି ଶୁଭିଲା । ବାଳକ ତାକୁ ପ୍ରକୃତ କଥା ବିଚାରି ବାଡ଼ ଚାରିପାଖ ଖୋଜି କାହାକୁ ଯହୁଁ ନ ପାଇଲା, ତହୁଁ ଆଶ୍ଚର୍ଯ୍ୟ ହୋଇ ମଉନରେ ଘରକୁ ଆସି ମାଆଙ୍କ ଆଗରେ କାନ୍ଦି କାନ୍ଦି ସବୁକଥା କହିଲା ।

 

ମାଆ ତାହାକୁ ବୁଝାଇ କହିଲେ, ‘‘ବାପ ରେ, କାହିଁକି କାନ୍ଦୁଛୁ ? ତୋତେ ପ୍ରକୃତରେ ସେପରି କେହି କହି ନାହିଁ । ଦେଉଳରେ, କୋଠାଘରେ, କୌଣସି କାନ୍ଥ ବା ବାଡ଼ ପାଖରେ ପାଟିକଲେ ଆପଣା କଥା ଫେରିଆସି ସେପରି ଶୁଭେ । ମନୁଷ୍ୟଭହଳ ଥିଲେ ବା ଅନ୍ୟ କୌଣସି ଶବ୍ଦ ଥିଲେ ସେପରି ଶୁଣାଯାଏ ନାହିଁ । ନିକଞ୍ଚନ ସ୍ଥାନରେ ତାହା ଭଲ ଶୁରାଯାଏ । ଏହାକୁ ପ୍ରତିଧ୍ୱନି କହନ୍ତି । ଭଲ କହିଲେ ଭଲ, ମନ୍ଦ କହିଲେ ମନ୍ଦ; ଯେପରି କଥା କହିବୁ ସେପରି କଥା ଶୁଣିବୁ । ଆଜିଠାରୁ ମନେରଖ, କାହାରିକୁ ଆଉ ମନ୍ଦକଥା କହିବୁ ନାହିଁ ।’’

 

ମାତାଙ୍କଠାରୁ ପ୍ରକଅତ କଥା ବୁଝିପାରି ବାଳକର ମନ ନିର୍ମଳ ହୋଇଗଲା । ଆଉ ସେହି ଦିନଠାରୁ ସେ କାହାରିକୁ ମନ୍ଦକଥା କହିବ ନାହିଁ ବୋଲି ମନେ ମନେ ସ୍ଥିର କଲା ।

 

ବୃଦ୍ଧର ବୃକ୍ଷରୋପଣ

ଗୋଟିଏ ରାଜ୍ୟରେ ରାଜା ଦିନେ ଘୋଡ଼ାରେ ବସି ଗହଣରେ ପାରିଧି କରିବାକୁ ଯାଉଥିଲେ । ଯାଉ ଯାଉ ବାଟରେ ଦେଖିଲେ ଗୋଟିଏ ବୃଦ୍ଧଲୋକ ମାଟି ଖୋଳି ଗଛଟିଏ ଲଗାଉଅଛି । ସେ ଗଛର ଫଳ ଖାଇବା ତାହା ପକ୍ଷରେ ଅସମ୍ଭବ ବିଚରି ରାଜା ମନେ ମନେ ହସି କହିଲେ, ‘‘ଆରେ ବୁଢ଼ା, ଆରେ ତୁ ଆଉ କେତେ ଦିନ ବଞ୍ଚିବୁ ଯେ ଫଳ ଖାଇବୁ ବୋଲି ଗଛ ଲଗାଉଛୁ ? ତୋହର ବୟସ ଏହିକ୍ଷଣି କେତେ ?’’ ବୃଦ୍ଧ କହିଲା, ‘‘ମୋତେ ଅଶୀବର୍ଷ ହେଲାଣି । ମୁଁ କ’ଣ ଆପେ ଫଳ ଖାଇବା ପାଇଁ ଏ ଗଛ ଲଗାଉଛି କି ? ମୋର ବାପ ବଡ଼ବାପମାନେ ଯେଉଁ ଗଛମାନ ଲଗାଇ ଯାଇଛନ୍ତି, ତାହାର ଫଳ ମୁଁ ଏବେ ଖାଉଛି । ସେହିପରି ମୁଁ ଗଛ ଲଗାଇଲେ ମୋହର ପୁଅ-ନାତିମାନେ ଏଥିରଫଳ ଖାଇବେ । ଗଛ ଲଗାଇବା ମୋହର ଧର୍ମ ବୋଲି ମୁଁ ଏ କାର୍ଯ୍ୟ କରୁଅଛି ।’’ ରାଜା ଏହା ଶୁଣି ଅତ୍ୟନ୍ତ ଆନନ୍ଦିତ ହେଲେ ଏବଂ ବୃଦ୍ଧ ଉପରେ ସନ୍ତୁଷ୍ଟ ହୋଇ ତାହାକୁ ଦଶଟଙ୍କା ପୁରସ୍କାର ଦେଲେ । ବୃଦ୍ଧ ଟଙ୍କା ପାଇଲାକ୍ଷଣି ଆନନ୍ଦରେ କହିଲା, ‘‘ଯେଉଁ ବୃକ୍ଷକୁ ରୋପିଲାବେଳୁଁ ଦଶଟା ଫଳ ମିଳିଲାଣି, ପଛେ ଫଳିଲେ ସେଥିରୁ କ’ଣ ନ ମିଳିବ !’’

 

ନୀତିକଥା

ଆରବ ଦେଶରେ ଜଣକର ଗୋଟିଏ ଭଲ ଘୋଡ଼ା ଥିଲା । ସେ ଦେଶର ଜଣେ ଧନୀ ବ୍ୟକ୍ତି ତାକୁ କିଣିବାପାଇଁ ବହୁ ଯୋଗାଡ଼ କରି ପାଇଲା ନାହିଁ । ତହୁଁ ସେ ଘୋଡ଼ାଟିକୁ ଠକି ନେବା ପାଇଁ ଏକ ଫିକର କଲା । ମୁହଁରେ ଗୁଡ଼ାଏ ଏଣୁତେଣୁ ରଙ୍ଗ ବୋଳି, ଛିଣ୍ଡା କନା ପିନ୍ଧି ସଡ଼କ ପାଖରେ ବହୁ ଦିନର ରୋଗୀ ପରି ପଡ଼ିରହିଲା । ଯେତେବେଳେ ସେହି ଘୋଡ଼ାରେ ବସି ଲୋକଟି ସେହି ବାଟେ ଗଲା, ସେତେବେଳେ ସେ ଧନୀ ମିଛରେ ପେଟକୁ ଖାଙ୍କି, ଦାନ୍ତ ନିକୁଟି, ହାତ ବଢ଼ାଇ ତାଙ୍କୁ କିଛି ମାଗିଲା । ଅଶ୍ୱାରୋହୀ ଭାବିଲେ, ଏ ଲୋକଟି ପ୍ରକୃତ ବଡ କଷ୍ଟ ପାଉଛି, ଏହାର ଚାଲିବାକୁ କ୍ଷମତା ନାହିଁ । ତହୁଁ ସେ କିଛି ଦେଇ ଚାଲିଯିବେ କଣ, ଘୋଡ଼ାରୁ ଓହ୍ଲାଇ ତାହାକୁ ବହୁ କଷ୍ଟରେ ଉଠାଇ ଟେକି ଘୋଡ଼ା ଉପରେ ବସାଇଲେ । ସେ କପଟୀ ଯେପରି ଘୋଡ଼ା ଉପରେ ବସିଛି, ଛାଟେ ମାରି ଘୋଡ଼ାକୁ ଖୁବ୍‌ ବେଗରେ ଦୌଡ଼ାଇଲା ।

 

ଘୋଡ଼ାରୁ ମୁନିବ ବର୍ତ୍ତମାନ ସେ ବିଶ୍ୱାସଘାତକକୁ ଚିହ୍ନିପାରି ପଛରୁ ଡାକ ପକାଇ କହିଲେ, ‘‘ଦେଖ ଭାଇ, ସଂସାରରେ ଧନସମ୍ପଦ କିଛି ଚିର ରହିବ ନାହିଁ, କି ସ୍ୱର୍ଗକୁ ନେଇ ଯିବ ନାହିଁ । ତୁମ୍ଭେ ବି ମଲାବେଳେ ଏ ଘୋଡ଼ାକୁ କିଛି ସଙ୍ଗରେ ଘେନିଯିବ ନାହିଁ । ତେବେ ମୋହର ଗୋଟିଏ ପଦ ଶୁଣିକରି ଯାଅ ।’’ ସେ କପଟୀ ବ୍ୟକ୍ତି କିଛିଦୂର ଦୌଡ଼ିଯାଇ ଘୋଡ଼ାକୁ ଅଟକାଇ କହିଲା, ‘‘କ’ଣ କହିବ ଚଞ୍ଚଳ କହ ।’’ ତହୁଁ ସେ ସାଧୁଲୋକ ଏତିକି କହିଲେ, ‘‘ତୁମେ ଘୋଡ଼ାକୁ ନିଅ ପଛକେ, କାହାରିକୁ କହିବ ନାହିଁ ଯେ ଏପରି ଠକିକରି ଆଣିଛି । ତାହା ଶୁଣିଲେ ଲୋକେ ରୋଗୀ ବା ନିରାଶ୍ରୟ ଲୋକଙ୍କୁ ଆଉ ଆଶ୍ରା ଦେବେ ନାହିଁ ।’’ ଏପରି କଥା ଶୁଣି ସେ ଧନୀର ମନ କଣ ହୋଇଗଲା । ସେ ବଡ଼ ଲାଜ ପାଇ ଘୋଡାରୁ ସେହିକ୍ଷଣି ଓହ୍ଲାଇ ବଡ଼ି ଘୋଡ଼ାଟିକୁ ତାଙ୍କୁ ଫେରାଇଦେଲା । ସେହିଦିନଠାରୁ ସେ ଦୁହେଁ ଏକ ଆରେକର ପ୍ରୀତି ବନ୍ଧୁ ହୋଇ ରହିଲେ ।

 

ଫକିର ଓ ଓଟକଥା

ଏକଦା ପଶ୍ଚିମ ଦେଶରେ ଜଣେ ଫକିର ଭ୍ରମଣ କରୁଥିଲେ । ବୁଲୁଁ ବୁଲୁଁ ଯେତେବେଳେ ତାଙ୍କ ଜଣାଣର ସମୟ ହୁଏ, ସେତେବେଳେ ସେ ଆଣ୍ଠୁମାଡ଼ି ବସି ନମାଜ ପଢନ୍ତି । ଦିନେ ସେ ଏହିପରି ବସି ନମାଜ କରୁଅଛନ୍ତି, ଏହି ସମୟରେ ଦଳେ ସୌଦାଗର ଆସି ସେଠାରେ ପହଞ୍ଚିଲେ-। ନମାଜ ସରିଲାରୁ ଜଣେ ଫକିରଙ୍କୁ ପଚାରିଲେ, ‘‘ତୁମେ ଆମ୍ଭର ଗୋଟିଏ ଓଟ ଏ ବାଟରେ ଯିବାର ଦେଖିଛ?’’

 

ଫକିର କହିଲେ, ‘‘ସେ ଓଟଟା କଣା କି ? ମୋତେ ଲାଗେ, ତାହାର ଡାହାଣ ଆଖି ନାହିଁ-। ଆଉ ତା ବାଁ ଗୋଡ଼ଟା ଛୋଟା ।’’

 

ସୌଦା – ହଁ ହଁ ସେହି ଓଟ ଆମ୍ଭର ।

ଫକିର – ତାହାର ଛାମୁଦାନ୍ତ ଭାଙ୍ଗିଯାଇଛି କି ?

ସୌଦା – ହଁ ସତ, ତାହାର ଆଗଦାନ୍ତ କେତେଟା ନାହିଁ ।

 

ଫକିର – ଆଚ୍ଛା, ତା ପିଠିରେ ଗୋଟିଏ ପାଖରେ ଗହମ ଅଟା, ଆଉ ଗୋଟାଏ ପାଖରେ ମହୁ ଲଦା ହୋଇଥିଲା କି?

 

ସୌଦା – ଠିକ୍‌ ଠିକ୍‌ । ତେବେ ତ ତୁମ୍ଭେ ଆମ ଓଟଟିକୁ ଏହିକ୍ଷଣି ଦେଖିଛ । ତେବେ କେଉଁ ଆଡ଼କୁ ଗଲା ଚଞ୍ଚଳ କହିଦିଅ ।

ଫକିର – ମୁଁ ତୁମ୍ଭମାନଙ୍କୁ ଓଟକୁ ଏତେବେଳଯାଏ ଦେଖିନାହିଁ । ଏହିକ୍ଷଣି ତୁମ୍ଭଠାରୁ ଶୁଣି ଏହା କହୁଛି ।

 

ସୌଦାଗରମାନେ ଏହା ଶୁଣି ବିରକ୍ତ ହୋଇ ରାଗରେ କହିଲେ, ‘‘ତୁମ୍ଭେ ତ ଆମ୍ଭ ଓଟ ଦେଖିନାହଁ, ଏତେ କଥା କାହୁଁ ଜାଣିଲ ? ଆମ୍ଭର ତାହା ପିଠିରେ ବହୁତ ଟଙ୍କାସୁନା ଥିଲା; ତୁମେ ସେସବୁ ଚୋରି କରିଥିବାର ଆମ୍ଭର ସନ୍ଦେହ ହେଉଛି । ନ ଦେଲେ କାଜିଙ୍କ ଅଦାଲତରେ ଠିଆ କରାଇବୁଁ ।’’

 

ଏହିପରି କହି ସେମାନେ ଫକିରଙ୍କୁ ଧରି ନେଇ କାଜିଙ୍କ ଆଗରେ ସବୁକଥା ଜଣାଇଲେ ।

କାଜି ଫକିରଙ୍କୁ ଡାକି ପଚାରିଲେ, ‘‘ତୁମ୍ଭେ ଓଟକୁ ନ ଦେଖି କିପରି ସବୁ କଥା ଜାଣିଲ ?’’

 

ଫକିର – ମୁଁ ବାଟରେ ଖୋଜ ଦେଖି ଓଟ ବୋଲି ଚିହ୍ନିଲି ? ବାଁ ପାଖରେ ଘାସ ଚରିଛି । ଡାହାଣ ଆଖିକୁ ଦିଶେ ନାହିଁ ।

କାଜି –ସେ ଓଟଟାର ବାଁ ଗୋଡ଼ଟା ଛୋଟା ବୋଲି କିପରି ଜାଣିଲ ?

 

ଫକିର –ମୁଁ ଦେଖିଚି ତାହାର ଡାହାଣ ଗୋଡ଼ ଖୋଜ ଯେଡ଼େ ଘାଏଁ ପଡ଼ିଚି, ବାଁ ଗୋଡ଼ର କୋଜ ସେଡ଼େ ଦାଉରେ ପଡ଼ିନାହିଁ । ଏଣୁ ଅନୂମାନ କଲି ସେ ଗୋଡ଼ଟା ତାର ଛୋଟା ।

 

କାଜି – ଆଚ୍ଛା, ତାହାର ଛାମୁଦାନ୍ତ ନାହିଁ, କିପରି ବୁଝିପାରିଲ ?

ଫକିର – ଏକଥା ଜାଣିବାକୁ କଣ ଅଛି ? ସେ ଯେଉଁଠାରୂ ଘାସ ପୁଳାଏ ଖାଇଛି, ତାହାର ମଝି ଘାସ ସାହିପରି ଠିଆହୋଇଅଛି । ମଝି ଦାନ୍ତ ଥିଲେ ସେ ଘାସତକ ଅଛିଣ୍ଡା ରହି ନ ଥାନ୍ତା ।

 

କାଜି – ଏସବୁ କଥା ଗଲା, ତାହା ପିଠିରେ ଗହମ ଆଉ ମହୁ ଲଦା ହୋଇଥିଲା, ଏହା ବା କିପରି ଜାଣିଲ ଏବେ କହ ?

 

ଫକିର – ଏଥିରେ ଆଶ୍ଚର୍ଯ୍ୟ କଣ ଅଛି ? ମୁଁ ବାଟଯାକ ଦେଖିଲି ଗୋଟା, ପାକରେ ପିମ୍ପୁଡ଼ି, ଆର ପାଖରେ ମାଛିଗୁଡ଼ାକ ବେଢ଼ିଥିଲେ । ଆପଣ କଣ ଜାଣନ୍ତି ନାହିଁ ଯେ ମହୁକୁ ମାଛି ଆଉ ଗହମକୁ ପିମ୍ପୁଡ଼ି ବାଇ ? ଆଉ ମଧ୍ୟ ମୁଁ କହିପାରେ ସେ ଓଟକୁ କେହି ଚୋରାଇ ନେଇନାହିଁ, ସେ ପଳାଇଯାଇଅଛି; କାରଣ ଚୋରି କରି ନେଇଥିଲି ତାହା ଆଗରେ କିବା ପଛରେ ମନୁଷ୍ୟର ଖୋଜ ପଡ଼ିଥାନ୍ତା । ଏମାନେ ଏହିକ୍ଷଣି ଫେରିଯାଇ ଖୋଜିଲେ ଓଟକୁ ପାଇବେ ।

 

ଫକିରଙ୍କର କୌଣସି ଦୋଷ ନାହିଁ ଦେଖି କାଜି ସେହିକ୍ଷଣି ତାହାଙ୍କ ବୁଦ୍ଧିକୁ ପ୍ରଶଂସା କରି ମୁକ୍ତି ଦେଲେ । ସୌଦାଗରମାନେ ସେଠାରୁ ଯାଇ ଖୋଜି ଖୋଜି ଆପଣା ଓଟକୁ ପାଇଲେ ।

ଯାହାର ଜ୍ଞାନ ବା ବୁଦ୍ଧି ନାହିଁ, ସେ ଚକ୍ଷୁ ଥାଇ ସୁଦ୍ଧା ଅନ୍ଧ ।

 

ଉଦ୍ୟମର ଫଳ

‘‘ଉଦ୍ୟମର କଲେ ସର୍ବସିଦ୍ଧି

ଜାଣିବୁ ଏହୁ ମହାବିଧି ।’’

 

ଯେଉଁ ଲୋକ ଅଳସୁଆ ନ ହୋଇ ସବୁବେଳେ ଉଦ୍ୟମ କରୁଥାଏ, ସେ ଧନ-ସମ୍ପଦ ଲାଭ କରେ । ଉଦ୍ୟମ କରି ଦରିଦ୍ର ଧନବନ୍ତ ହୋଇଥାଏ, ଆଉ ଉଦ୍ୟମ ନ କଲେ ଧନବନ୍ତ ମଧ୍ୟ ଦରିଦ୍ର ହୋଇପଡ଼େ । ଗୋଟିଏ ସହରରେ ଜଣେ ଗରିବ କିଛି ଅର୍ଜନ କରି ନ ପାରିବାରୁ ଧନ ପାଇଁ ବୁଲି ବୁଲି ଗୋଟିଏ ବଡ଼ ମହାଜନ ପାଖରେ ପହଞ୍ଚିଲା । ମହାଜନ ଆପେ ବହୁତ ପରିଶ୍ରମ କରି କିପରି ଧନବନ୍ତ ହୋଇଅଛି, ତାହା ସେ ଗରିବଟିକୁ ବୁଝାଇଦେଲେ କହିଲେ, ‘‘ତୁ ମୋ ପରି ଉଦ୍ୟମ କଲେ ଧନ ପାଇବୁ ।’’ ଗଲାବେଳେ ତାକୁ ଗୋଟିଏ ମଲା ମୂଷା ଦେଖାଇ ଦେଇ କହିଲେ ‘‘ହଁ ମୂଷାଟିକୁ ନେଇଯା; ଏହାକୁ ନେଇ ଯେବେ ବଢାଇ ପାରିବୁ ତେବେ ତୋତେ ଜାଣିବି ମନୁଷ୍ୟ । ଆଉ ଏହାକୁ ସୁନାମୂଷା କରି ନ ପାରିଲେ ତୁ ମୋ ପାଖକୁ ଆସିବୁ ନାହିଁ ।’’ ଗରିବଟି ମଥା ନୁଆଁଇ ସେହି ମୂଷାଟିକୁ ଘେନି ଚାଲିଗଲା ।

 

ବଜାର ମଧ୍ୟରେ ଯାଉ ଯାଉ ଗୋଟିଏ ଦୋକାନୀ ଆପଣା ବିରାଡ଼ିପାଇଁ ସେ ମୂଷାଟିକୁ ରଖି ତାହାକୁ କିଛି ପଇସା ଦେଲା । ଗରିବଟି ସେଥିରେ କିଛି ବଟୁ ଛତୁ ଦୋକାନରୁ କିଣିନେଇ ଗୋଟିଏ ଘାଟ ପାଖରେ ଠିଆହେଲା । ସେତେବେଳେ ବୈଶାଖ ମାସର ନିରାଟ ଖରା । ଲୋକେ କାଠବୋଝ ମୁଣ୍ଡାଇ ଦୂରରୁ ଆସି ସେହିଠାରେ ବୋଝ ଉତ୍ତାରି ଟିକିଏ ଦମ୍ଭ ନିଅନ୍ତି । ଏହି ସମୟରେ ସେମାନଙ୍କୁ ଭାରି ଶୋଷ ହେଉଥିବାରୁ ସେ ଲୋକଟି ଜଣ ଜଣକ ପୋଷେ ପୋଷେ ଛତୁ ଆଉ ମୁନ୍ଦାଏ ପାଣି ଦିଏ । ସେଥିରେ ବୋଝିଆମାନେ ଖୁସିହୋଇ ଗଳାବେଳେ ବିଡ଼ାଏ ବିଡ଼ାଏ କାଠ ତାକୁ ଦେଇଯାନ୍ତି । ସେହି କାଠକୁ ସେଦିନ ବିକି ସେଥିରେ ଅଧିକ ପରିମାଣରେ ଛତୁ କିଣି ତହିଁ ଆରଦିନ ସେହିଠାରେ ବସିଥାଏ । ଏହିପରି ପ୍ରତିଦିନ କରୁ କରୁ ସେ ଲୋକ ବହୁତ କାଠ ଜମା କଲା । ତହୁଁ ସେ ଗୋଟାଏ କାଠର ଦୋକାନ କରି କିଛି ଲାଭ କଲା । କ୍ରମେ କ୍ରମେ ତାହାର ମୂଳଜମା ବଢିବାରୁ ସେ କାଠ ସଙ୍ଗରେ ଆଉ ପଦାର୍ଥ ଦୋକାନରେ ରଖି ବିକ୍ରିଦ୍ୱାରା ବହୁତ ଲାଭ କଲା । ଏହିପରି କରୁ କରୁ ଅଳ୍ପକାଳପରେ ସେ ବି ଗୋଟିଏ ସାନ ମହାଜନ ହୋଇପଡ଼ିଲା । ସେତେବେଳେ ତାହାର ପୂର୍ବ ମହାଜନ କଥା ମନେ ପଡ଼ିବାରୁ ବହୁ ଟଙ୍କାରେ ଗୋଟିଏ ସୁନା ମୂଷା ତିଆରି କରାଇ ଦିନେ ସେହି ଲୋକ ନିକଟକୁ ଗଲା ଏବଂ ତାହା ଆଗରେ ସେହି ସୁନା ମୂଷାଟିକୁ ଥୋଇ ଦେଇ ତୁନିହୋଇ ଠିଆହେଲା । ମହାଜନ ତାହାର ଉଦ୍ୟମ ଗୁଣର ବହୁତ ପ୍ରଶଂସା କରି ସୁନା ମୂଷାଟିକୁ ଫେରାଇଦେଲେ ଏବଂ ବହୁତ ଆଦର ଗୌରବ କରି କହିଲେ, ‘‘ଏଣିକି ମୁଁ ତୋତେ ବ୍ୟବସାୟରେ ସାହାଯ଼୍ୟ କରିବି ।’’ ସେ ସାନ ମହାଜନ ଏ ଆଶ୍ୱାସନା ପାଇ ମହା ଆନନ୍ଦରେ ଚାଲିଗଲା । କେବଳ ଉଦ୍ୟମ ବଳରେ ସେ ଅତି ହୀନ ଅବସ୍ଥାରୁ ଏତେ ବଡ଼ ହୋଇଗଲା ।

 

ଚାରିଆଡ଼େ ଯେତେ ବଡ଼ଲୋକ ଦେଖୁଅଛ, ସେମାନେ ସମସ୍ତେ ଉଦ୍ୟମୀ ଆଉ ପରିଶ୍ରମୀ । ଅଳସ ଲୋକର କୌଣସି କାଳେ କିଛି ହୁଏ ନାହିଁ । ଯେଉଁମାନେ ଉଦ୍ୟମ ନ କରି ଭାଗ୍ୟରେ ଥିଲେ ମିଳିବ ବୋଲି ଚାହିଁ ବସିଥାନ୍ତି, ସେମାନେ ବଡ଼ ମୂର୍ଖ । ଯେଉଁ ଦେଶରେ ଏହି ଜାତି ଲୋକ ଅଧିକ ଥା’ନ୍ତି, ସେ ଦେଶରେ ଆଉ ଧନ ବୃଦ୍ଧି ହୋଇପାରେ ନାହିଁ । ପ୍ରତିଦିନ ଉଦ୍ୟମରେ ଧନ ଅର୍ଜନ ନ କଲେ ସଞ୍ଚିତ ଧନ ସରିଯାଏ । ଲୋକେ ତାହା ବିନା ପେଟକୁ ଖଶଇବାକୁ ନ ପାଇ ଏଣେତେଣେ ବୁଲି ନାନା କୁକର୍ମ କରି ଲୋକଙ୍କଠାରୁ କେତେ ଧିକ୍‌କାର, ତିରସ୍କାର ପାଇ ଶେଷରେ ଅତି କଷ୍ଟରେ ପ୍ରାଣ ହରାନ୍ତି । ଅତଏବ ପ୍ରତି ଲୋକର ଉଦ୍ୟମ କରିବା ଉଚିତ ।

 

ଜର୍ଜ ଉଆସିଂଟନ୍‌

ଆମେରିକା ମହାଦେଶରେ ଯୁକ୍ତରାଜ୍ୟ (ଇଉନାଇଟେଡ଼୍‌ ଷ୍ଟେଟସ୍‌) ବୋଲି ଗୋଟିଏ ବଡ଼ ଦେଶ ଅଛି । ସେ ଦେଶରେ ୧୭୩୨ ଖ୍ରୀଷ୍ଟାବ୍ଦରେ ଉଆସିଂଟନ୍‌ ନାମରେ ଜଣେ ମହାତ୍ମା ଜନ୍ମଗ୍ରହଣ କରିଥିଲେ । ତାହାଙ୍କର ପିତା ଜଣେ ସମ୍ପତ୍ତିଶାଳୀ ଲୋକ ଥଲେ । ଉଆସିଂଟନ୍‌ ବିଦ୍ୟାଳୟରେ ବିଦ୍ୟାଶିକ୍ଷା କରିସାରି ପ୍ରଥମେ ସୈନ୍ୟ ବିଭାଗରେ ଭର୍ତ୍ତି ହୋଇଥିଲେ ଏବଂ ସେଥିରେ ଭଲ କାର୍ଯ୍ୟ କରିବାରୁ କ୍ରମେ ଉଚ୍ଚପଦମାନ ପାଇଥିଲେ । ଦେଶର ଯେତେ ଭଲ କାର୍ଯ୍ୟ ସେ ସମସ୍ତ ଆପଣା ଜାତିର ମଙ୍ଗଳ ଲାଗି ଉକ୍ତ ମହାତ୍ମା ସର୍ବଦା ଭାବୁଥିଲେ ଏବଂ କହୁଥିଲେ । ଏହିରୂପେ ଦେଶର ବହୁତ ଉପକାର କରିବାରୁ ଶେଷରେ ଦେଶର ଲୋକମାନେ ତାହାଙ୍କୁ ରାଜାପରି ମାନିଥିଲେ; ମାତ୍ର ସେ ଏଡ଼େ ଉତ୍ତମ ଲୋକ ଥିଲେ ଯେ, ତାହାଙ୍କୁ ରାଜପଦ ଯାଚିଲେ ସୁଦ୍ଧା ସେ ରାଜା ହେବାକୁ ରାଜି ହୋଇ ନ ଥିଲେ । ତାଙ୍କରି ସମୟରୁ ସେ ଦେଶର ଲୋକମାନେ ଏବେ ପୃଥିବୀରେ ସର୍ବାପେକ୍ଷା ଅଧିକ ସୁଖୀ ଏବଂ ସଭ୍ୟ ହୋଇଅଛନ୍ତି । ଏ ମହାତ୍ମା ୬୭ ବର୍ଷ ବୟେସରେ ପ୍ରାଣତ୍ୟାଗ କରିଥିଲେ ।

 

ଉଆସିଂଟନ୍‌ ବଡ଼ ବିନୟୀ ଏବଂ ସରଳ ଲୋକ ଥିଲେ । ଏତେ ବଡ଼ ଲୋକ ହୋଇ ସୁଦ୍ଧା ତାଙ୍କର କୌଣସି ଆଡ଼ମ୍ବର ବା ବଡ଼ପଣ ନ ଥିଲା । କୌଣସି ଲୋକକୁ ସେ ସାମାନ୍ୟ ମନେକରି ଘୃଣା କରୁ ନ ଥିଲେ । ଯେତେ ଛୋଟ ଲୋକ ହେଉ ପଛକେ ତାହା ସଙ୍ଗରେ ସେ ଜଣେ ସାମାନ୍ୟ ଲୋକପରି କଥାବାର୍ତ୍ତା କରୁଥିଲେ । ବାଟରେ ଦରିଦ୍ର ବା ଅସହାୟ ବ୍ୟକ୍ତିକୁ ଦେଖିଲେ ସେ ସାହାଯ୍ୟ ନ କରି ଯାଉ ନ ଥିଲେ । ଦିନକର ଘନଟାରୁ ତାଙ୍କର ଏ ଗୁଣର ପରିଚୟ ମିଳେ ।

 

ଯେତେବେଳେ ଦେଶ ମଧ୍ୟରେ ଯୁଦ୍ଧ ଲାଗିଥିଲା ସେତେବେଳେ ଦିନେ ଜର୍ଜ ଉଆସିଂଟନ୍‌ ଘୋଡ଼ାରେ ବସି କୌଣସି ସ୍ଥାନକୁ ଯାଉଥିଲେ । ବାଟରେ ଯାଉ ଯାଉ ଦେଖିଲେ ଜଣେ ସର୍ଦ୍ଦାର ତାହା ତଳେ ଥଇବା ସିପାହୀଙ୍କ ଦ୍ୱାରା ଗୋଟାଏ ବଡ଼ ମୁଣ୍ଡିକାଠକୁ ଟଣାଇ ଆଉଠାକୁ ନେଉଅଛନ୍ତି-। ସେ ସୈନିକମାନେ ଭାରୀ କାଠଟାକୁ ଟାଣି ଟାଣି ଥକିଗଲେଣି, ତେବେ ସୁଦ୍ଧା ସର୍ଦ୍ଦାର ଟିକିଏ ତାଙ୍କ ସାଙ୍ଗରେ ମିଶି ନ ଯାଇ କେବଳ ଦୂରରେ ଠିଆହୋଇ ହୁକୁମ ଦେଉଛନ୍ତି – ‘‘ଟାଣ ଟାଣ, ଦେଖ ଖସିଗଲା । – ଆହୁରି ଟାଣ – ଉଠାଅ ଉଠାଅ ।’’ ଉଆସିଂଟନ୍‌ ଯହୁଁ ଦେଖିଲେ ସିପାହୀଗୁଡ଼ାକ ଝାଳବୁହା ହୋଇଗଲେଣି ଅଥଚ ସର୍ଦ୍ଦାର ସେମାନଙ୍କୁ ଟିକିଏ ସାହାଯ୍ୟ କରୁନାହିଁ, ତହୁଁ ସେ ଘୋଡ଼ାରୁ ଓହ୍ଲାଇପଡ଼ି ସର୍ଦ୍ଦାରଙ୍କୁ କହିଲେ, ‘‘ଆମ୍ଭେ ହାବିଲ୍‌ଦାର ।’’ ଉଆସିଂଟନ୍‌ ଶୁଣି ଆଶ୍ଚର୍ଯ୍ୟ ହୋଇ କହିଲେ, ‘‘ଆପଣ ହାବିଲ୍‌ଦାର ? ମୁଁ, ହା ଜାଣି ନ ଥିଲି । ଆପଣଙ୍କୁ ମୋହର ପ୍ରଣାମ, ମୋହର ଦୋଷ ଘେନିବେ ନାହିଁ ।’’

 

ଏହା କହି ସୈନିକମାନଙ୍କୁ ପାରୁପର୍ଯ୍ୟନ୍ତ ସାହାଯ୍ୟ କରି ନିଜେ ଝାଳରେ ଗମ୍‌ଗମ୍‌ ହୋଇଗଲେ । କାଠ ସଜଡ଼ା ହୋଇ ରହିବା ପରେ ସେ ସର୍ଦ୍ଦାରଙ୍କ ପାଖକୁ ଆସି କହିଲେ, ‘‘ହାବିଲଦାର୍‌ ସାହେବ ! ଏଣିକି ତୁମ୍ଭର ଏପରି କାମ ପଡ଼ିଲେ ପାଖରେ ଯେବେ ଅଧିକା ମନୁଷ୍ୟନ ଥିବେ, ତାହାହେଲେ ତୁମ୍ଭ ସେନାପତିଙ୍କୁ ଡକାଇବ, ମୁଁ ସେହିକ୍ଷଣି ଆସି ସାହାଯ୍ୟ କରିବି ।’’

 

ହାବିଲ୍‌ଦାର ସେନାପତିଙ୍କ ନାମ ଶୁଣି ସ୍ୱୟଂ ଉଆସିଂଟନ୍‌ ଆସି ଏହା କରିଥିବାର ଜାଣି କାଠପରି ରହିଗଲେ । ତାଙ୍କ ସମ୍ଭୀଭୂତ ହେବାର ଦେଖି ଉଆସିଂଟନ୍‌ କ୍ଷମା ଦେଇ ସେଠାରୁ ଚାଲିଗଲେ । ଏହିପରି କାର୍ଯ୍ୟ କରୁଥିବାରୁ ସେ ଦେଶର ସମସ୍ତ ଲୋକଙ୍କର ପ୍ରିୟ ଥିଲେ । ସାନଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତ ଲୋକଙ୍କୁ ସେ ଯେମନ୍ତ ଏକାପରି ସ୍ନେହ କରୁଥିଲେ, ସେମାନେ ମଧ୍ୟ ତାହାଙ୍କୁ ସେହିପରି ଭକ୍ତି କରୁଥିଲେ । ତାହାଙ୍କର ନାମ ଅନୁସାରେ ଏବେ ସେ ଦେଶର ପ୍ରଧାନ ନଗରର ନାମ ଉଆସିଂଟନ୍‌ ହୋଇଅଛି ।

 

ପେଶୀ ଗଛର ସୂତା

ଏ ଦେଶର କେବଳ ତେଲ ଲାଗି ରାଶି, ସୋରିଷ ପରି ପେଶୀ ଚାଷ କରାଯାଏ । ଆମ୍ଭେମାନେ ବିଶେଷରେ ରାଶି ଓ ସୋରିଷର ତେଲ ବ୍ୟବହାର କରୁଁ । କେତେକ ଅଞ୍ଚଳରେ ପେଶୀତେଲର ମଧ୍ୟ ଅଧିକ ବ୍ୟବହାର ଦେଖାଯାଏ । ସୋରିଷ ଯେଉଁ ସମୟରେ ହୁଏ, ପେଶୀ ମଧ୍ୟ ସେହି ସମୟରେ ହୁଏ । ଏହାର ଫୁଲଗୁଡ଼ିକ ସୋରିଷ ଫୁଲପରି ହଳଦିଆ ନୁହେଁ, କଳା ଅପରାଜିତା ଫୁଲପରି ଗାଢ଼ନୀଳବର୍ଣ୍ଣ । ଫଳଗୁଡ଼ିକ ଗୋଲ । ଏହାର ବୀଜ ବା ମଞ୍ଜିଗୁଡ଼ିକ ରାଶିପରି ଦେଖାଗଲେ ସୁଦ୍ଧା ତାହାଠାରୁ ଅଧିକ ଚିକ୍‌କଣ । ଆମ ଦେଶରେ ଏଥିରୁ କେବଳ ତେଲ ବାହାରିବାର ଜାଣନ୍ତି; କିନ୍ତୁ ଏ ଗଛରୁ ଭଲ ସୂତା ହୁଏ ଏବଂ ସେହି ସୂତାଦ୍ୱାରା ବିଦେଶରେ ଲୋକେ ବହୁତ ଲାଭ କରୁଅଛନ୍ତି ।

 

ତୁମ୍ଭେମାନେ ଜାଣ, ନଳିତା ଓ ଛଣପଟରୁ କେବଳ ସୂତା ବା ଝୋଟ ବାହାରେ । ଏହି ଝୋଟରେ ଏ ଦେଶରେ କେବଳ ଦଉଡ଼ି ବଳାଯାଏ । ମାତ୍ର ସେଥିରେ ଏବେ ବିଦେଶରେ କେତେପ୍ରକାର ସୁନ୍ଦର ବହୁମୂଲ୍ୟ ଶୀତବସ୍ତ୍ର ପ୍ରସ୍ତୁତ ହୋଇ ଆସୁଅଛି । ଏହାଛଡ଼ା କଦଳୀ, ସପୁରି ଓ ବାରମାସୀ ଗଛରୁ ମଧ୍ୟ ଉତ୍‌କୃଷ୍ଟ ସୁତା ବାହାରେ । ପେଶୀ ଗଛରୁ ଯେଉଁ ସୂତା ବାହାରେ ସେଥିରେ ଜାହାଜର ପାଲ ଓ କାନଭାସ୍‌ ଲୁଗା ତିଆରି ହୁଏ । କୌଣସି କୌଣସି ଶୀତବସ୍ତ୍ରରେ ମଧ୍ୟ ଏହାର ଝୋଟ କୁଟା ହୋଇ ମିଶିଥାଏ । ଝୋଟ ଅପେକ୍ଷା ପେଶୀସୂତାରୁ ମୂଲ୍ୟ ବହୁତ ଅଧିକ-। ଚାଷୀମାନେ ଏହା କରିଜାଣିଲେ ଏହା ଫଳ ଓ ବକଳ ଦୁଇଥିରୁ ଲାଭ ପାଆନ୍ତେ ।

 

ଯେଉଁ ଜମିରେ ବଢିପାଣି ମାଡ଼େ, ସେଥିରେ ପେଷୀଚାଷ ଭଲ ହୁଏ । ସେପରି ଜମି ଭଲ ଚଷି ଖତ ଦେଇ ପେଶୀ ବୁଣିଲେ ପେଶୀଗଛ ଖୁବ୍‌ ପୁଷ୍ଟ ହୋଇ ବଢେ । ପାଚିଯିବା ପରେ ତାହାର ମଞ୍ଜି ଝାଡ଼ିନେଇ ବିଡ଼ା ବିଡ଼ା କରି ବାନ୍ଧି ନଳିତା ପରି ପାଣିରେ କିଛିଦିନ ବୁଡ଼ାଇ ରଖିବାକୁ ହୁଏ । ତାହାପରେ ତାକୁ କାଟିଆଣି ବେଶି ଖରା ନ ଦେଇ ଗୋଟିଏ ଗଦା ମାରି ରଖିଦେଲେ ତାହା ଭିତର ଡାଙ୍ଗ ଅଳ୍ପଦିନରେ ମନକୁ ମିଳାଇଯାଏ ଏବଂ ସୂତା ବା ଝୋଟତକ ରହିଥାଏ । ଏହି ଝୋଟରୁ ଚାରି ପାଞ୍ଚ ମହଣ ଆମଦାନି କରିପାରିଲେ ଜଣେ ଚାଷୀ ଶହେ ଟଙ୍କା ପାଇଯିବ । ଏହି ପାଶୀସୂତା ଠିକ୍‌ ମଠାର ଖିଅପରି ଦିଶେ ।

 

ଗର୍ଦ୍ଦଭର ଆତ୍ମହତ୍ୟା

ମନୁଷ୍ୟପରି ଇତର ଜନ୍ତୁ ବା ପଶୁମାନଙ୍କର ମଧ୍ୟ ମାନମର୍ଯ୍ୟାଦା ଜ୍ଞାନ ଅଛି । ସେମାନେ ଆମ୍ଭମାନଙ୍କ ପରି ଦୁଃଖସୁଖ ଅନୁଭବ କରନ୍ତି ଏବଂ ପରକୁ ବିପଦରେ ପଡ଼ିବାର ଦେଖିଲେ ତାହାକୁ ଉଦ୍ଧାର କରିବାର ଚେଷ୍ଟା କରନ୍ତି । ଅନେକ ପଶୁଙ୍କର ଦୟା, ପ୍ରଭୁଭକ୍ତି ଓ ପରୋପକାରର କଥା ତୁମ୍ଭେମାନେ ଶୁଣିଥିବ-। ବର୍ତ୍ତମାନ ଗୋଟିଏ କଥା କୁହାଯିବ । ତାହା ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବ-

 

ପଶ୍ଚିମରେ ଫ୍ରାନ୍‌ସ ଦେଶରେ ପାରିସ୍‌ ନାମରେ ଗୋଟିଏ ବଡ଼ ସହର ଅଛି । ଏକ ସମୟରେ ସେଠାରେ ଜଣକର ଗୋଟିଏ ଗଧଥିଲା । ସେ ତାହାକୁ ଦିନଯାକ ଭାର ବୁହାଇ ରାତିରେ ଏଣେତେଣେ ଚରିବାକୁ ଛାଡ଼ିଦିଏ । ତାହାର ମୁନିବ ଆହାର ନ ଦେଇ ପ୍ରତିଦିନ ପାହାର ଦେବାଟି ଭଲ ଜାଣେ । ଗଧ ପ୍ରଭୁର ଏପରି ଅତ୍ୟାଚାର ଆଉ ସହି ନପାରି ମନେ ମନେ ପ୍ରାଣ ହରାଇ ଦେବାକୁ ବିଚାର କଲା ଏବଂ ଦିନକରେ ସେହି ନଗର ନିକଟରେ ଥିବା ସୀନ୍‌ ନଦୀକୂଳରେ ଯାଇ ଉପସ୍ଥିତ ହେଲା । ଗଧ ସେଠାରେ ଗାଧୋଇବା ତୁଠ ଛାଡ଼ିଦେଇ କିଛି ଦୂରରେ ଗଣ୍ଡକୁ ଡେଇଁ ପଡ଼ିଲା । ଭାଗ୍ୟକୁ ସେଠାରେ ଗୋଟିଏ କୁକୁର ଗାଧୋଉଥିଲା । ସେ ଗଭୀର ଜଳରେ ଗଧକୁ ଏପରି ଝାସଦେବାର ଦେଖି ହଠାତ୍‌ ପାଣିରେ ପହଁରିଯାଇ ତାହା କାନ କାମୁଡ଼ି ଧରି କୂଳକୁ ଟାଣି ଆଣିଲା; ମାତ୍ର ଗଧ ଏଥିରେ ସନ୍ତୁଷ୍ଟ ନ ହୋଇ ପୁନରପି ଝାସ ଦେବାକୁ ମନେ ମନେ ସ୍ଥିରକଲା ଏବଂ କିଛିକ୍ଷଣ ତୁନିହୋଇ ରହି ହଠାତ୍‌ କୁକୁରର ଅଜ୍ଞାତରେ ସେହି ଗୁଣ୍ଡକୁ ଡେଇଁ ପଡ଼ିଲା । ଏଥର ମଧ୍ୟ କୁକୁର ତାହାକୁ ଉଦ୍ଧାର କରିବାକୁ ପଛେ ପଛେ ଗଲା । ଗଧ ସେଥିରେ ବିରକ୍ତ ହୋଇ ପଛ ଗୋଡ଼ରେ ତାହାକୁ ନାତେ ମାରି ଉତ୍ତମ ଶିକ୍ଷାଦେଲା । କୁକୁର ବ୍ୟଥା ପାଇ ଫେରିଆସିଲା । ଗଧ ସେହି ଭଗୀର ଜଳରେ ବୁଡ଼ିମଲା ।

 

ସିକନ୍ଦର ଏବଂ ଅସଭ୍ୟ ରାଜା

ୟୁରୋପ ମହାଦେଶରେ ଗ୍ରୀସ୍‌ ନାମରେ ଗୋଟିଏ ଦେଶ ଅଛି । ସେଥିରେ ପୂର୍ବ କାଳରେ ଆଲେକ୍‌ଜାଣ୍ଡର ନାମକ ମହାବୀର ଥିଲେ । ସେ ଆପଣା ଦେଶର କେତେ ରାଜ୍ୟ ଜୟ କରି ଦକ୍ଷିଣ ଓ ପୂର୍ବ ଦିଗରେ କେତେ ଦେଶ ଜୟ କରିଥିଲେ । ସେ ଭାରତବର୍ଷକୁ ମଧ୍ୟ ଆସି ହିନ୍ଦୁ ରାଜାଙ୍କୁ ଯୁଦ୍ଧରେ ହଟାଇ ଦେଇ କେତେ ବର୍ଷଯାଏ ରାଜ୍ୟ କରିଥିଲେ । ଏ ଦେଶର ଲୋକେ ତାହାଙ୍କୁ ସିକନ୍ଦର ନାମ ଦେଇଥଲେ । ଏକଦା ସେହି ସିକନ୍ଦର ଆଫ୍ରିକା ଦେଶରେ ଭ୍ରମଣ କରୁ କରୁ ଗୋଟିଏ ଅସଭ୍ୟ ରାଜ୍ୟରେ ପହଞ୍ଚିଥିଲେ । ସେଠାରେ ରାଜା ବଣୁଆ ହେଲେ କ’ଣ ହେବ, ମାନ-ମର୍ଯ୍ୟାଦା ବା ଧର୍ମ-ଅର୍ଧମ ଉତ୍ତମ ଜାଣିଥିଲେ । ସେ ସିକନ୍ଦରଙ୍କୁ ଦେଖିଲାକ୍ଷଣି ବହୁତ ଆଦର ଗୌରବ କରି ଆପଣା ଗୃହରେ ସ୍ଥାନ ଦେଲେ ଏବଂ ତାଙ୍କର ଚର୍ଚ୍ଚାଲାଗି ସୁନାରେ ରୁଟି, ଖଜୁରି ଆଦି ତିଆରି କରାଇ ତାଙ୍କ ଆଗରେ ଥାଳିରେ ସଜାଇ ରଖିଲେ । ତାହା ଦେଖି ସିକନ୍ଦର ପଚାରିଲେ, ‘‘ତୁମ୍ଭ ଦେଶରେ କ’ଣ ଲୋକେ ସୁନା ଖା’ନ୍ତି ?’’ ତହୁଁ ସେ ରାଜା କହିଲେ, ‘‘ମୁଁ ଭାବିଥିଲି ତୁମ୍ଭେ ସୁନା ଲାଗି ଏ ଦେଶକୁ ଆସିଥିବ । ନୋହିଲେ କାହିଁକି ଆମ ରାଜ୍ୟକୁ ତୁମ୍ଭର ଦୃଷ୍ଟି ପଡ଼ିଥାନ୍ତା ? ତାହା ନ ହୋଇଥିଲେ ସ୍ୱଚ୍ଛନ୍ଦରେ ଆମ୍ଭ ରାଜ୍ୟରେ ରହିଥାଅ ।’’ ଆଲେକ୍‌ଜାଣ୍ଡର ଏହା ଶୁଣି ମନେ ମନେ ଲଜ୍ଜା ପାଇ ସେଠାରେ ବସିଅଛନ୍ତି, ଏହି ସମୟରେ ଦୁଇ ଜଣ ପ୍ରଜା କଳହ କରି ଆସି ରାଜାଙ୍କ ଆଗରେ ଫେରାଦ କଲେ । ଜଣେ କହିଲା, ‘‘ଧର୍ମାବତାର ! ମୁଁ ଏହାଠାରୁ ଖଣ୍ଡିଏ ଜମି କିଣିଥିଲି । ସେଥିରୁ ଏବେ ଖୋଳୁ ଖୋଳୁ ବହୁତ ଧନରତ୍ନ ମିଳିଲା । ତାହା ସବୁ ଏହାର । ଏ ନେଉନାହିଁ । ମୁଁ ସିନା କେବଳ ଜମି କିଣିନେଇଛି; ପୋତା ହୋଇଥିବା ଧନରତ୍ନକୁ ମୁଁ କିପରି ନେବି ?’’ ଅନ୍ୟ ଜଣକ କହିଲା, ‘‘ମହାରାଜ ! ମୁଁ କ’ଣ ଧର୍ମ କିଏ, ଅଧର୍ମ କିଏ ଜାଣିନାହିଁ ? ଯେତେବେଳେ ମୁଁ ଏହାକୁ ଜମି ବିକ୍ରି କରିଦେଇଛି, ସେତେବେଳେ ଏଥିରେ ଥିବା ସମସ୍ତ ପଦାର୍ଥ ଏହାର ହୋଇଛି । ମୁଁ ତାହା ନେଇ କିପରି ଅଧର୍ମ କରିବି ?’’ ଅସଭ୍ୟ ରାଜା ଏ ଦୁହିଁଙ୍କ କଥା ଶୁଣି ଜଣକୁ ପଚାରିଲେ, ‘‘ତୁମ୍ଭର ପରା ଗୋଟିଏ ଝିଅ ଅଛି ?’’ ସେ ହଁ କହିବାପରେ ଅନ୍ୟକୁ ପଚାରିଲେ, ତୁମ୍ଭର ପୁଅଟିଏ ଅଛି ପରା ?’’ ସେ ମଧ୍ୟ ହଁ କରିବାରୁ ରାଜା କହିଲେ, ‘‘ତାହାହେଲେ ତୁମ୍ଭର ଝିଅ ସହିତ ଏହାର ପୁଅକୁ ବିଭା କରାଇଦେଲେ ସେ ସମସ୍ତ ଧନରତ୍ନକୁ ଯୌତୁକ ସ୍ୱରୂପ ଦିଅ; କଳି ଛିଡ଼ିଯିବ ।’’ ପ୍ରଜା ଦୁହେଁ ଏ ନିଷ୍ପତ୍ତିରେ ସନ୍ତୁଷ୍ଟ ହେଇି ଆନନ୍ଦରେ ଚାଲିଯିବାପରେ ରାଜା ସିକନ୍ଦରଙ୍କୁ ପଚାରିଲେ, ‘‘ତୁମ୍ଭଙ୍କୁ ଏ ବିଚାର କିପରି ଦିଶିଲା ?’’ ସିକନ୍ଦର କହିଲେ, ‘‘ମୁଁ ସବୁ ଶୁଣିଲି; ମାତ୍ର ତୁମ୍ଭ ରାଜ୍ୟରେ ତ ଅଭୁତ ବିଚାର । ଆମ୍ଭ ଦେଶରେ ଏପରି ବିଚାର ହୁଏ ନାହିଁ ।’’ ରାଜା ତହୁଁ ପଚାରିଲେ, ‘‘ଆଚ୍ଛା, ତୁମ୍ଭ ଦେଶରେ ଏହାର କିପରି ବିଚାର ହୋଇଥାନ୍ତା ?’’

 

ସିକନ୍ଦର – ଆମ୍ଭ ଦେଶ ହୋଇଥିଲେ ଏ ଦୁଇଜଣଙ୍କୁ ବନ୍ଦୀ କରି ସମସ୍ତ ଧନରତ୍ନକୁ ରାଜାଙ୍କ ଗନ୍ତାଘରେ ରଖାଇଥାନ୍ତୁ ।

 

ରାଜା – ଆଚ୍ଛା, ତୁମ୍ଭ ଦେଶରେ ସୂର୍ଯ୍ୟ କିରଣ ଦିଅନ୍ତି ? ତୁମ୍ଭ ଦେଶରେ ବର୍ଷା ହୁଏ ? ତୁମ୍ଭ ରାଜ୍ୟରେ ଏ ଦେଶପରି ଛାୟାବୃକ୍ଷ ଅଛି ? ପବନ ବହୁଥାଏ ତ ?

 

ସିକନ୍ଦର – ଆମ୍ଭ ଦେଶରେ ଏସବୁ ଅଛି । ଆମ୍ଭ ଦେଶରେ ମଧ୍ୟ ଉତ୍ତମ ଶସ୍ୟ ହୁଏ; ସୁନ୍ଦର ନଦୀ, ନିର୍ଝର ପର୍ବତମାନ ମଧ୍ୟ ଅଛନ୍ତି ।

 

ରାଜା – ତାହାହେଲେ ଜଣାଗଲା, ଈଶ୍ୱର ଦୟା କରି ନିର୍ଦ୍ଦୋଷ ପ୍ରାଣୀମାନଙ୍କ ପାଇଁ ଏମାନ ସେଠାରେ ଦେଇଅଛନ୍ତି । ଆମ୍ଭର ଏ ଅସଭ୍ୟ ରାଜ୍ୟରେ ଏପରି ଧର୍ମଛଡ଼ା ବିଚାର ନାହିଁ ।

 

ମହାବୀର ସିକନ୍ଦର ଶତ ଶତ ରାଜାଙ୍କୁ ବଳରେ ହରାଇ ଦେଇଥିଲେ ସୁଦ୍ଧା ଏହି ଅସଭ୍ୟ ରାଜାଙ୍କ କଥାରେ ମନେ ମନେ ବଡ଼ ଲଜ୍ଜା ପାଇ ତାହାଙ୍କଠାରୁ ବିଦାୟ ଘେନି ଅନ୍ୟ ରାଜ୍ୟକୁ ଚାଲିଯାଇଥିଲେ ।